ଅନ୍ତର୍ଲା ବାଲିଘାଟରେ ବାଲି ଚୋରାଚାଲାଣ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ୨ଜେସିବି ସହ ୭ଟ୍ରାକ୍ଟର ଜବତ

ଟିଟିଲାଗଡ଼ : ବାଲି ଚୋରାଚାଲାଣ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ୨ଜେସିବି ସହ ୭ଟ୍ରାକ୍ଟର ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ମୁରିବାହାଲ ବ୍ଲକ ଯାମପଦର ଗ୍ରାମ ନିକଟସ୍ଥ ଅନ୍ତର୍ଲା ବାଲିଘାଟରେ ପ୍ରଶାସନ ପକ୍ଷରୁ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୱୱାନ ମହାଜନଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିବା ବେଳେ ବାଲିଘାଟରେ ୨ଟି ଜେସିବି ଓ ୮ଟି ଟ୍ରାକ୍ଟର ରହିଥିଲା । ସେଥିମଧ୍ୟରୁ ୩ଟିର ନମ୍ବର ବିହୀନ ଟ୍ରାକ୍ଟର ଥିଲା । ତେବେ ଉପଜିଲ୍ଲାପାଳ ଶ୍ରୀ ମହାଜନ ଜେସିବି ଓ ଟ୍ରାକ୍ଟର ଗୁଡ଼ିକୁ ଜବତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଟ୍ରାକ୍ଟର ଗୁଡ଼ିକୁ ତହସିଲ କାର୍ଯ୍ୟାଳୟକୁ ନେବା ସମୟରେ ଗୋଟିଏ ଟ୍ରାକ୍ଟର ଫେରାର୍‌ ହୋଇଥିବା ଜଣାପଡ଼ିଛି । ଜବତ ଟ୍ରାକ୍ଟର ଗୁଡ଼ିକ ମଧ୍ୟରେ ମୁରିବାହାଲ ବ୍ଲକ ସୁକୁନାପଦର ଗ୍ରାମର କଳାକାହ୍ନୁ ପୁଟେଲ ଓ ନରେନ୍ଦ୍ର ହାତୀ, ଘୁଷୁରାମୁଣ୍ଡା ଗ୍ରାମର ପ୍ରେମନାଥ ନାଗଙ୍କ ଗୋଟିଏ ଲେଖାଏଁ ହୋଇଥିବା ବେଳେ ଅନ୍ୟ ୩ଟି ଟ୍ରାକ୍ଟର ପ୍ରୀତମ ପାତ୍ରଙ୍କ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.