
ବଲାଙ୍ଗିର, (କେପିଏନ୍ଏସ୍) : ଦୀର୍ଘ ବର୍ଷର ସଫଳ ଓ କର୍ମମୟ ଚାକିରୀ ଜୀବନର ଅବସାନ ଘଟାଇ ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ ଗତ ମେ ୩୧ ତାରିଖରେ ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କ ଅବସର ସହିତ ବଲାଙ୍ଗିର ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏକ ଉଜ୍ଜ୍ୱଳ ଅଧ୍ୟାୟର ପରିସମାପ୍ତି ଘଟିଛି । ଜଣେ ଦକ୍ଷ ଶିକ୍ଷକ, ବିଜ୍ଞାନ ପ୍ରଚାରକ, ସଫଳ ପ୍ରଶାସକ ଓ ଦାୟିତ୍ୱବାନ ଅଧିକାରୀ ଭାବେ ସେ ସବୁବେଳେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଶ୍ରୀ ପଟେଲ ନିଜର ଶିକ୍ଷକତା ଜୀବନ ନିଧି ସାଗର ଉଚ୍ଚ ବିଦ୍ୟାପୀଠ, ବୁବେଲ ଠାରୁ ଆରମ୍ଭ କରିଥିଲେ । ବିଜ୍ଞାନ ଶିକ୍ଷକ ଭାବେ ସେ କେବଳ ଶ୍ରେଣୀଗୃହ ମଧ୍ୟରେ ପାଠଦାନରେ ସୀମିତ ରହିନଥିଲେ, ବରଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା, ବିଜ୍ଞାନମନସ୍କତା ଓ ନୈତିକ ମୂଲ୍ୟବୋଧର ବିକାଶ ପାଇଁ ନିରନ୍ତର ପ୍ରୟାସ କରିଥିଲେ । ତାଙ୍କର କର୍ମନିଷ୍ଠା ଓ ଶିକ୍ଷା ପ୍ରତି ଅଙ୍ଗୀକାର ତାଙ୍କୁ ଶିକ୍ଷକ ମହଲ ଏବଂ ଛାତ୍ରଛାତ୍ରୀଙ୍କ ନିକଟରେ ପ୍ରିୟ କରିଥିଲା । ପରବର୍ତ୍ତୀ ସମୟରେ ସେ ଲୋଇସିଂହା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ କୁସଙ୍ଗକୁ ବଦଳି ହୋଇ ଯାଇଥିଲେ । ସେଠାରେ ମଧ୍ୟ ନିଜର ଦକ୍ଷତା, ପରିଶ୍ରମ ଓ ସମର୍ପଣ ମାଧ୍ୟମରେ ବିଦ୍ୟାଳୟର ଶିକ୍ଷାଗତ ପରିବେଶକୁ ଆହୁରି ସୁଦୃଢ କରିଥିଲେ । ବିଶେଷ କରି ବିଜ୍ଞାନ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚେତନା ଜାଗ୍ରତ କରିବାର ପ୍ରୟାସ ସବୁଠାରେ ପ୍ରଶଂସିତ ହୋଇଥିଲା।ତାଙ୍କର ଦକ୍ଷତାକୁ ସ୍ୱୀକୃତି ଦେଇ ପରେ ତାଙ୍କୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ଭାବେ ଦାୟିତ୍ୱ ଦିଆଯାଇଥିଲା । ଏହି ପଦରେ ରହି ସେ ବଲାଙ୍ଗିର ଜିଲ୍ଲାରେ ବିଜ୍ଞାନ ଶିକ୍ଷାର ପ୍ରସାର ଓ ବିକାଶ ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିଲେ । ବିଭିନ୍ନ ବିଜ୍ଞାନ ପ୍ରଦର୍ଶନୀ, ପ୍ରଶିକ୍ଷଣ ଶିବିର, ବିଜ୍ଞାନ ମେଳା ଓ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସେ ଜିଲ୍ଲାରେ ବିଜ୍ଞାନ ଚର୍ଚ୍ଚାକୁ ଏକ ନୂତନ ଦିଗ ଦେଇଥିଲେ । ତାଙ୍କ ପ୍ରଚେଷ୍ଟାରେ ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ରାଜ୍ୟ ଓ ଜାତୀୟ ସ୍ତରର ବିଜ୍ଞାନ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇଥିଲେ ଓ ଜିଲ୍ଲା ପାଇଁ ଗୌରବ ଆଣିଥିଲେ । ଏହା ସହ ଜୁନିଅର ରେଡକ୍ରସ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରି ସେ ଅନେକ ଜନହିତକର ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ । ତାଙ୍କ ନେତୃତ୍ୱରେ ଜୁନିଅର ରେଡକ୍ରସର ବିଭିନ୍ନ ସେବାମୂଳକ, ସଚେତନତାଧର୍ମୀ କାର୍ଯ୍ୟକ୍ରମ ଜିଲ୍ଲାରେ ନୂତନ ଦିଗନ୍ତ ସୃଷ୍ଟି କରିଥିଲା । ପରେ ସେ ପୁଇଁତଲା ବ୍ଲକ ଅନ୍ତର୍ଗତ ବିନୋବା ହାଇସ୍କୁଲ ଛତାମଖନାର ପ୍ରଧାନ ଶିକ୍ଷକ ଭାବେ ଯୋଗଦେଇ ବିଦ୍ୟାଳୟର ଶିକ୍ଷାଗତ ଓ ପ୍ରଶାସନିକ ବିକାଶରେ ସଫଳ ନେତୃତ୍ୱ ପ୍ରଦାନ କରିଥିଲେ । ଜଣେ ଦୂରଦର୍ଶୀ ପ୍ରଧାନ ଶିକ୍ଷକ ଭାବେ ସେ ବିଦ୍ୟାଳୟର ଉନ୍ନତି ପାଇଁ ଅନେକ ଗଠନମୂଳକ ପଦକ୍ଷେପ ନେଇଥିଲେ । ଚାକିରୀ ଜୀବନର ଶେଷ ପର୍ଯ୍ୟାୟରେ ସେ ବଲାଙ୍ଗିର ସଦର ବ୍ଲକ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ତୁଳାଇଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଭାବେ ସେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷାର ମାନୋନ୍ନତି, ଶିକ୍ଷକ ମାନଙ୍କ ମଧ୍ୟରେ ସମନ୍ୱୟ ଏବଂ ସରକାରୀ ଯୋଜନାର କାର୍ଯ୍ୟକାରିତା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ତାଙ୍କର ସରଳ ବ୍ୟବହାର, ଦୃଢ଼ ନେତୃତ୍ୱ ଓ ନିଷ୍ଠାପର ସେବା ତାଙ୍କୁ ଶିକ୍ଷକ, ଅଧିକାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମ୍ମାନର ପାତ୍ର କରିଥିଲା । ଅବସର ଉପଲକ୍ଷେ ଆୟୋଜିତ ବିଦାୟୀ ସମାରୋହରେ ଶିକ୍ଷାବିତ, ଅଧିକାରୀ, ସିଆର୍ସିସି ଓ ଶିକ୍ଷକମାନେ ଶ୍ରୀ ପଟେଲଙ୍କ ଅବଦାନକୁ ସ୍ମରଣ କରି ତାଙ୍କ ସୁସ୍ଥ, ସୁଖମୟ ଓ ଦୀର୍ଘାୟୁ ଜୀବନ କାମନା କରିଥିଲେ ।