ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏକାଦଶ ଶ୍ରେଣୀ ନାମଲେଖା ଅବଧି ବଢ଼ିଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ପରାମର୍ଶ କ୍ରମେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନସ୍ଥ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟସୀମା ସେପ୍ଟେମ୍ବର ୨୬ରୁ ୩୦ ତାରିଖକୁ ବର୍ଦ୍ଧିତ କରାଯାଇଛି । ପରିବର୍ଦ୍ଧିତ ଅବଧି ମଧ୍ୟରେ କୋଭିଡ-୧୯ ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଅନୁପାଳନ କରିବା ପାଇଁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏତଦ୍‌ବ୍ୟତୀତ ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାର ଡିଜି ଲକର ସାର୍ଟିଫିକେଟ୍‌କୁ ଏକ ଅଣ୍ଡରଟେକିଂ ସହ ଗ୍ରହଣ କରିବା ପାଇଁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଚାଲିଥିବା ନାମଲେଖା ପ୍ରକ୍ରିୟାକୁ ତନଖି କରିବା ପାଇଁ ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟରରେ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.