oom

ରାଜନୈତିକ ଶତ୍ରୁତାରୁ ବୋମାମାଡ଼

jsmm

ଖଣ୍ଡପଡ଼ା : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବୋଦସା ଗ୍ରାମରେ ଗତକାଲି ସନ୍ଧ୍ୟାରେ ରାଜନୈତିକ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଥିବା ଜଣାପଡିଛି । ଏଥିରେ ବୋଦସା ଗ୍ରାମର ପ୍ରଶାନ୍ତ ତାରେଣିଆ (୩୮) ନାମକ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଖଣ୍ଡପଡ଼ା ବ୍ଲକ ବୋଦସା ଗ୍ରାମର ପ୍ରଶାନ୍ତ ତାରେଣିଆ ଗତକାଲି ସନ୍ଧ୍ୟାରେ ତାଙ୍କର ଦୁଇ ବନ୍ଧୁଙ୍କ ସହ ବାଇକ୍ ଯୋଗେ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ଉକ୍ତ ଗ୍ରାମର ନରେଶ ମାଝୀ (୩୮) ଓରଫ କାମେନା ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବାଟ ଓଗାଳିଥିବୋ ବେଳେ ପ୍ରଶାନ୍ତ ଏବଂ ତାଙ୍କ ବନ୍ଧୁ ତାଙ୍କୁ ବିରୋଧ କରିବାରୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ନରେଶ ଅତର୍କିତ ଭାବେ ଦୁଇଟି ବୋମା ମାଡ଼ କରିଥିଲେ । ଫଳରେ ଗୋଟିଏ ବୋମା ସିଧାସଳଖ ଭାବରେ ପ୍ରଶାନ୍ତଙ୍କ ମୁଣ୍ଡରେ ବାଜିଥିଲା । ବୋମାମାଡ଼ ଯୋଗୁଁ ପ୍ରଶାନ୍ତଙ୍କ ଖପୁରୀ ଉଡି ଯାଇଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ଖଣ୍ଡପଡ଼ା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ, ଖଣ୍ଡପଡ଼ା ଥାନାଧିକାରୀ ବିଶ୍ୱଜିତ ରାଉତରାୟ ତାଙ୍କ କର୍ମୀ ମାନଙ୍କ ସହ ପହଞ୍ଚିବା ସହ ଘଟଣାର ତଦନ୍ତ କରୁଥିବା ସୂଚନା ରହିଛି । ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସର ଉପସ୍ଥିତିରେ ପ୍ରଶାନ୍ତଙ୍କ ଶବକୁ ଦାହ କରାଯାଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.