pakka

କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବସାଧାରଣଙ୍କ ନିମନ୍ତେ ‘ଭାରତ ରାଇସ’ ବ୍ରାଣ୍ଡ ଚାଉଳ ବିକ୍ରି ଆରମ୍ଭ

bbehera
  • ଏହି ଚାଉଳର ମୂଲ୍ୟ କିଲୋ ପିଛା ୨୯ ଟଙ୍କା ଧାର୍ଯ୍ୟ ହୋଇଛି ଏବଂ ଏହା ପାଞ୍ଚ ଓ ୧୦ କିଲୋଗ୍ରାମ ବିଶିଷ୍ଟ ପ୍ୟାକେଟରେ ଉପଲବ୍ଧ
  • କେନ୍ଦ୍ରୀୟ ଭଣ୍ଡାର, ନାଫେଡ୍ ଓ ଏନ୍‌ସିସିଏଫ୍‌ର ବିକ୍ରୟ କେନ୍ଦ୍ରରେ ଏହି ଚାଉଳ ବିକ୍ରିର ବ୍ୟବସ୍ଥା କରାଯାଇଛି
  • ଏସବୁ ସଂସ୍ଥାର ଭ୍ରାମ୍ୟମାଣ କେନ୍ଦ୍ରରୁ ମଧ୍ୟ ଲୋକେ ଏହି ଚାଉଳ ସରକାରୀ ଧାର୍ଯ୍ୟ ମୂଲ୍ୟରେ କିଣି ପାରିବେ
  • ‘ଭାରତ ବ୍ରାଣ୍ଡ’ର ଏହି ଚାଉଳ ବିକ୍ରିର ଶୁଭାରମ୍ଭ କଲେ କେନ୍ଦ୍ର ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋୟଲ, ପ୍ରଥମେ ୧୦୦ ମୋବାଇଲ ଭ୍ୟାନ ମାଧ୍ୟମରେ ଚାଉଳ ବିକ୍ରି ଆରମ୍ଭ
  • ଭାରତ ସରକାର କୃଷକଙ୍କ କଲ୍ୟାଣ ପାଇଁ ଅଙ୍ଗୀକାରବଦ୍ଧ : ପୀୟୂଷ ଗୋୟଲ
  • ପ୍ରଧାନମନ୍ତ୍ରୀ ସବୁ ବର୍ଗର ଲୋକଙ୍କ ଆବଶ୍ୟକତା ପ୍ରତି ସମ୍ବେଦନଶୀଳ, ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଉପରେ ତାଙ୍କର ନଜର ନିରନ୍ତର ରହିଛି : ଶ୍ରୀ ଗୋୟଲ
  • ସରକାର ଯୋଗାଣ ଓ ଚାହିଦା ବ୍ୟବସ୍ଥାକୁ ସ୍ୱାଭାବିକ କରିବାକୁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି,
  • ଚାଷୀଙ୍କଠାରୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ କିଣି ଖାଉଟିଙ୍କୁ ଆବଶ୍ୟକ ସ୍ଥଳେ ରିହାତି ମୂଲ୍ୟରେ ଯୋଗାଇ ଦେଉଛନ୍ତି : ମନ୍ତ୍ରୀ ଶ୍ରୀ ଗୋୟଲ
  • କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତ ରାଇସ୍‌, ଭାରତ ଅଟା, ଭାରତ ଡାଲି ଏବଂ ଟମାଟୋ, ପିଆଜ, ଚିନି ଓ ଖାଇବା ତେଲ ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଭାରତ ବ୍ରାଣ୍ଡରେ ଯୋଗାଇ ଦିଆଯାଉଛି

