ଛାତ୍ର ଯୁବକଙ୍କ ଭବିଷ୍ୟତ ନିର୍ମାଣ ଆମର ଲକ୍ଷ – ସମରେନ୍ଦ୍ର

  • ଅଭିଜ୍ଞ କହୁଥିବା ପ୍ରାର୍ଥୀଙ୍କ ଗୋଟିଏ ସେଟ୍‌ ନାମାଙ୍କନ ପତ୍ର ନାକଚ୍‌ ହେବା ହାସ୍ୟାସ୍ପଦ – ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛାତ୍ର ଯୁବକଙ୍କ ଭବିଷ୍ୟତ ନିର୍ମାଣ ଆମର ଲକ୍ଷ ବୋଲି କହିଛନ୍ତି ସମରେନ୍ଦ୍ର । ମୋ’ ମତରେ ଲୋକଙ୍କ ସହ ରହି ଅଞ୍ଚଳର ସେବା କରିବା ହିଁ ରାଜନୀତିର ଉଦ୍ଦେଶ୍ୟ । ଗତ ୧୦ ବର୍ଷରେ ଆମର ପ୍ରିୟ ବିଧାୟକ ନରସିଂହ ମିଶ୍ର ତାହା ପ୍ରମାଣ କରିସାରିଛନ୍ତି । ତେଣୁ ଅଞ୍ଚଳର ବୃହତ୍ତର ସ୍ୱାର୍ଥ ଓ ଗତ ୧୦ ବର୍ଷର ବିକାଶ ପ୍ରକ୍ରିୟାକୁ ଆଗକୁ ନିରନ୍ତର ଜାରି ରଖିବା ପାଇଁ ତଥା ଅଞ୍ଚଳର ଛାତ୍ର ଯୁବକମାନଙ୍କ ଭବିଷ୍ୟତ ନିର୍ମାଣ ପାଇଁ ଆଗାମୀ ନିର୍ବାଚନରେ କଂଗ୍ରେସ ଦଳର ହାତ ଚି଼ହ୍ନରେ ଭୋଟ ଦେଇ ଅଞ୍ଚଳର ଛାତ୍ର ଯୁବକ, ସାଧାରଣ ଜନତାଙ୍କ ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରନ୍ତୁ ବୋଲି ବଲାଙ୍ଗିର ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ବୈଦିପାଲି, ବିଡିଘାଟ ଓ ଚିକଲବାହାଲ ପଂଚାୟତରେ ଅନୁଷ୍ଠିତ ଜନ ଆଶୀର୍ବାଦ ସଭାରେ ନିଜ ବକ୍ତବ୍ୟରେ କହିଛନ୍ତି । ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଆମର ପ୍ରତିଦ୍ୱନ୍ଦୀ ନିଜକୁ ଅଭିଜ୍ଞ ବୋଲି ଡିଣ୍ଡିମ ପିଟୁଛନ୍ତି, କିନ୍ତୁ ହାସ୍ୟାସ୍ପଦ କଥା ଏହି କି ଯେ, ତାଙ୍କ ଦ୍ୱାରା ଦାଖଲ ହୋଇଥିବା ୪ ସେଟ୍‌ ନାମାଙ୍କନ ପତ୍ରରୁ ଗୋଟିଏ ସେଟ୍‌ ନାକଚ୍‌ ହୋଇଯାଇଛି ଏବଂ ବାକି ୩ ସେଟ୍‌ରେ ମଧ୍ୟ ଅନେକ ଆଇନଗତ ତ୍ରୁଟି ରହିଛି । ଆଗାମୀ ଦିନରେ ତାଙ୍କର ନାମାଙ୍କନ ପତ୍ର ନ୍ୟାୟାଳୟରେ ନିଶ୍ଚିତ ଭାବେ କାଟ୍‌ ଖାଇ ଯାଇପାରେ । ଏଥିରୁ ଲୋକେ ବୁଝନ୍ତୁ ଆମ ପ୍ରତିଦ୍ୱନ୍ଦୀ ଅଭିଜ୍ଞ ପ୍ରାର୍ଥୀ ନିଜ ନାମାଙ୍କନ ଭରି ଜାଣୁ ନାହାନ୍ତି ଲୋକଙ୍କ ସେବା କଣ କରିବେ ବୋଲି ସମରେନ୍ଦ୍ର ପ୍ରଶ୍ନ କରିଛନ୍ତି । ଏହା ସହ ସମରେନ୍ଦ୍ର କହିଛନ୍ତି ଯେ, ଦୀର୍ଘ ବର୍ଷ ହେଲା ବିଜେଡି ସରକାର ରାଜ୍ୟରେ ଶାସନ କରୁଛି କିନ୍ତୁ ଲୋକଙ୍କ ହିତାଧିକାରୀ ପାଇଁ କୌଣସି ନୂତନ ଯୋଜନା ପ୍ରଣୟନ କରୁନାହିଁ, ଓଲଟା କଂଗ୍ରେସ ସରକାର ଅମଳରେ ଲାଗୁ ହୋଇଥିବା ଖାଦ୍ୟ ସୁରକ୍ଷା ଯୋଜନା, ଶିକ୍ଷା ଅଧିକାର ଆଇନ, ଇନ୍ଦିରା ଆବାସ, ମନରେଗା