ସାଧୁ ସାବଧାନ : ଆସୁଛି ପଞ୍ଚାୟତ ନିର୍ବାଚନ

ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଗ୍ରାମାଂଚଳର ବିକାଶ ପାଇଁ ଉଚିତ୍‌ ପ୍ରତିନିଧି ବାଛିବା ଏହା ହିଁ ମହାର୍ଘ୍ୟ ସମୟ । ଏହି ସମୟକୁ ହାତଛଡ଼ା କରିଦେଲେ ଗ୍ରାମାଂଚଳର ବିକାଶ ଆହୁରି ପାଂଚ ବର୍ଷ କାଳ ବାଟ ହୁଡ଼ିଯିବ । ଏଥିପାଇଁ ସମସ୍ତ ମତଦାତା କୌଣସି ଲୋଭର ବଶବର୍ତ୍ତୀ ନ ହୋଇ ଉଚିତ୍‌ ସରପଞ୍ଚ, ସମିତି ସଭ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟ ବାଛିବା ଆବଶ୍ୟକ । ଆମକୁ ମନେ ରଖିବାକୁ ହେବ ଯେ, ଏହି ପଦବୀ ଗୁଡ଼ିକରେ ନିର୍ବାଚିତ ହୋଇ ଆସିବାକୁ ଥିବା ପ୍ରତିନିଧିମାନେ ହିଁ ଗ୍ରାମାଂଚଳର ବିକାଶ କ୍ଷେତ୍ରରେ ବିଶେଷ ଗୁରୁତ୍ୱ ବହନ କରିବେ । ଏମାନେ ଯଦି ମନ୍ଦ ଉଦ୍ଦେଶ୍ୟ ନେଇ ପଦବୀ ହାତେଇବାକୁ ଚେଷ୍ଟା କରୁଛନ୍ତି, ତେବେ ସେମାନଙ୍କୁ ଚିହ୍ନିବା ନିହାତି ଆବଶ୍ୟକ । କାରଣ ଜଣେ ବି ମନ୍ଦ ଉଦ୍ଦେଶ୍ୟ ନେଇ ନିର୍ବାଚିତ ଜନ ପ୍ରତିନିଧି ଶହେ ଜଣ ଉଚିତ୍‌ ପ୍ରତିନିଧିଙ୍କ ପାଇଁ ମନ୍ଦ ବାତାବରଣ ସୃଷ୍ଟି କରିପାରେ । ଗ୍ରାମାଂଚଳର ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରିପାରେ ।

ଆମମାନଙ୍କୁ ମନେ ରଖିବାକୁ ହେବ ଯେ, ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ସମସ୍ତ ପ୍ରକାର ଜନହିତକର ଯୋଜନା ଏହି ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ ଓ ଗାଁର ଲୋକଙ୍କ ସହ ଗ୍ରାମାଂଚଳର ବିକାଶ ସାଧନ ହୁଏ । ଏଣୁ ଗ୍ରାମାଂଚଳର ନିର୍ବାଚିତ ପ୍ରତିନିଧିମାନେ ଯେତେ ସ୍ୱଚ୍ଛ ଓ ନିର୍ମଳ ତଥା ନିଃସ୍ୱାର୍ଥପର ରହିବେ, ଗ୍ରାମାଂଚଳର ଲୋକେ ସେତିକି ଜନହିତକର ଯୋଜନାରେ ସାମିଲ୍‌ ହୋଇପାରିବେ ଏବଂ ଗ୍ରାମାଂଚଳର ବିକାଶ ସାଧିତ ହୋଇପାରିବ । ଏ ଦିଗକୁ ଯଥେଷ୍ଟ ଯତ୍ନର ସହ ଆଖିଆଗରେ ରଖି ଆମେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଉଚିତ ଜନ ପ୍ରତିନିଧି ବାଛିବା ନିହାତି ଆବଶ୍ୟକ ।

ଅନେକ ସମୟରେ ଦେଖାଯାଇଛି ଯେ, କିଛି ଖଳ ପ୍ରକୃତିର ଲୋକେ ନିର୍ବାଚନ ସମୟରେ ମିଛ ପ୍ରତିଶ୍ରୁତି ଦେଇ ତଥା ନାନା ପ୍ରକାର ଲୋଭ ଦେଖାଇ ନିରୀହ ଗ୍ରାମବାସୀମାନଙ୍କ ଠାରୁ ବହୁମୂଲ୍ୟ ଭୋଟ୍‌ ନେଇ ପାଂଚ ବର୍ଷ କାଳ ନିଜର ପତିଆରା ତଥା ସମୃଦ୍ଧି ପାଇଁ ଅଂଟାଭିଡ଼ି ଲାଗି ପଡ଼ନ୍ତି । ଗ୍ରାମାଂଚଳର ବିକାଶ କଥା ସେମାନେ ଭୁଲି ଯାଇ ନିଜର ବିକାଶ ପ୍ରତି ବେଶ୍‌ ଯତ୍ନବାନ୍‌ ହୁଅନ୍ତି । ଏଭଳି ବ୍ୟକ୍ତିମାନଙ୍କ ଠାରୁ ନିହାତି ଦୂରେଇ ରହିବା ଆବଶ୍ୟକ ।

ଅନ୍ୟ ଏକ ଦିଗ ହେଲା, ମତଦାନ କରିବା ସମସ୍ତ ଭାରତୀୟଙ୍କ ଅନନ୍ୟ ଅଧିକାର । ସମସ୍ତେ ମତଦାନ କରି ନିଜର ଭୋଟ୍‌ ଦେବାର ଅଧିକାର ସାବ୍ୟସ୍ତ କରିବା ଏକାନ୍ତ ଅପରିହାଯ୍ୟ । ଏକ ସୁନ୍ଦର ଭାରତ ଗଠନରେ ସମସ୍ତେ ସହଭାଗୀ ହେବା ଏକାନ୍ତ ଆବଶ୍ୟକ ।

Leave A Reply

Your email address will not be published.