ସୋହେଲା, (କେପିଏନ୍ଏସ୍) : ସୋହେଲା ବ୍ଲକ କନଗାଁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଦାମ ବାରିକ ଦୀର୍ଘ ୩୪ ବର୍ଷ ଶିକ୍ଷାଦାନ କରି ଆଜି ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ସଭାରେ ଡା ଶିଶିର କୁମାର ସାହୁ ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିଦ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ପୂର୍ବତନ ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ବାରିକ, ପରିଚାଳନା କମିଟିର ସଭାପତି ସୁବୋଧ ପଧାନ, ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ୟାମକୁମାର ବାରିକ, ପ୍ରଧାନ ଶିକ୍ଷକ ଡ଼ୋଲାମଣୀ ସାହୁ ମଞ୍ଚାସୀନ ଥିଲେ । କନଗାଁ ସିଆର୍ସିସି କେଦାରନାଥ ସାହୁଙ୍କ ସଂଯୋଜନାର ଅନୁଷ୍ଠିତ ଏହି ସଭାରେ ଭୂବନେଶ୍ୱର ପ୍ରଧାନ ଅତିଥି ପରିଚୟ ତଥା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦାୟୀ ଭାଷଣ ସହ ବିଦାୟକାଳୀନ ସଂଗୀତ ଗାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ନିରଞ୍ଜନ ସାହୁ, ଚିନ୍ତାମଣୀ ପାତ୍ର, ନିଲମଣୀ ପଧାନ ବିଦାୟୀ ଶିକ୍ଷକଙ୍କ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ନିଜ ବିଦାୟୀ ଅଭିଭାଷଣରେ ଶ୍ରୀ ବାରିକ ଗ୍ରାମବାସୀ, ବିଦ୍ୟାଳୟର ଶିକ୍ଷକ, କର୍ମଚାରୀଙ୍କୁ କୃତଜ୍ଞତା ଜଣାଇ ଆଗାମୀ ସମୟରେ ଶିକ୍ଷାଦାନରେ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ । ପ୍ରକୃତିବନ୍ଧୁ ରାମଚନ୍ଦ୍ର ସାହୁ, ତୁଲାରାମ ମେହେର, ନାରାୟଣ ସାହୁ, ବାଳମୁକୁନ୍ଦ ବାରିକ, ଗଣନାଥ ବାରିକ ନିଜ ବକ୍ତବ୍ୟରେ ଶିକ୍ଷକଙ୍କ ଅବସରକାଳୀନ ସମୟ ସୁଖମୟ ହେଉ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଶିକ୍ଷକ, ପୂର୍ବତନ ଛାତ୍ରଛାତ୍ରୀ, ଭଦ୍ର ବ୍ୟକ୍ତି, ଅଭିଭାବକ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟ ତଥା ଗ୍ରାମବାସୀଙ୍କ ତରଫରୁ ଶିକ୍ଷକଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇ ତାଙ୍କୁ ନଅଗାଁ ତାଙ୍କ ବାସଭବନକୁ ସସମ୍ମାନେ ଛାଡିବାକୁ ଯାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ବତନ ଛାତ୍ରଛାତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।