
ଆଦିବାସୀ ମହାବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀଙ୍କ ବାଜିମାତ : ସଭାପତି ଭାବେ ଶ୍ରୀଧର ସିଅ, ସମ୍ପାଦକ ଭାବେ ଅଭୟ ପାଟମାଝି ବିଜୟୀ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦୀର୍ଘ ୪୬ ବର୍ଷର ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଗଣତାନ୍ତ୍ରିକ ପରମ୍ପରାର ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ । ଦୀର୍ଘ ବ୍ୟବଧାନ ପରେ ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନ ସଫଳତାର ସହ ଶେଷ ହୋଇଛି । ଏହି ନିର୍ବାଚନରେ ମୋଟ ୭୨.୮୬ ପ୍ରତିଶତ ମତଦାନ ହୋଇଥିବା ବେଳେ ୮ଟି ବିଭିନ୍ନ ପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୩୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହା ସହ ମହାବିଦ୍ୟାଳୟରେ ଛାତ୍ର ନେତୃତ୍ୱ ଓ ପ୍ରତିନିଧିତ୍ୱର ଏକ ନୂଆ ପର୍ଯ୍ୟା ଆରମ୍ଭ ହୋଇଛି । ଗୁରୁବାର ୧୫ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମହାବିଦ୍ୟାଳୟରେ ମତଦାନ ହୋଇଥିଲା । ମତଦାନ ପରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇ ମୋଟ ୯ ରାଉଣ୍ଡରେ ଗଣତି ଶେଷ ହୋଇଥିଲା । ଅପରାହ୍ନ ୫ଟାରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା । ସମସ୍ତ ୮ଟି ପଦବି ପାଇଁ ମୋଟ ୩୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାରୁ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଘୋଷିତ ଫଳାଫଳ ଅନୁଯାୟୀ, ସଭାପତି ପଦରେ ଶ୍ରୀଧର ସିଅ ୩୬୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ଉପସଭାପତି ପଦରେ ଅବିନାଶ ମସିହା ଦିଗାଳ ୩୭୫ ଖଣ୍ଡ ଭୋଟ ପାଇ ବିଜୟ ହାସଲ କରିଛନ୍ତି । ସେହିପରି ସାଧାରଣ ସମ୍ପାଦକ ଭାବେ ଅଭୟ ପାଟମାଝି ୩୭୧ ଖଣ୍ଡ ଭୋଟ ପାଇଥିବା ବେଳେ ସହସମ୍ପାଦକ ଭାବେ ଅଂଶୁମାନ ବେହେରା ୩୧୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ଅନ୍ୟ ପଦବିଗୁଡ଼ିକ ମଧ୍ୟରେ ଡିଏସଏ ସମ୍ପାଦକ ଭାବେ ଇତି ନାୟକ ୩୭୦ ଖଣ୍ଡ ଭୋଟ ପାଇଥିବା ବେଳେ ଡିଏସଏ ସହସମ୍ପାଦକ ଭାବେ ବିଜୟ କହଁର ୪୦୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । କ୍ରୀଡ଼ା ସମ୍ପାଦକ ପଦରେ ଇସାକ ନାୟକ ୨୮୫ ଖଣ୍ଡ ଭୋଟ ପାଇଥିବା ବେଳେ କ୍ରୀଡ଼ା ସହସମ୍ପାଦକ ଭାବେ ସୌମ୍ୟ ରଞ୍ଜନ ମଲ୍ଲିକ ୩୮୪ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଛନ୍ତି । ପ୍ରକାଶିତ ପ୍ରାର୍ଥୀ ତାଲିକା ଅନୁଯାୟୀ, ସଭାପତି ପଦ ପାଇଁ ୭ ଜଣ, ଉପସଭାପତି ପଦ ପାଇଁ ୪ ଜଣ, ସାଧାରଣ ସମ୍ପାଦକ ପଦ ପାଇଁ ୪ ଜଣ, ସହସମ୍ପାଦକ ପଦ ପାଇଁ ୩ ଜଣ, ଡିଏସଏ ସମ୍ପାଦକ ପଦ ପାଇଁ ୩ ଜଣ, ଡିଏସଏ ସହସମ୍ପାଦକ ପଦ ପାଇଁ ୩ ଜଣ, କ୍ରୀଡ଼ା ସମ୍ପାଦକ ପଦ ପାଇଁ ୪ ଜଣ ଏବଂ କ୍ରୀଡ଼ା ସହସମ୍ପାଦକ ପଦ ପାଇଁ ୩ ଜଣ ପ୍ରାର୍ଥୀ ରହିଥିଲେ । ଏହିପରି ମୋଟ ୩୧ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ । ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ନିର୍ବାଚନ ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ, ଅବାଧ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଥିଲା । ଏଥିସହ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ନିର୍ବାଚନ ପ୍ରକ୍ରିୟା ସମୟରେ କଲେଜ ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ ପ୍ରଣୀତା ଦାସ, ମାଜିଷ୍ଟ୍ରେଟ ତଥା ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ନିର୍ବାଚନ ଅଧିକାରୀ ଅଧ୍ୟାପକ ତେଜେଶ୍ୱର ନାୟକ, ସହନିର୍ବାଚନ ଅଧିକାରୀ ଅଧ୍ୟାପକ ସରୋଜ ପାଠୀ ଓ ଅଧ୍ୟାପକ ହିମାଂଶୁ ଶେଖର ସାହୁ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାଚନ ଫଳାଫଳ ଘୋଷଣା ପରେ ଏବେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ନେଇ ଅପେକ୍ଷା ରହିଛି । ଆସନ୍ତା ୧୬ ତାରିଖରେ ବିଜୟୀ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ । ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ଆୟୋଜିତ ଏହି ନିର୍ବାଚନ ମହାବିଦ୍ୟାଳୟର ଛାତ୍ର ରାଜନୀତିରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଥିବା ବେଳେ ନବନିର୍ବାଚିତ ପ୍ରତିନିଧିମାନେ ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ଦାବିକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ଆଗାମୀ ଦିନରେ ଗୁରୁତ୍ୱ ବହନ କରିବ ।