ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତକାଲି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ରବି ଋତୁର ଧାନ ସଂଗ୍ରହ ପାଇଁ ପୂର୍ବ ଭଳି ପ୍ରାଥମିକ କୃଷି ସମବାୟ ସମିତି ଓ ଏସ୍‌ଏଚ୍‌ଜି ମାଧ୍ୟମରେ ଧାନ କ୍ରୟ କରାଯିବ । ଜିଲ୍ଲାର ୧୫୬ଟି କେନ୍ଦ୍ରରେ ଧାନ ସଂଗ୍ରହ କରାଯିବାକୁ ଥିବା ବେଳେ ମେ’ ୬ ତାରିଖରେ ଅତାବିରା ଆର୍‌ଏମ୍‌ସି, ମେ’ ୧୨ରେ ବରଗଡ଼ ଏବଂ ମେ’ ୧୫ରୁ ପଦ୍ମପୁର ଆର୍‌ଏମ୍‌ସି ୟାର୍ଡ ଗୁଡିକରେ ଧାନ କ୍ରୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଥିଲେ । ରବି ଋତୁର ଧାନ ସଂଗ୍ରହ ସମୟରେ ଚାଷୀଙ୍କ ଟୋକନ ଅବଧି ସୀମା କମ୍ ଥିବା ଦୃଷ୍ଟିରୁ ଯେଉଁ ମଣ୍ଡି ଗୁଡିକରେ ସାପ୍ତାହିକ ବଜାର ବ୍ୟବସ୍ଥା ନଥିବା ସେଠାରେ ସାତ ଦିନ ଯାକ ଧାନ କ୍ରୟ କରାଯିବ ବୋଲି କହିଥିଲେ । ଆସନ୍ତା ସମୟରେ ଅଦିନିଆ ବର୍ଷା, କରକା ପାତ, କାଳବୈଶାଖୀରୁ ଚାଷୀଙ୍କ ଧାନର ସୁରକ୍ଷା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ସେ ଆର୍‌ଏମ୍‌ସି କର୍ତ୍ତୃପକ୍ଷଙ୍କୁ ନିର୍ଦେଶ କରିଥିଲେ । ସେହିପରି ଗ୍ରୀଷ୍ମ ପ୍ରବାହ ଯୋଗୁଁ ମଣ୍ଡି ଗୁଡିକରେ ପାନୀୟଜଳ, ଆଲୋକ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ, ଏସ୍‌ପି ରାହୁଲ ଜୈନ, ଚାଷୀ ପ୍ରତିନିଧି, ସାଂସଦ ପ୍ରତିନିଧି ସୁରେଶ୍ଵର ଶତପଥୀ, ବିଧାୟକ ପ୍ରତିନିଧି ପ୍ରଫୁଲ୍ଲ ନାୟକ, ମିଲର୍ସ ପ୍ରତିନିଧି ଜୟପ୍ରକାଶ ଲାଠ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.