ମାତିଛନ୍ତି ସାଇବର ଠକ : ଟଙ୍କା ଫେରସ୍ତ କରିବୁ କହି ନେଇଗଲେ ୨ଲକ୍ଷ ଟଙ୍କା

ଭୁବନେଶ୍ୱର : ପୁଣି ସମ୍ନାକୁ ଆସିଲା ସାଇବର ଠକେଇ ଘଟଣା । ଟଙ୍କା ଫେରସ୍ତ ଆଳରେ ଜଣେ ଗ୍ରାହକଙ୍କଠାରୁ ୨ଲକ୍ଷ ଲୁଟି ନେଇଛନ୍ତି ସାଇବର୍‌ ଠକ । ଠକେଇର ଶିକାର ହୋଇଥିବା ହର୍ଷବର୍ଦ୍ଧନ ମାରିପୁଡ଼ି ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ, ଗତ ମାର୍ଚ୍ଚ ୭ ତାରିଖରେ ହର୍ଷବର୍ଦ୍ଧନ ଅନ୍‌ଲାଇନ୍‌ ସଂସ୍ଥା ଗୋ-ନଏଜ୍‌ରେ ୫ ହଜାର ଟଙ୍କା ଦେଇ ଏକ ଇଅର ବଡ୍‌ ଅର୍ଡର କରିଥିଲେ । ଦୁଇଦିନ ପରେ ଏକ ଅଜଣା ନମ୍ବରରୁ ତାଙ୍କୁ କଲ୍‌ ଆସିଥିଲା । ଜଣେ ଯୁବକ ଗୋ-ନଏଜ୍‌ର କର୍ମଚାରୀ କହି ପରିଚୟ ଦେଇ କହିଥିଲେ ଯେ, ସାର୍‌ ଆମ ସାଇଟ୍‌ ହ୍ୟାକ୍‌ ହୋଇଛି । ଆପଣଙ୍କ ଅର୍ଡର୍‌ ବି କ୍ୟାନସଲ୍‌ ହୋଇଯାଇଛି । ଆକାଉଣ୍ଟ ଡିଟେଲ୍ସ ଦିଅନ୍ତୁ, ଟଙ୍କା ଫେରାଇଦେବୁ । ଟଙ୍କା ଫେରସ୍ତ ପାଇଁ ହର୍ଷବର୍ଦ୍ଧନଙ୍କ ବ୍ୟାଙ୍କ ଡିଟେଲ୍ସ ନେଇଥିଲେ । ବ୍ୟାଙ୍କ ତଥ୍ୟ ନେବାର କିଛି ସମୟ ମଧ୍ୟରେ ୪ ଥରରେ ୯୮୦୦ ଟଙ୍କା, ଥରେ ୫୧ ହଜାର ଟଙ୍କା, ପୁଣି ୪୦ ହଜାର ଟଙ୍କା, ଏମିତି ପାଖାପାଖି ୨ଲକ୍ଷ ଟଙ୍କା କଟି ଯାଇଥିଲା । ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ଏନେଇ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.