centurian jitm

ଅଜିତ‌ଙ୍କ ବିୟୋଗରେ କଂଗ୍ରେସ ପକ୍ଷରୁ ଶୋକସଭା

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ପିପିଲି ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କ ଅକାଳ ବିୟୋଗ ପାଇଁ ଡେଲାଙ୍ଗ ବ୍ଲକ୍‌ କଂଗ୍ରେସ କମିଟି ପକ୍ଷରୁ ଦିବଂଗତ ନେତାଙ୍କ ଆଙ୍କୋଇ ସ୍ଥିତ ବାସଭବନରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ୍‌ କଂଗ୍ରେସ କମିଟି ସଭାପତି ରବୀନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ନିର୍ମଳ ପରିଡ଼ା, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଂପାଦକ ଜ୍ଞାନ ରଞ୍ଜନ ପଟ୍ଟନାୟକ, ଗଡ଼ମୋଟରୀ ପଞ୍ଚାୟତ ପୂର୍ବତନ ସରପଞ୍ଚ ବିପିନି ବିହାରୀ ବଳବନ୍ତରାୟ, ଯୁବ କଂଗ୍ରେସ ନେତା ବିଶ୍ୱରଞ୍ଜନ ବଳବନ୍ତରାୟ, ପୂର୍ବତନ ବ୍ଲକ୍‌ କଂଗ୍ରେସ କମିଟି ସଭାପତି ଦେବପ୍ରସାଦ ରାଉତରାୟ, ରାଜେନ୍ଦ୍ର ଦାଶ, ଉମାବଲ୍ଲଭ ମଙ୍ଗରାଜ, ଲକ୍ଷ୍ମୀଧର ପ୍ରଧାନ, ପ୍ରହଲ୍ଲାଦ ପ୍ରଧାନ ପ୍ରମୁଖ ଯୋଗ ଦେଇ ଡେଲାଙ୍ଗ ମାଟିର ପୁଅ ଦିବଂଗତ କଂଗ୍ରେସ ନେତା ଅଜିତ୍‌ଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଅଜିତ୍‌ଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଅଜିତ୍‌ଙ୍କ ମୃତ୍ୟୁରେ ଡେଲାଙ୍ଗ ତଥା କଂଗ୍ରେସ ଦଳ ଜଣେ ଲୋକପ୍ରିୟ ସଂଗଠକ ତଥା ଦରଦୀ ଯୁବ ନେତାଙ୍କୁ ହରାଇଲା ବୋଲି ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ଅଜିତ୍‌ ଏକାଧାରାରେ ଜଣେ ସରଳ, ନିଷ୍କପଟ, ଅମାୟିକ, ପରୋପକାରୀ, ବନ୍ଧୁବତ୍ସଳ, ସୁସଂଗଠକ ଓ ଉଦାର ହୃଦୟର ବ୍ୟକ୍ତିତ୍ୱ ଥିଲେ ବୋଲି ତାଙ୍କ ଶୁଭେଚ୍ଛୁମାନେ କହିଥିଲେ । ଅଞ୍ଚଳର ଅନେକ ଲୋକଙ୍କୁ ଅସମୟରେ ସହଯୋଗର ହାତ ବଢ଼ାଇ ସେ ଜଣେ ଉଦାର ହୃଦୟର ବ୍ୟକ୍ତିତ୍ୱ ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ ବୋଲି ତାଙ୍କ ଶୁଭେଚ୍ଛୁମାନେ କହିଥିଲେ । ସେ ସବୁବେଳେ ନିଜକୁ ଜଣେ ସୈନିକ ବୋଲି କହୁଥିବା ବେଳେ ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ସେ ଲୋକଙ୍କ ପାଖରେ ପହ‌ଞ୍ଚି ସହାୟତା କରିବା ସହ ସମବେଦନା ଜଣାଇବା ତାଙ୍କ ଉଦାର ହୃଦୟର ପରିଚୟ ବୋଲି ଶୋକସଭାରେ ସ୍ମୃତିଚାରଣ କରାଯାଇଥିଲା । ତାଙ୍କ ଅମର ଆତ୍ମାର ସଦ୍‌ଗତି ହେବା ନିମନ୍ତେ ଉପସ୍ଥିତ ଶତାଧିକ କଂଗ୍ରେସକର୍ମୀ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ସହ ଏହି ଦୁଃସମୟରେ ଭଗବାନ ତାଙ୍କ ପରିବାରକୁ ଶକ୍ତି ଓ ଧୈର୍ୟ୍ୟ ଦିଅନ୍ତୁ ବୋଲି ସମସ୍ତେ କାମନା କରିଥିଲେ । ସେହିପରି ବ୍ଲକ୍‌ କଂଗ୍ରେସ କମିଟି ପକ୍ଷରୁ ସଭାପତି ରବୀନ୍ଦ୍ର ଦାସ, ନିର୍ମଳ ପରିଡ଼ା, ଜ୍ଞାନରଞ୍ଜନ ପଟ୍ଟନାୟକ, ରାଜେନ୍ଦ୍ର ଦାଶ ଓ ଦେବପ୍ରସାଦ ରାଉତରାୟ ପ୍ରମୁଖ ଡେଲାଙ୍ଗ ହାଟ ବଜାରସ୍ଥିତ ସରକାରୀ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ବାଇଆ ବଜାର ପର୍ୟ୍ୟନ୍ତ ଏକ କ୍ୟାଣ୍ଡେଲ ରାଲିରେ ବାହାରି ବଜାର ପରିକ୍ରମା କରିବା ସହ ଅଜିତ୍‌ ମଙ୍ଗରାଜ ଅମର ରହେ ସ୍ଳୋଗାନ ଦେଇ ଦିବଂଗତ ନେତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।

Leave A Reply

Your email address will not be published.