ଭଳିଆ ଯୋଜନା ସରକାରଙ୍କ ଅଧିକାରୀ ମାନଙ୍କ ଅବହେଳା ଓ ବେପରୁଆ ମନୋଭାବ ଯୋଗୁଁ ଲୋକେ କଂଗ୍ରେସ ଦଳ କରିଥିବା ଯୋଜନାରୁ ମଧ୍ୟ ଉପକୃତ ହୋଇ ପାରୁନାହାନ୍ତି । ଯେଉଁମାନେ କେବଳ ନିର୍ବାଚନ ସମୟରେ ବଲାଙ୍ଗିର ସହରରେ ଦେଖାଯାଆନ୍ତି, ସେମାନେ ୨୪ ବର୍ଷ ଧରି କ୍ଷମତାରେ ଥିଲେ କିନ୍ତୁ, ସେମାନେ ଲୋକଙ୍କ କାମ କରିବାର କଥା ତ ଭୁଲି ଯାଆନ୍ତୁ, ସେମାନେ ତାଙ୍କ ଦଳର କର୍ମୀ ମାନଙ୍କ ଅସୁବିଧାର ସମାଧାନ କରି ପାରୁନାହାଁନ୍ତି । ଯାହା ଫଳରେ କି ତାଙ୍କ କର୍ମୀମାନେ ଆମ ପାଖକୁ ଆସି ତାଙ୍କର ସମସ୍ୟାର ସମାଧାନ କରିଥାନ୍ତି । ଆପଣ ମାନେ ସେହି ରାଜନେତା ମାନଙ୍କ ପ୍ରତି ସାବଧାନ ରୁହନ୍ତୁ, ମିଛ ବାହାନା, କୁମ୍ଭୀର କାନ୍ଦଣା କାନ୍ଦି ଆପଣ ମାନଙ୍କୁ ଭୁଆଁ ବୁଲେଇବେ ଓ ନିର୍ବାଚନ ପରେ ବଲାଙ୍ଗିରରୁ ଉଭାନ ହୋଇଯିବେ । ତେଣୁ ଏଇ ବିକାଶ ବିରୋଧୀ ତତ୍ତ୍ୱଙ୍କୁ ଆପଣମାନେ ଆଗାମୀ ନିର୍ଵାଚନରେ ବରଖାସ୍ତ କରନ୍ତୁ ବୋଲି ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଲୋକଙ୍କୁ ଆହ୍ୱାନ କରିଥିଲେ । ସାଧାରଣ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଆମକୁ ଏକ ଲଢୁଆ ବିଧାୟକ ନିର୍ବାଚିତ କରିବାକୁ ହେବ । ଯିଏକି ସରକାରଙ୍କ ସମ୍ମୁଖରେ ବଲାଙ୍ଗିରର ବିକାଶ ପାଇଁ ଚାପ ସୃଷ୍ଟି କରିପାରିବ । ଅକାଟ୍ୟ ଯୁକ୍ତି ଉପସ୍ଥାପନ କରିପାରିବ ଓ ବଲାଙ୍ଗିରକୁ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଆଣିପାରିବ । ଏହି ନିର୍ବାଚନରେ ସମରେନ୍ଦ୍ର ହିଁ ସେହି ପ୍ରାର୍ଥୀ ଯିଏ କି ଆପଣ ମାନଙ୍କ ହକ୍‌ ପାଇଁ ବିଧାନସଭାରେ ଜୋର୍‌ଦାର୍‌ ଲଢେଇ କରିପାରିବ । ତେଣୁ ଆପଣମାନେ ଏହି ନିର୍ବାଚନରେ ବହୁ ପରିମାଣରେ କଂଗ୍ରେସ ପ୍ରାର୍ଥୀଙ୍କୁ ହାତ ଚି଼ହ୍ନରେ ଭୋଟ ଦେବେ ବୋଲି ବିଧାୟକ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସଭାପତି ରାମ ପ୍ରସାଦ, ବିଡିସିସି ବ୍ୟାଙ୍କ ସଭାପତି ସ୍ମାରକ ମିଶ୍ର ସଦ୍ୟ କଂଗ୍ରେସ ଦଳରେ ଯୋଗ ଦେଇଥିବା ଏ ଅଞ୍ଚଳର ନେତା ଲଳିତା ଯୋଶୀ, ବରିଷ୍ଠ କଂଗ୍ରେସ ନେତା ବୁଧୁ ଚନ୍ଦ୍ର ମେର୍ଲି, ଚାଷୀ ନେତା ଚଗଲା ପରିଚ୍ଛା, ସରୋଜ ରଥ ପ୍ରମୁଖ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.

two × two =

error: Content is protected !!