ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର କର୍ମଚାରୀ, ତୋଲାଲି, ବନ୍ଧାଳୀମାନଙ୍କ ବୋନସ, ପ୍ରୋତ୍ସାହନ ଭତ୍ତା, ମଜୁରୀ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ପ୍ରଦାନ କରିବା ପାଇଁ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କରାଯାଇଥିଲା । କେନ୍ଦୁପତ୍ର ସଂସ୍ଥା ଏକ ଲାଭ ଜନକ ପ୍ରତିଷ୍ଠାନ ହୋଇଥିବାରୁ ଓଡିଶା ସରକାର କେନ୍ଦୁପତ୍ର ବିଭାଗରେ କାର୍ଯ୍ୟରତ ଏବଂ ଅନ୍ୟ କାର୍ଯ୍ୟରେ ସମ୍ପୃକ୍ତ ଥିବା ଶ୍ରମିକ, କର୍ମଚାରୀ, ତୋଳାଳୀ, ବନ୍ଧାଳୀମାନଙ୍କ ବୋନସ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ସେଥିମଧ୍ୟରୁ କେରି ପ୍ରତି ୨୦ ପଇସା ଦର ବୃଦ୍ଧି ଅର୍ଥାତ ପ୍ରଚଳିତ ଦର ୧ ଟଙ୍କା ୨୦ ପଇସାରୁ ୧ ଟଙ୍କା ୪୦ ପଇସାକୁ ବୃଦ୍ଧି କରାଯାଇଛି, ସେହିପରି ଶତକଡା ୫୦ଭାଗ ବୋନସ, ବନ୍ଧେଇ ଶ୍ରମିକ ଓ ଋତୁକାଳୀନ କର୍ମଚାରୀଙ୍କ ପାଇଁ ଶତକଡା ୧୦ ଭାଗ ପ୍ରୋତ୍ସାହନ ସହାୟତା ବ୍ୟବସ୍ଥା କରାଯାଇଥିବା ବେଳେ ତୋଲାଲିଙ୍କ ସାମାଜିକ ନିରାପତ୍ତା ସହାୟତା ପାଇଁ ୨୦ ଚଟା ପରିବର୍ତ୍ତେ ୧୦ ଚଟା ଧର୍ଯ୍ୟ କରାଯାଇଛି ଓ ବନ୍ଧେଇ ଶ୍ରମିକମାନଙ୍କ ପାଇଁ ୧୦୮ ବଣ୍ଡଲ ପତ୍ର ବନ୍ଧେଇ, ବନ୍ଧେଇ ଶ୍ରମିକକୁ ମଶାରୀ, କମ୍ବଳ ପାଇଁ ୭୦୦ ଟଙ୍କା ଦେବା ପାଇଁ ମଞ୍ଜୁର କରିଛନ୍ତି ଏବଂ ତୋଲାଲି ଓ କର୍ମଚାରୀଙ୍କୁ ଟୋପି ବାବଦରେ ୧୦୦ ଟଙ୍କା ମଞ୍ଜୁରୀ କରିଛନ୍ତି ଏବଂ ପୋଷାକ କିଣିବା ବାବଦକୁ ସହାୟତା ରାଶି ୨୦୦ ଟଙ୍କା ବୃଦ୍ଧି ହୋଇଛି । ସଂଘର ଅନ୍ୟ ଦାବୀଗୁଡିକୁ ମଧ୍ୟ ପୂରଣ କରିବା ପାଇଁ ଜଙ୍ଗଲ ଏବଂ ପରିବେଶ ବିଭାଗ ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ବୋଲି ସଂଘ ପ୍ରକାଶ କରିଛି । ସରକାରଙ୍କ ଶ୍ରମିକ କର୍ମଚାରୀ ମାନଙ୍କ ମଙ୍ଗଳ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସଂଘର ସଭାପତି ନିରଞ୍ଜନ ବିଶି, କାର୍ଯ୍ୟକାରୀ ସଭାପତି ପୁରୁଷୋତ୍ତମ ଧରୁଆ, ଉପସଭାପତି ଭୋଜରାଜ ବରିହା, ସମ୍ପାଦକ ଲଳିତ ମଲ୍ଲିକ, ସହ ସମ୍ପାଦକ ଗିରିଧାରୀ ଭୋଇ, ଘନ ଭୋଇ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.