ଆଦର୍ଶ ଷ୍ଟେସନ ଯୋଜନାରେ ରେଳ ଷ୍ଟେସନଗୁଡ଼ିକର ଉନ୍ନତିକରଣ କରାଯାଉଛି : ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

• ଏବେ ସୁଦ୍ଧା ଦେଶବ୍ୟାପୀ ୧୨୧୩ଟି ରେଳ ଷ୍ଟେସନ ଉନ୍ନତିକରଣ ହୋଇଛି
• ୨୦୨୨-୨୩ ଆର୍ଥିକ ବର୍ଷରେ ୪୦ଟି ଷ୍ଟେସନର ଉନ୍ନତିକରଣ କରାଯିବ

ନୂଆଦିଲ୍ଲୀ, (ପିଆଇବି) : ଦେଶର ରେଳ ଷ୍ଟେସନଗୁଡ଼ିକର ବିକାଶ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପ୍ରକାର ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରାଯାଉଛି । ବିଭିନ୍ନ ଛୋଟ ଓ ବଡ଼ ସହର ସମେତ ଦେଶବ୍ୟାପୀ ରହିଥିବା ଭାରତୀୟ ରେଳବାଇର ରେଳ ଷ୍ଟେସନଗୁଡ଼ିକର ଉନ୍ନତିକରଣ, ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ପାଇଁ ମଡେଲ, ଆଧୁନିକ ଏବଂ ଆଦର୍ଶ ଷ୍ଟେସନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ବୁଧବାର ଲୋକ ସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳବାଇ, ସଞ୍ଚାର, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ବିଭିନ୍ନ ଷ୍ଟେସନରେ ଯାତ୍ରୀମାନଙ୍କୁ ଅଧିକ ଆରାମ ଓ ସୁବିଧା ଯୋଗାଇ ଦେବା ଲାଗି ଚିହ୍ନଟ ଆବଶ୍ୟକତାକୁ ଆଧାର କରି ଆଦର୍ଶ ଷ୍ଟେସନ ଯୋଜନା ଅଧୀନରେ ବର୍ତ୍ତମାନ ରେଳ ଷ୍ଟେସନଗୁଡ଼ିକର ଉନ୍ନତିକରଣ କରାଯାଉଛି । ଆଦର୍ଶ ଷ୍ଟେସନ ଯୋଜନା ଅଧୀନରେ ଭାରତୀୟ ରେଳବାଇର ୧୨୫୩ଟି ଷ୍ଟେସନର ଉନ୍ନତିକରଣ ପାଇଁ ଚିହ୍ନଟ କରାଯାଇଛି । ଏଥିମଧ୍ୟରୁ ୧୨୧୩ଟି ରେଳ ଷ୍ଟେସନର ବିକାଶ କାର୍ଯ୍ୟ ସମ୍ପାଦନ କରାଯାଇଛି ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ୪୦ଟି ଷ୍ଟେସନର ଉନ୍ନତିକରଣ ପାଇଁ ଲକ୍ଷ୍ୟ ରଖାଯାଇଛି ।
ନିକଟରେ ରେଳ ଷ୍ଟେସନର ବ୍ୟାପକ ଉନ୍ନତିକରଣ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାରେ ଷ୍ଟେସନ ଅଟ୍ଟାଳିକାର ପୁନଃନିର୍ମାଣ, ସୁଧାର ଏବଂ ସମ୍ପ୍ରସାରଣ, ଷ୍ଟେସନ ପରିସରରେ ଭିଡ଼ ଓ ବାଧାମୁକ୍ତ ପ୍ରବେଶ ଓ ପ୍ରସ୍ଥାନ ସୁବିଧା, ଯାତ୍ରୀମାନଙ୍କର ଆଗମନ ଓ ପ୍ରସ୍ଥାନ ପାଇଁ ପୃଥକ ବ୍ୟବସ୍ଥା, ଅଧିକ ଭିଡ଼ ମୁକାବିଲା ପାଇଁ ଯଥେଷ୍ଟ ସ୍ଥାନ ସୁବିଧା, ବ୍ୟବହାରକାରୀଙ୍କ ପାଇଁ ଅନୁକୂଳ ସଙ୍କେତ, ଭଲ ଆଲୋକ ଚଳପ୍ରଚଳ ସ୍ଥାନ ଏବଂ ଛାଡ଼ିବା, ଆଣିବା ଓ ପାର୍କିଂ ପାଇଁ ଯଥେଷ୍ଟ ବ୍ୟବସ୍ଥା, ଆବଶ୍ୟକତା ଓ ସୁବିଧା ଅନୁଯାୟୀ ଦିବ୍ୟାଙ୍ଗ ଜନଙ୍କ ପାଇଁ ସବୁ ସୁବିଧା ଆଦି ସାମିଲ ରହିଛି । ଏବେ ସୁଦ୍ଧା ଏହି ଯୋଜନାରେ ବ୍ୟାପକ ଉନ୍ନତିକରଣ ପାଇଁ ୪୧ଟି ଷ୍ଟେସନକୁ ଚିହ୍ନଟ କରାଯାଇଛି ।
ସରକାରୀ ଘରୋଇ ଭାଗିଦାରୀ (ପିପିପି)ର ହାଇବ୍ରିଡ୍‌ ନିର୍ମାଣ, ପରିଚାଳନା ଓ ହସ୍ତାନ୍ତର ମଡେଲରେ ଉନ୍ନତିକରଣ ପାଇଁ ନୂଆଦିଲ୍ଲୀ ରେଳ ଷ୍ଟେସନ ଏବଂ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ଷ୍ଟେସନକୁ ଚିହ୍ନଟ କରାଯାଇଛି ।
ରାଣୀ କମଳାପତି ଏବଂ ଗାନ୍ଧୀ ନଗର, ଏହି ଦୁଇଟି ରେଳ ଷ୍ଟେସନର ବିକାଶ କାର୍ୟ୍ୟ କରାଯିବା ସହ ଯଥାକ୍ରମେ ୧୫.୧୧.୨୦୨୧ ଏବଂ ୧୬.୦୭.୨୦୨୧ରେ କାର୍ୟ୍ୟକ୍ଷମ କରାଯାଇଛି । ଆଉ ଏକ ରେଳ ଷ୍ଟେସନ ଭାବେ ବେଙ୍ଗାଲୁରୁର ସାର ଏମ. ବିଶ୍ବେଶ୍ୱରାୟା ଟର୍ମିନାଲର ଉନ୍ନତିକରଣ କାର୍ୟ୍ୟ ଶେଷ ହୋଇଛି ଏବଂ ଏହି ଷ୍ଟେସନ ଯାତ୍ରୀ ସେବା ଯୋଗାଇ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି ।
ରେଳ ଷ୍ଟେସନଗୁଡ଼ିକର ବିକାଶ ଏବଂ ରକ୍ଷଣାବେକ୍ଷଣ ସଂକ୍ରାନ୍ତ ଅର୍ଥ ଆବଣ୍ଟନ ଏବଂ ବ୍ୟୟ ବିବରଣୀ ରାଜ୍ୟ ୱାରୀ ନୁହେଁ, ବରଂ ରେଳ ଜୋନ୍‌ ୱାରୀ ରଖାଯାଇଥାଏ ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ଲାନ୍‌ ହେଡ୍‌ – ୫୩ ‘ଯାତ୍ରୀ ସୁବିଧା’ ଯୋଜନା ଅଧୀନରେ ଏସବୁ ସୁବିଧା ପାଇଁ ସାଧାରଣତଃ ପାଣ୍ଠି ଯୋଗାଣ କରାଯାଇଥାଏ। ବିଗତ ଦୁଇ ଆର୍ଥିକ ବର୍ଷ ଯାଥା ୨୦୨୦-୨୧, ୨୦୨୧-୨୨ ଏବଂ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ଅବଧିରେ ଭାରତୀୟ ରେଳବାଇ ପକ୍ଷରୁ ଏହି ପ୍ଲାନ୍‌ ହେଡ୍‌-୫୩ ଅଧୀନରେ ଆବଣ୍ଟିତ ହୋଇଥିବା ପାଣ୍ଠି ଏବଂ ବ୍ୟୟ ହୋଇଥିବା ଅର୍ଥର ବିବରଣୀ ନିମ୍ନରେ ଉଲ୍ଲେଖ କରାଗଲା ।

Leave A Reply

Your email address will not be published.