ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ବଣ୍ଡା ସଂରକ୍ଷିତ ଜଙ୍ଗଲରେ ଜିଲ୍ଲା ଜଙ୍ଗଲ ପରବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଅନୁଷ୍ଠିତ ହୋଇଥିବା ବନୋମହୋତ୍ସବରେ ବଲାଙ୍ଗିରର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଡିଏଫ୍ଓ ସମୀର କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବନୋମହୋତ୍ସବ ସଭାରେ ଏସିଏଫ୍ ବାବାଜି ଚରଣ ରାଉତ ସ୍ୱାଗତ ଭାଷଣ ଦେଇଥିଲେ । ପରେ ଡିଏଫ୍ଓ ସମୀର ଶତପଥୀ କାର୍ଯ୍ୟକ୍ରମ ସୂଚନା ଦେବା ସହ ଜଙ୍ଗଲ ସଂରକ୍ଷଣରେ ବୃକ୍ଷରୋପଣ ଭୂମିକା ତଥା ବିଗତ ବର୍ଷମାନଙ୍କରେ ହୋଇଥିବା ବୃକ୍ଷରୋପଣ ତଥା ତାର ସ୍ଥିତି ମୁଖ୍ୟ ଅତିଥି ଶ୍ରୀ ମିଶ୍ରଙ୍କ ପ୍ରଚେଷ୍ଟା ଯୋଗୁଁ ବଲାଙ୍ଗିର ଜିଲ୍ଲାରେ ଜଙ୍ଗଲର ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ଆସିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ । ବିଧାୟକ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଜଙ୍ଗଲ ସୁରକ୍ଷା ଦିଗରେ ନିଜର ଅଭିଜ୍ଞତା କହିବା ସହ ଜଙ୍ଗଲ ବିଭାଗ ଜିଲ୍ଲାରେ ଥିବା ବିଭିନ୍ନ ଜଙ୍ଗଲରେ ଆହୁରି କିପରି ବ୍ୟାପକ ଭାବରେ ଜଙ୍ଗଲ ସୃଷ୍ଟି ହେବ ତା ଉପରେ ଆଲୋକପାତ କରିଥିଲେ । ବୃକ୍ଷରୋପଣ ସାଙ୍ଗକୁ ତାର ସୁରକ୍ଷା, ଜଙ୍ଗଲ ପୋଡିରୁ ଜଙ୍ଗଲକୁ ରକ୍ଷା, ଜଙ୍ଗଲ ଭିତରେ ଛୋଟ ଛୋଟ ଜଳାଶୟରେ ଯେପରି ଜଳ ରହିବ ଏବଂ ସେଥିରୁ ବନ୍ୟଜନ୍ତୁ ପାଣି ପିପାରିବେ ସେ ଦିଗରେ ଧ୍ୟାନ ଦେବାକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ପର୍ଯ୍ୟଟନସ୍ଥଳୀ ଭୀମଡୁଙ୍ଗୁରିରେ ଚାଲିଥିବା ଇକୋ ଟୁରୀୟମ କାମ କିପରି ଶୀଘ୍ର ପୂର୍ଣ୍ଣାଙ୍ଗ ହେବ ସେ ଉପରେ କାର୍ଯ୍ୟକ୍ରମ ନିଆଯିବ ଏବଂ ବଲାଙ୍ଗିର ସଦର ବ୍ଲକ ସ୍ଥିତ ବରକାନି ଗ୍ରାମ ପାଖରେ ଥିବା ଚାନ୍ଦଲି ପାହାଡ ତା ପାଖରେ ଥିବା ଜଳ ଉତ୍ସ, ସେ ରାସ୍ତା ଦେଇ ପାଟଣାଗଡ ରାସ୍ତା ପର୍ଯ୍ୟନ୍ତ ଏକ ଇକୋ-ଟୁରୀୟମ କରିଡର ନିର୍ମାଣ କରାଯିବ ଏବଂ ସେ ଉପରେ ଏକ ସବିଶେଷ ପ୍ରସ୍ତାବ ପଠାଇବାକୁ ଡିଏଫ୍ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସଭା ପୂର୍ବରୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ବଣ୍ଡା ସଂରକ୍ଷତ ଜଙ୍ଗଲରେ ଏକ ପିପଲ ବୃକ୍ଷ ରୋପଣ କରି ବନୋମହୋତ୍ସବକୁ ଉଦ୍ଘାଟନ କରିଥିଲେ । ଆଜିର ଏହି ବନୋମହୋତ୍ସବରେ ଉତ୍ତମ ଜଙ୍ଗଲ ସୁରକ୍ଷା ଦିଗରେ ଭଲ କାମ କରିଥିବା ତିନୋଟି ବନସୁରକ୍ଷା ସମିତି ଯଥା ସାଲେପଡା, ବାଙ୍କେଲ ଏବଂ ବେହେରାପାଣି ବନସୁରକ୍ଷା ସମିତିକୁ ପୁରସ୍କୃତ କରାଯାଇଥିଲା । ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗନ୍ଧରେଲ ବନ ସୁରକ୍ଷା ସମିତିର ସଭାପତି ମନୋରଂଜନ ସାଏ, ରେଞ୍ଜର ବିଜୟ ଖୁଣ୍ଟିଆ, ଏସିଏଫ୍ ଅଜିତ କୁମାର ବିଶି, ସମାଜସେବୀ ବିଷ୍ଣୁ ପ୍ରସାଦ କେଡିଆଙ୍କ ସମେତ ବଲାଙ୍ଗିର ରେଞ୍ଜର ସମସ୍ତ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ଥିଲେ ।