jayashree

ଢାବା ଓ ବେଆଇନ ମଦ ବିକ୍ରି କେନ୍ଦ୍ରରେ ପୁଲିସର ଚଢ଼ାଉ : ଦୁଇ ଅଭିଯୁକ୍ତ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ପୁଲିସ ପକ୍ଷରୁ ବେଆଇନ ମଦ ବିକ୍ରି ଓ ମହଜୁଦ ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ଶନିବାର ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୁଲିସ ସୂଚନା ଅନୁଯାୟୀ, ପାଇକମାଲ ଥାନା ଅଧୀନ ଗୌରଜୁରୀ ସ୍ଥିତ ଏକ ଫ୍ୟାମିଲି ଢାବା ଉପରେ ଅଚାନକ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଢାବାରୁ ୩୦ ବୋତଲ ବିଦେଶୀ ମଦ (ଏଫ୍‌ଏଲ୍‌) ଜବତ କରାଯାଇଥିଲା । ଜବତ ମଦର ପରିମାଣ ୧୭ ଲିଟର ୨୬୫ ମିଲିଲିଟର ଥିବା ଜଣାପଡ଼ିଛି । ଘଟଣାରେ ଢାବାର ମାଲିକ କେର୍ମେଲାବାହାଲ ଗ୍ରାମର କିଶୋର ବାଗ (୩୦)ଙ୍କୁ ପୁଲିସ ଗିରଫ କରିଛି । ତାଙ୍କ ବିରୋଧରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ସେହିପରି ଅନ୍ୟ ଏକ ଘଟଣାରେ ପୁଲିସ ମୁଣ୍ଡେଲା ଗ୍ରାମରେ ବେଆଇନ ମଦ ବିକ୍ରି ହେଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲା । ଚଢାଉ ବେଳେ ସେଠାରୁ ୬ ଲିଟର ୬୦୦ ମିଲିଲିଟର ଓଡ଼ିଶା ସ୍ପେଶାଲ୍ (ଓଏସ୍) ମଦ ଜବତ କରାଯାଇଥିଲା । ଏଥିସହ ମଦ ବିକ୍ରିରୁ ସଂଗୃହୀତ ୯,୯୦୦ ଟଙ୍କା ନଗଦ ଅର୍ଥ ମଧ୍ୟ ଜବତ କରାଯାଇଛି । ଏହି ଘଟଣାରେ ମୁଣ୍ଡେଲା ଗ୍ରାମର ଜୟଦେବ ବାଗ (୩୮)ଙ୍କୁ ପୁଲିସ ଗିରଫ କରିଛି । ଏନେଇ ପାଇକମାଲ ଥାନାରେ କେସ୍ ନଂ ୧୧୨/୨୬ ଏବଂ ୧୧୩/୨୬ ରୁଜୁ କରାଯାଇଛି । ଉଭୟ ଘଟଣାରେ ଜବତ ସାମଗ୍ରୀକୁ ଥାନାକୁ ଅଣା ଯାଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.