
ଭୁବନେଶ୍ୱର, (ପିଆଇବି) : ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଜୁଲାଇ – ୨୦୨୬ ଶିକ୍ଷାସତ୍ର ପାଇଁ ନୂତନ ନାମଲେଖା ଏବଂ ପୁନଃ ପଂଜିକରଣ ପ୍ରକ୍ରିୟାର ଆରମ୍ଭ ଘୋଷଣା କରାଯାଇଛି । ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷ ଏହି ସୁଯୋଗର ଲାଭ ଉଠାଇ ପାରିବେ । ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡିଥିବା କିମ୍ବା ଉଚ୍ଚ ଶିକ୍ଷା ପାଇବାରୁ ବଂଚିତ ହୋଇଥିବା କୌଣସି ବୟସର ବ୍ୟକ୍ତି ବିଶେଷଙ୍କ ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗରେ ଅଣ୍ଡରଗ୍ରାଜୁଏଟ (ସ୍ନାତକ), ପୋଷ୍ଟଗ୍ରାଜୁଏଟ (ସ୍ନାତକୋତ୍ତର) ପିଜିଡିପ୍ଲୋମା, (ସ୍ନାତକୋତ୍ତର ଡିପ୍ଲୋମା) ଏବଂ ସାର୍ଟିଫିକେଟ ପ୍ରୋଗ୍ରାମରେ ନାମଲେଖା ପ୍ରକ୍ରିୟା ଆସନ୍ତା ଜୁଲାଇ ମାସ ୧୫ ତାରିଖ ପର୍ଯ୍ୟନ୍ତ ଏବଂ ପୁନଃ ପଂଜୀକରଣ ପ୍ରକ୍ରିୟା ଆସନ୍ତା ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଅଣ୍ଡରଗ୍ରାଜୁଏଟ (ସ୍ନାତ୍ତକ) ପ୍ରୋଗ୍ରାମ, ଯଥା-କଳା (ସାଧାରଣ), ବିଜ୍ଞାନ (ସାଧାରଣ), ବାଣିଜ୍ୟ (ସାଧାରଣ) ବିଭାଗରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତଜାତି ଓ ଜନଜାତି ଆବେଦକଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜିକରଣ ଦେୟ ୫୦% ଛାଡ଼ କରାଯାଇଛି । ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ, ସେମାନେ ଇଗ୍ନୋ ପକ୍ଷରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେ ନାହିଁ । ଇଛୁକ ଛାତ୍ର ଛାତ୍ରୀ ନୂତନ ପଂଜିକରଣ ପ୍ରକ୍ରିୟା ପାଇଁ ଲିଙ୍କ http//ignouadmission.samarth.edu.in ଓ ପୁନଃ ପଂଜିକରଣ ପ୍ରକ୍ରିୟା ପାଇଁ ଲିଙ୍କ https://onlinerr.ignou.ac.in ଅନୁସରଣ କରିପାରିବେ କିମ୍ବା ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱରକୁ ଇ-ମେଲ [email protected] ମାଧ୍ୟମରେ ଯୋଗାଯୋଗ କରିପାରିବେ । ସମସ୍ତ ପ୍ରକାର ଯୋଗାଯୋଗ ପାଇଁ ୦୬୭୪-୨୯୭୧୦୭୧ କିମ୍ବା ୦୬୭୪-୨୩୦୧୩୪୮ ଦୂରଭାଷ ନମ୍ବରରେ ଯୋଗାଯୋଗ କରିବା ପାଇଁ ଇଗ୍ନୋ ତରଫରୁ ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ମନୋଜ୍ କୁମାର ଦାଶ ସୂଚନା ଦେଇଛନ୍ତି ।