ବିଶୁଦ୍ଧ ପାଣି ମୁନ୍ଦେ ପାଇଁ ଜଳିଆବାହାଲ ଗ୍ରାମବାସୀ ହନ୍ତସନ୍ତ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ଜଲିଆବାହାଲ ଗ୍ରାମରେ ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ଲୋକଙ୍କୁ ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ମିଳି ପାରୁନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଜଳିଆବାହାଲ ଗ୍ରାମରେ ୧୦୦ ଘର ପାଖାପାଖି ଆଦିବାସୀ, ୨୦ ଘର ପାଖାପାଖି ହରିଜନ ଏବଂ ୧୫ ଘର ପାଖାପାଖି ଓବିଶି ସମ୍ପ୍ରଦାୟର ଲୋକ ରହୁଛନ୍ତି । ସୂଚନା ଅନୁଯାୟୀ ଏମାନଙ୍କୁ ଏବେବି ମିଳୁନି ବିଶୁଦ୍ଧ ପାନୀୟ ଜଳ, ଯାହାବି ଥିଲା ସରକାରଙ୍କ ଯୋଜନା ମୁତାବକ ଗତ ୨୦ ବର୍ଷ ପୂର୍ବେ ନଳକୂଅ ସଂଯୋଗ କରାଯାଇଥିଲା । ବର୍ତ୍ତମାନ ସେହି ନଳକୂଅରୁ ମଇଳା ପାଣି ବାହାରୁଛି ଯାହାକି ବ୍ୟବହାର ପାଇଁ ଅଯୋଗ୍ୟ । ତେଣୁ ସେହି ନଳକୂଅରୁ ପାଣି ବ୍ୟବହାର କରିବା ପାଇଁ ଗାଁର ସମସ୍ତେ ଭୟ କରୁଛନ୍ତି । ନଳକୂଅ ବ୍ୟବହାରଯୋଗୀ ନ ହେବାରୁ ଗାଁର ଅଧାଲୋକ ପାଖରେ ଥିବା ଏକ ପୁରୁଣା କୂଅରୁ ପାଣି ବ୍ୟବହାର କରୁଛନ୍ତି । ଯାହାକି ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଦେବା ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି, ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ସେମାନଙ୍କ ଆଶା, ଆଶାରେ ରହିଯାଇଛି ବୋଲି ମତ ପ୍ରକାଶ ପାଇଛି । ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଏହି ଗାଁ ଅଛି କିନ୍ତୁ ପ୍ରଶାସନର ଦୃଷ୍ଟି ନ ପଡ଼ିବା ଏହା ନିନ୍ଦନୀୟ ଘଟଣା ବୋଲି ମତ ପ୍ରକାଶ ପାଉଛି । ଗ୍ରାମର ଜଣେ ବୃଦ୍ଧଙ୍କ କହିବା ଅନୁଯାୟୀ ରାଜନେତାଙ୍କ କଥା ନ କହିବା ଭଲ, ଭୋଟ ସମୟରେ ଆସି ବିଭିନ୍ନ ପ୍ରତିଶ୍ରୁତି ଦେଇଥାନ୍ତି କିନ୍ତୁ ଭୋଟରେ ଜିତିଗଲେ ପାଞ୍ଚ ବର୍ଷ ଦେଖାଦିଅନ୍ତି ନାହିଁ । ତାଙ୍କର ପ୍ରତିଶ୍ରୁତି, ପ୍ରତିଶ୍ରୁତିରେ ହିଁ ରହି ଯାଇଥାଏ । ଗ୍ରାମବାସୀଙ୍କ କହିବାନୁସାରେ ଗ୍ରାମ ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି ପ୍ରକୃତରେ କେବେ ହେବ ପଡ଼ାବାସୀଙ୍କ ସମସ୍ୟାର ସମାଧାନ । ଦେଖିବାକୁ ବାକି ରହିଲା ତାଙ୍କୁ କେବେ ମିଳିବ ପିଇବା ପାଇଁ ବିଶୁଦ୍ଧ ପାଣି । 

Leave A Reply

Your email address will not be published.

error: Content is protected !!