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ “ଭାରତ ବ୍ରାଣ୍ଡ” ଚାଉଳ ବିକ୍ରିର ଶୁଭାରମ୍ଭ କରିଛନ୍ତି । ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୦୦ ମୋବାଇଲ ଭ୍ୟାନରେ ଏହି ସରକାରୀ ଚାଉଳ ବିକ୍ରୟ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଭାରତ ବ୍ରାଣ୍ଡର ଏହି ଚାଉଳ କେଜି ପିଛା ମୂଲ୍ୟ ୨୯ ଟଙ୍କା ଧାର୍ଯ୍ୟ କରାଯାଇଛି ଏବଂ ଏହା ପାଞ୍ଚ ଓ ୧୦ କିଲୋଗ୍ରାମ ବିଶିଷ୍ଟ ପ୍ୟାକେଜରେ ଖାଉଟିଙ୍କ ପାଇଁ ଉପଲବ୍ଧ ହେଉଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନତା, ବିଶେଷକରି ସବୁ ବର୍ଗର ଖାଉଟିଙ୍କ ଆବଶ୍ୟକତା ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ । ତାଙ୍କର ସତର୍କ ଦୃଷ୍ଟି ବଜାର ଦର ଉପରେ ରହିଛି ଏବଂ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ସରକାର ସବୁମନ୍ତେ ଉଦ୍ୟମ କରୁଛନ୍ତି । ସେ ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର କୃଷକ ଓ ଜନତାଙ୍କ କଲ୍ୟାଣ ପ୍ରତି ଅଙ୍ଗୀକୃତ । କେନ୍ଦ୍ର ସରକାର ଚାଷୀଙ୍କଠାରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ତାହାକୁ ଖାଉଟିଙ୍କୁ ଆବଶ୍ୟକ ସ୍ଥଳେ ରିହାତି ମୂଲ୍ୟରେ ଯୋଗାଇ ଦେଉଛନ୍ତି । କେନ୍ଦ୍ର ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ ‘ଭାରତ ରାଇସ’ ବ୍ରାଣ୍ଡ ଚାଉଳର ଖୁଚୁରା ବିକ୍ରି ଫଳରେ ବଜାରରେ ଚାଉଳ ଯୋଗାଣ ବଢିବ ଏବଂ ଚାଉଳ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହେବ । ଖାଉଟିଙ୍କ କଲ୍ୟାଣ ପାଇଁ ଏହା ଭାରତ ସରକାରଙ୍କର ଆଉ ଏକ ପଦକ୍ଷେପ । ସେ କହିଛନ୍ତି ଯେ ଏହି ଭାରତ ବ୍ରାଣ୍ଡର ଚାଉଳ ଦେଶର ସବୁ କେନ୍ଦ୍ରୀୟ ଭଣ୍ଡାର, ନାଫେଡ, ଜାତୀୟ ସମବାୟ ଖାଉଟି ମହାସଂଘ (ଏନ୍‌ସିସିଏଫ୍)ର ସବୁ ଶାଖା ତଥା ଏସବୁର ଭ୍ରାମ୍ୟମାଣ ଯାନରୁ ଖାଉଟିଙ୍କୁ ବିକ୍ରି ପାଇଁ ଆଣିବାକୁ ଉପଲବ୍ଧ ହୋଇଛି । ଏହି ଚାଉଳ ମଧ୍ୟ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ । ପାଞ୍ଚ ଓ ୧୦କି.ଗ୍ରା ବିଶିଷ୍ଟ ପ୍ୟାକେଟରେ କିଲୋପିଛା ସର୍ବାଧିକ ୨୯ଟଙ୍କା ମୂଲ୍ୟରେ ଏହି ଚାଉଳ ବିକ୍ରି ପାଇଁ ଉପଲବ୍ଧ । ଏବେ ଭାରତ ବ୍ରାଣ୍ଡରେ ଅଟା ଉପଲବ୍ଧ ହେଉଛି । ତିନିଟି କେନ୍ଦ୍ରୀୟ ସଂସ୍ଥା, କେନ୍ଦ୍ରୀୟ ଭଣ୍ଡାର, ନାଫେଡ ଓ ଏନ୍‌ସିସିଏଫ୍ ମାଧ୍ୟମରେ ଏହି ଭାରତ ଅଟା କିଲୋପିଛା ୨୭ ଟଙ୍କା ୫୦ ପଇସା ମୂଲ୍ୟରେ ଖାଉଟିଙ୍କୁ ପାଞ୍ଚ ଓ ୧୦ କିଲୋଗ୍ରା ଓଜନ ବିଶିଷ୍ଟ ପ୍ୟାକେଟରେ ଯୋଗାଇ ଦିଆଯାଉଛି । ମୋବାଇଲ ଭ୍ୟାନ ଯୋଗେ ଏହି ଅଟା ମଧ୍ୟ ହାଟ ବଜାରରେ ବିକ୍ରି ହେଉଛି । ଇ-ପ୍ଲାଟଫର୍ମରୁ ମଧ୍ୟ ଏହା କିଣିବାକୁ ମିଳୁଛି । ସେହିଭଳି ଭାରତ ଡାଲି (ଚଣା ଡାଲି) ଏସବୁ ସଂସ୍ଥା ମାଧ୍ୟମରେ ଏକ କିଲୋ ପ୍ୟାକେଟ ପିଛା ୬୦ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି । ତେବେ ୩୦କିଲୋଗ୍ରାମ ବିଶିଷ୍ଟ ପ୍ୟାକେଟ ପାଇଁ ଡାଲିର ମୂଲ୍ୟ କିଲୋ ପିଛା ୫୫ଟଙ୍କା ଧାର୍ଯ୍ୟ କରାଯାଇଛି । ଭାରତ ବ୍ରାଣ୍ଡରେ ସରକାର ଉପରୋକ୍ତ ବ୍ୟବସ୍ଥାରେ କିଲୋ ପିଛା ୨୫ଟଙ୍କା ମୂଲ୍ୟରେ ପିଆଜ ବିକ୍ରି ବ୍ୟବସ୍ଥା କରିଛନ୍ତି । ସବୁ କେନ୍ଦ୍ରୀୟ ବିପଣନକାରୀ ସଂସ୍ଥା ବାହାରେ ତେଲଙ୍ଗାନା, ମହାରାଷ୍ଟ୍ର ଓ ଗୁଜରାଟର ପ୍ରାଦେଶିକ ସରକାରୀ ସମବାୟ ସଂସ୍ଥାମାନେ ଭାରତ ଡାଲି ବିକ୍ରିରେ ସାମିଲ ହୋଇଛନ୍ତି । ଏବେ ଭାରତ ରାଇସ ବିକ୍ରିର ଶୁଭାରମ୍ଭ ହେବା ଫଳରେ ଖାଉଟି ଉଚିତ ମୂଲ୍ୟରେ ଚାଉଳ, ଅଟା, ଡାଲି, ପିଆଜ, ଟମାଟୋ ଆଦି ସରକାରୀ ବିକ୍ରି କେନ୍ଦ୍ରରୁ ସୁବିଧାରେ ପାଇପାରିବେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଚାଷୀ, ସାଧାରଣ ଖାଉଟି ବର୍ଗର ୮୦କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ କିମ୍ବା ନାମକୁ ମାତ୍ର ମୂଲ୍ୟରେ ଖାଦ୍ୟଶସ୍ୟ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି । ଏହି ହିତାଧିକାରୀଙ୍କ ମଧ୍ୟରେ ଅଛନ୍ତି ଅଙ୍ଗନୱାଡି ଓ ସ୍କୁଲର ପିଲାମାନେ ତଥା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଏବଂ କିଶୋରୀ । କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ ଚାଷୀଙ୍କାଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣୁଛନ୍ତି । ଏହା ଫଳରେ ଚାଷୀ ଲାଭଜନକ ମୂଲ୍ୟ ପାଉଛନ୍ତି । ସେସବୁ ଖାଦ୍ୟଶସ୍ୟକୁ ସରକାର ଆବଶ୍ୟକ ସ୍ଥଳେ ରିହାତିରେ ଏବଂ ଗରିବ କଲ୍ୟାଣ ଯୋଜନାରେ ମାଗଣରେ ଲୋକଙ୍କୁ ଯୋଗାଇ ଦେଉଛନ୍ତି । ଭାରତରେ ଏବେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ହିତାଧିକାରୀଙ୍କ ସଂଖ୍ୟା ୮୦.୭ କୋଟି । ଏମାନେ ୨୦୨୮ ଡିସେମ୍ବର ୩୧ ଯାଏ ଏହି ମାଗଣା ଖାଦ୍ୟଶସ୍ୟ ପାଇବେ । ଏହା ବିଶ୍ୱର ସର୍ବବୃହତ୍ ଖାଦ୍ୟ ଓ ପୁଷ୍ଟିସାଧନ ନିରାପତ୍ତା କାର୍ଯ୍ୟକ୍ରମ । ଖାଉଟିଙ୍କୁ ମହଙ୍ଗାରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ନାନାବିଧ ପଦକ୍ଷେପ ନେଉଛନ୍ତି । ଚାଉଳ ଓ ଗହମ ରପ୍ତାନୀ ଉପରେ କଟକଣା ଜାରି କରାଯାଇଥିବା ବେଳେ ଘରୋଇ ବଜାରରେ ତାହାର ଉପଲବ୍ଧତା ବଢାଇବାକୁ ପଦକ୍ଷେପ ନିଆଯାଇଛି । ଚାଉଳ ବିକ୍ରେତା ଓ ମିଲରଙ୍କ ପାଇଁ ଷ୍ଟକ ପରିମାଣ ପ୍ରଦର୍ଶନ କରିବା ବାଧ୍ୟତାମୂଳକ ହୋଇଛି । ଖାଇବା ତେଲ, ଡାଲିର ଅଭାବ ଦୂର କରିବାକୁ ଏହାର ଆମଦାନୀ ଶୁଳ୍‌କ୍‌କୁ ଯଥେଷ୍ଟ କମ୍ କରାଯାଇଛି । ସେହିଭଳି ଚିନି ମୂଲ୍ୟ ଉପରେ ମଧ୍ୟ ସରକାର ନିୟନ୍ତ୍ରଣ ରଖିଛନ୍ତି । ଆନ୍ତର୍ଜାତିକ ବଜାରରେ ଖାଇବା ତେଲ ଓ ଡାଲିର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ସରକାର ତାହାକୁ ଆମଦାନୀ କରି ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । କଳାବଜାରି ଓ କୃତ୍ରିମ ଅଭାବକୁ ରୋକିବାକୁ ରାଜ୍ୟ ସରକାରମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଯେପରି ନ ରହେ ସେଥିପାଇଁ ବଫର ଷ୍ଟକକୁ ବଢାଯାଇଛି । ଟମାଟୋ, ଡାଲି, ପିଆଜ, ତେଲ, ଚିନି, ଅଟା ଓ ଗହମଠାରୁ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ ଓ ଯୋଗାଣକୁ ସରକାର ସୁସଂହତ କରିଛନ୍ତି ।

jay balangir
Leave A Reply

Your email address will not be published.

two × two =