ବଲାଙ୍ଗିର ମ୍ୟୁନିସିପାଲିଟିର କାର୍ଯ୍ୟରତ ଡ୍ରାଇଭର ରଂଜିତଙ୍କ ଆକସ୍ମିକ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମ୍ୟୁନିସିପାଲିଟିର କାର୍ଯ୍ୟରତନ ଡ୍ରାଇଭର ରଂଜିତ ପୁଟେଲ(୪୨)ଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ସବୁଦିନ ଭଳି ରଂଜିତ ଆଜି ପୂର୍ବାହ୍ନରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପଙ୍କୁ ଆଣିବା ପାଇଁ ବୋଲେରୋ ନେଇ ପେଲେସ ଲାଇନ୍‌ ସ୍ଥିତ ତାଙ୍କ ବାସଭବନକୁ ପହଂଚି ଘର ସମ୍ମୁଖରେ ଅଧିକାରୀଙ୍କୁ ଅପେକ୍ଷା କରିଥିଲେ । ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୀପ ବାହାରକୁ ଆସି ଦେଖିଲେ ଯେ, ଡ୍ରାଇଭର ରଂଜିତ ଡାଇଭର୍‌ ସିଟ୍‌ରେ ଅଚେତ ଅବସ୍ଥାରେ ପଡ଼ି ରହିଛନ୍ତି । ତେବେ ସଂଗେ ସଂଗେ ପୌର ପରିଷଦ କର୍ମଚାରୀମାନଙ୍କୁ ତଥା ପୋଲିସକୁ ଫୋନ୍‌ କରି ଅଚେତ ରଂଜିତଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ ଜିଲ୍ଲାପାଳ ଚଞ୍ଚଳ ରାଣା ମଧ୍ୟ ଡାକ୍ତରଖାନାରେ ପହଂଚିଥିଲେ । ତେବେ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ପୋର୍ଟମର୍ଟମ୍‌ ପାଇଁ ପଠାଇଛି । ତିନୋଟି ସନ୍ତାନର ପିତା ମୃତ ଡ୍ରାଇଭର ରଂଜିତ ଉଚ୍ଚ ରକ୍ତଚାପ ତଥା ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ଆକସ୍ମିକ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ସଂଦେହ କରାଯାଉଛି । ପୋର୍ଟମର୍ଟମ୍‌ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସଠିକ୍‌ ଜଣାପଡ଼ିବ ବୋଲି କୁହାଯାଇଛି । ତେବେ ରେଡ୍‌କ୍ରସ୍‌ ଓ ପୌର କର୍ମଚାରୀଙ୍କ ପକ୍ଷରୁ ମୃତ ରଂଜିତଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ ବୋଲି ଇଓ ଶ୍ରୀ ଦୀପ କହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.