pr

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ନାହିଁ, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ କର୍ଣପାତ କଲା ନାହିଁ କେନ୍ଦ୍ର : ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ପାଇଁ କୌଣସି ପ୍ରକାର ସ୍ୱତନ୍ତ୍ର ପ୍ୟାକେଜ ଓଡିଶାକୁ ଦିଆଯାଇନଥିବା କଥା ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପ୍ୟାକେଜ ଦାବୀ କରି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ନିକଟରେ ବିଜୁ ଜନତା ଦଳର ଏକ ସଂସଦୀୟ ପ୍ରତିନିଧି ଦଳ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ସାକ୍ଷାତ କରି ରାଜ୍ୟ ପାଇଁ ସ୍ୱତନ୍ତ୍ର ପ୍ୟାକେଜର ଦାବୀ କରିଥିଲେ । ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳର ସାଂସଦ ମାନଙ୍କ ଏହି ଉଦ୍ୟମ କେନ୍ଦ୍ର ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିବା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ପଣ୍ଡା କହିବା ସଙ୍ଗେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ କେନ୍ଦ୍ର ସରକାର କର୍ଣପାତ କଲେ ନାହିଁ ବୋଲି ମଧ୍ୟ ସୂଚନା କର୍ମୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ତଥ୍ୟରୁ ଏହା ମଧ୍ୟ ଜଣାପଡିଛି ଯେ, କେବଳ ୧୯-୨୦ ଆର୍ଥିକ ବର୍ଷକୁ ବାଦ ଦେଲେ ୧୬-୧୭ ଆର୍ଥିକ ବର୍ଷରୁ ୨୦-୨୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମସ୍ତ ଆର୍ଥିକ ବର୍ଷରେ ଆବାସ ଯୋଜନା ଗ୍ରାମୀଣ ପାଇଁ ଦିଆଯାଇଥିବା ଅନୁଦାନର ସମସ୍ତ ଅର୍ଥ ଖର୍ଚ୍ଚ କରାଯାଇ ପାରିନାହିଁ ଅର୍ଥାତ୍‌ ସମ୍ପୂର୍ଣ ଅର୍ଥ ବିନିଯୋଗ କରାଯାଇନାହିଁ । ଖର୍ଚ୍ଚ କରାଯାଇ ନଥିବା ଅର୍ଥ ରାଶିର ପରିମାଣ ୧୬-୧୭ ଆର୍ଥିକ ବର୍ଷରେ ୧ ହଜାର ୯ ଶହ ୭୭ କୋଟି ୩୮ ଲକ୍ଷ ୭୦ ହଜାର ୮୦୦ ଟଙ୍କା ହୋଇଥିବା ବେଳେ ୧୭-୧୮ ଆର୍ଥିକ ବର୍ଷରେ ୯ ଶହ ୪୦ କୋଟି ୯୭ ଲକ୍ଷ ୫୮ ହଜାର ଟଙ୍କା, ୧୮-୧୯ ଆର୍ଥିକ ବର୍ଷରେ ୧୭ କୋଟି ୬୫ ଲକ୍ଷ ୯୧ ହଜାର ୭୦୦ଟଙ୍କା, ୨୦-୨୧ ବର୍ଷରେ ଯଥାକ୍ରମେ ୭୩୨ କୋଟି ୪୯ ଲକ୍ଷ ୮୭ ହଜାର ୨୯ଟଙ୍କା ବୋଲି ଜଣାପଡିଛି । କେବଳ ୧୯-୨୦ ବର୍ଷରେ କେବଳ ୬୭ କୋଟି ୯୭ ଲକ୍ଷ ୪୬ ହଜାର ୭୮୦ଟଙ୍କା ଅଧିକ ଖର୍ଚ୍ଚ କରାଯାଇଥିବା ଜଣାଯାଇଛି । ଆବାସ ଯୋଜନା ଗ୍ରାମୀଣର ସମୁଦାୟ ଅନୁଦାନ ଅର୍ଥକୁ ପ୍ରାୟ ଅଧିକାଂଶ ବର୍ଷ ସମ୍ପୂର୍ଣ ଭାବେ ବ୍ୟୟ କରାଯାଇ ପାରୁ ନାହିଁ ଓ ପରବର୍ତ୍ତି ବର୍ଷରେ ପୁଣି ସେହି ବ୍ୟୟ କରାଯାଇ ପାରୁ ନଥିବା ଅର୍ଥକୁ ମିଶାଇ ଦିଆଯାଉଛି । ଆବାସ ନିର୍ମାଣରେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଯେତିକି ଆବାସ ନିର୍ମାଣ ହେବା କଥା ତାହା ହୋଇପାରୁ ନାହିଁ ବୋଲି ସୂଚନା କର୍ମୀ ପଣ୍ଡା କହିଛନ୍ତି । ଗରିବ ଦୂରିକରଣ ଯୋଜନାର କାର୍ଯ୍ୟ କାରିତାରେ ଅବହେଳା ରାଜ୍ୟର ସମନ୍ୱିତ ବିକାଶକୁ ପଥରୋଧ କରୁଛି ବୋଲି ପଣ୍ଡା କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅବାସ ଯୋଜନାର ରୁପାୟନକୁ ନେଇ ତାଳମେଳର ଅଭାବ ଯୋଗୁଁ ରାଜ୍ୟବାସୀ ଯେତିକି ଲାଭ ପାଇବା କଥା ତାହା ପାଉ ନାହାନ୍ତି ବୋଲି ପଣ୍ଡା ଅଭିଯୋଗ କରିଛନ୍ତି । ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ଦାବୀକୁ କେନ୍ଦ୍ର ସରକାର ଗ୍ରହଣ କଲେ ରାଜ୍ୟବାସୀ ଅଧିକ ଲାଭବାନ ହୁଅନ୍ତେ । ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଗୁଡିକୁ ଏହି ଯୋଜନା ପାଇଁ କେନ୍ଦ୍ର ସରକାର ଦେଉଥିବା ଆର୍ଥିକ ଅଂଶ ଅଧିକ ରହୁଥିବା ବେଳେ ଓଡିଶା ଭଳି ରାଜ୍ୟ ପାଇଁ ରାଜ୍ୟ ଗୁଡିକୁ ଅଧିକ ବୋଝ ପଡୁଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନରୁ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବା ପାଇଁ ଦାବୀ କରି ଆସୁଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଏକ ଯୁକ୍ତିଯୁକ୍ତ ଦାବୀ ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିବା ସଙ୍ଗେ କେନ୍ଦ୍ର ସରକାର ଏହାକୁ ବିଚାର କରିବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

nrusinghnath
Leave A Reply

Your email address will not be published.