ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ କ୍ରୀଡାବିତ୍ମାନଙ୍କ ଆଉ ଏକ ଚମକପ୍ରଦ ପ୍ରଦର୍ଶନ ଦେଖିବାକୁ ମିଳିଛି । ଷଷ୍ଠ ଜାତୀୟ ମାର୍ସଲ ଆର୍ଟ ଗେମ୍ସରେ ଜିଲ୍ଲାର କ୍ରୀଡାବିତମାନଙ୍କୁ ଏହି ସଫଳତା ମିଳିଛି । ଗୋଆରେ ଅନୁଷ୍ଠିତ ଏହି ସଂଘର୍ଷ ପୂର୍ଣ୍ଣ ମାର୍ସଲ ଆର୍ଟ ଗେମ୍ସରେ ସୁବର୍ଣ୍ଣପୁର ଜିଲ୍ଲାର ଏହେସାସ ତାଇକଣ୍ଡୋ ଏକାଡେମୀର ୭ ଜଣିଆ ଟିମ୍ ଗୋଆ ଯାଇଥିଲା । କୋଚ୍ ଏହେସାସ ହୋତାଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍ର ଆର୍ଯ୍ୟନ ମହାନ୍ତି, କୁମାର କାଶ୍ୟପ ସଡଂଗୀ, ବିଶ୍ୱ ରଂଜନ ସାହୁ ଏବଂ ହର୍ଷିତା ନାୟକଙ୍କୁ ସ୍ୱର୍ଣ୍ଣପଦକ ମିଳିଥିବା ବେଳେ ପ୍ରିୟଦର୍ଶନୀ କର, ଅଭିଳାଶ ସାହୁ ଏବଂ ଶୁଭମ ସାମର୍ଥ ରୋପ୍ୟ ପଦକ ହାସଲ କରିଛନ୍ତି । ସେହିଭଳି କୋଚ ଏହେସାସ ହୋତାଙ୍କୁ ଶ୍ରେଷ୍ଠ କୋଚ ଭାବେ ମଧ୍ୟ ପୁରସ୍କୃତ କରାଯାଇଛି । କ୍ରୀଡାବିତମାନଙ୍କ ଏହି ସଫଳତା ସଂପର୍କରେ ଖବର ପାଇ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଏବଂ ଜିଲ୍ଲା କ୍ରିଡା ଅଧିକାରୀ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର ଫୋନ ଯୋଗେ କୋଚ ଏହେସାସ ଏବଂ ଅନ୍ୟ କୃତି କ୍ରୀଡାବିତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ରାଜ୍ୟ ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଂଜ ଏବଂ ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା ପ୍ରମୁଖ କୃତି କ୍ରୀଡାବିତ ତଥା କୋଚ ଏହେସାସ ହୋତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ତାଇକଣ୍ଡୋ କ୍ରୀଡାବିତମାନଙ୍କ ପାଇଁ ଟ୍ରେନିଂ ହଲର ବ୍ୟବସ୍ଥା କରାଯାଇଥିବାରୁ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।