ସ୍ଵଚ୍ଛତା ହିଁ ଉତ୍ତମ ସ୍ଵାସ୍ଥ୍ୟର ମୂଳମନ୍ତ୍ର – ଡାକ୍ତର ସଂଗୀତା ଚୌଧୁରୀ

  • ପାଳିତ ହେଲା ବ୍ଲକସ୍ତରୀୟ ବିଶ୍ଵ ସ୍ଵାସ୍ଥ୍ୟ ଦିବସ
  • ସ୍ଵଚ୍ଛତା ପକ୍ଷରେ ଡାକ୍ତରଖାନା ପରିସର ସଫେଇ କଲେ ଡାକ୍ତର, ଶିକ୍ଷକ ଓ କର୍ମଚାରୀ
  • ବିଭିନ୍ନ ଗାଁରେ ସାମୁହିକ ସଫେଇ କାମ ଆୟୋଜନ କଲେ ଗାଁ କଲ୍ୟାଣ ସମିତି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରଠାରେ ବ୍ଲକସ୍ତରୀୟ ବିଶ୍ଵ ସ୍ଵସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ପାଳନୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ସ୍ଵଚ୍ଛତା ହିଁ ଉତ୍ତମ ସ୍ଵାସ୍ଥ୍ୟର ମୂଳମନ୍ତ୍ର ବୋଲି ଉଲ୍ଲେଖ କରିଥିଲେ । ସ୍ଵାସ୍ଥ୍ୟଶିକ୍ଷା ବିଶେଷଜ୍ଞ ପ୍ରଦ୍ୟୁମ୍ନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ବିଶ୍ଵ ସ୍ଵାସ୍ଥ୍ୟ ଦିବସର ବାର୍ତ୍ତା ‘ଆମ ପୃଥିବୀ, ଆମ ସ୍ଵାସ୍ଥ୍ୟ’ ଉପରେ ଆଲୋଚନା କରି ଜଳ, ପବନ ଏବଂ ଖାଦ୍ୟକୁ ସ୍ଵଚ୍ଛ ରଖିବାକୁ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ । ୧ ଏପ୍ରିଲରୁ ଆରମ୍ଭ ହୋଇଥିବା ସ୍ଵଚ୍ଛତା ପକ୍ଷ ଅନ୍ତର୍ଗତ ସାମୁହିକ ସଫେଇ କାର୍ଯ୍ୟକ୍ରମକୁ ମଧ୍ୟ ଆଜି ଆୟୋଜିତ କରାଯାଇଥିଲା । ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀଙ୍କ ସମେତ ସୋନପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୬୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇ ଡାକ୍ତରଖାନା ପରିସରକୁ ସଫା କରିଥିଲେ । ଠିକ୍ ସେହିପରି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଲଚ୍ଛିପୁର ଓ ସାହାଜପିଟା ସମେତ ସମସ୍ତ ଉପକେନ୍ଦ୍ରସ୍ତରୀୟ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗାଁ କଲ୍ୟାଣ ସମିତିମାନଙ୍କ ସୌଜନ୍ୟରୁ ବିଭିନ୍ନ ଗ୍ରାମରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୫ ଏପ୍ରିଲ ଯାଏଁ ସ୍ଵଚ୍ଛତା ପକ୍ଷ ଚାଲିବାକୁ ଥିବା ବେଳେ ଆଜି ପାଳନୋତ୍ସବରେ ସହଯୋଗ ପାଇଁ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଅଶୋକ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.