csstore

୩୦ ବର୍ଷ ତଳର ଫେରାର ଆସାମୀ ଗିରଫ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ପୋଲିସ ୩୦ ବର୍ଷ ତଳର ଜଣେ ଫେରାର ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଲୋଇସିଂହା ଥାନା ସାଲେଭଟା ଠାରେ ଗତ ୧୯୮୫ ମସିହାରେ ଏକ ରାଜନୈତିକ ହତ୍ୟାକାଣ୍ଡ ଘଟିଥିଲା । ସେତେବେଳେ ପୋଲିସ ଏ ନେଇ ଏକ ହତ୍ୟା ମାମଲା (କେସ ନଂ-୬୪/୮୫ ୟୁଏସ୍‌, ଏନ୍‌ ବିଡବ୍‌ବ୍ଲ୍ୟୂ /୩୦୨/୪୩୬/୩୪/ଆଇପିସି) ରୁଜୁ କରି ତଦନ୍ତ କରୁଥିଲା । ପରେ ସାଲେଭଟା ଫାଣ୍ଡି ଅଧିନ ଲୁହୁରାମୁଣ୍ଡା ଗ୍ରାମର କଙ୍ଗାଲୁ ବାରିକଙ୍କ ପୁଅ କାଳିକର(ବର୍ତ୍ତମାନ ବୟସ-୫୮) କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜିଲ୍ଲା ସେସନ୍ସ କୋର୍ଟ କାଳିକରକୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ । ତେବେ କାଳିକର କୌଶଳ କ୍ରମେ କୋର୍ଟ ପରିସରରୁ ୧୯୯୨ ମସିହାରେ ଫେରାର ହୋଇଯିବାରେ ସକ୍ଷମ ହେବା ସହିତ ଦୀର୍ଘ ଦିନ ଧରି ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଥିଲା । କାଲିକର ଗ୍ରାମକୁ ଆସିଥିବା ନେଇ ଅତି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲୋଇସିଂହା ପୋଲିସ ଆଜି ତାର ଲୁହୁରାମୁଣ୍ଡା ସ୍ଥିତ ଘରେ ଚଢ଼ାଉ କରି ତାକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ରମାକାନ୍ତ ଜେନା ସୂଚନା ଦେଇଛନ୍ତି । ଦୀର୍ଘ ୩୦ ବର୍ଷ ପରେ ଜଣେ ହତ୍ୟା ଅଭିଯୁକ୍ତ ଫେରାର ଆସାମୀ ଗିରଫ ହେବା ଘଟଣା ପୋଲିସର ବଡ଼ ଉପଲବ୍ଧି ବୋଲି କୁହାଯାଉଛି ।

jayashree
Leave A Reply

Your email address will not be published.