mahavir

ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ : ବିଜ୍ଞାନ ଶିକ୍ଷକ ଗିରଫ, କୋର୍ଟ ଚାଲାଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଶିକ୍ଷାରେ କଳଙ୍କ । ପବିତ୍ର ଗୁରୁ-ଶିଷ୍ୟ ସମ୍ପର୍କରେ ଚୁନ ଲଗାଇ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ଜଣେ ମଦ୍ୟପ ବିଜ୍ଞାନ ଶିକ୍ଷକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଶିକ୍ଷକ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପାଟପୁରପାଟଣା ଗ୍ରାମର ଜିତେନ୍ଦ୍ର ମଳିକ (୪୬) । ସୂଚନା ଅନୁସାରେ, ଅଭିଯୁକ୍ତ ଜିତେନ୍ଦ୍ର ଟିକାବାଲି ଥାନା ଅନ୍ତର୍ଗତ ପିକରଡ଼ି ସ୍ଥିତ ବ୍ଲକ ଗ୍ରାଣ୍ଡ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ପୂର୍ବରୁ ସେ ସ୍କୁଲ ହଷ୍ଟେଲରେ ରହିବା ସମୟରେ ମଦ୍ୟପାନ କରି ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି କରି ସ୍କୁଲ କମିଟି, ଶିକ୍ଷକ ଓ ଅଭିଭାବକଙ୍କ ନିଷ୍ପତ୍ତି କ୍ରମେ ତାଙ୍କୁ ହଷ୍ଟେଲରୁ ବାହାର କରି ଦିଆଯାଇଥିଲା । ତଥାପି ସେ ପିକରଡ଼ି ଗ୍ରାମରେ ରହି ସ୍କୁଲକୁ ଯାଉଥିଲେ । ତେବେ ଗ୍ରାମରେ ରହିବା ସମୟରେ ସେ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିଥିବା ନେଇ ଛାତ୍ରୀଙ୍କ ମାଆ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗମ୍ଭୀରତାର ସହ ନେଇ ଟିକାବାଲି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିକ୍ଷକଙ୍କୁ କାବୁ କରିଥିଲା । ଏନେଇ ଟିକାବାଲି ଥାନାରେ କେସ୍ ନମ୍ବର ୮୦/୨୬ରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତର ଡାକ୍ତରୀ ମାଇନା କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଟିକାବାଲି ଥାନା ଅଧିକାରୀ ସମୀର କୁମାର ବେହେରା ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ ଶିକ୍ଷକଙ୍କ ଏଭଳି ଅମାନୁଷିକ କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯିବା ସହ, ବାହାର ଜିଲ୍ଲାରୁ ଆସି ଏଠାରେ ରହୁଥିବା କିଛି ବ୍ୟକ୍ତିଙ୍କ ଅପରାଧିକ ଗତିବିଧିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତଥା ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.