ଓରମାସ୍‌ ତରଫରୁ ଜାତୀୟସ୍ତରୀୟ ଶିଶିର ସରସ ମେଳା ଆୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଅଧୀନସ୍ଥ ଓଡିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ୍‌) ତରଫରୁ ଆୟୋଜିତ ଜାତୀୟସ୍ତରୀୟ ଶିଶିର ସରସ ମେଳା ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଥିବା ଏହି ମେଳା ରାଜ୍ୟ ସରକାରଙ୍କର ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ । ସହରାଚଂଳ ଗ୍ରାହକମାନଙ୍କ ମଧ୍ୟରେ ଗ୍ରାମୀଣ ଉତ୍ପାଦକଙ୍କ ବଜାର ସଂଯୋଗ ସୃଷ୍ଟି କରାଯିବାର ଲକ୍ଷ୍ୟ ଏହା ଦ୍ୱାରା ପୁରଣ ହୋଇଥାଏ । ଏହି ମେଗା ଇଭେଂଟରେ ପ୍ରାୟ ୨୦ଟି ରାଜ୍ୟ ଅଂଶଗ୍ରହଣ କରୁଛନ୍ତି । ଏହି ଇଭେଂଟ ମିନି ଇଣ୍ଡିଆର ଏକ ଲୁକ୍ ଦେଇଥାଏ । ଏହି ମେଳାରେ ୪୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଭାଗ ନେଉଥିବା ବେଳେ ୫୦୦ରୁ ଅଧିକ ଗ୍ରାମୀଣ କାରିଗର ତଥା ବିକ୍ରେତା ଅଂଶଗ୍ରହଣ କରୁଛନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଏହି ମେଳାରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଆନ୍ତରାଜ୍ୟ ସାଂସ୍କୃତିକ ପରମ୍ପରା ବିନିମୟର ଏକ ମାଧ୍ୟମ । ଏହି ଜାତୀୟସ୍ତରୀୟ ଶିଶିର ସରସ ମେଳା ଗୋଟିଏ ପଟେ ଗ୍ରାମୀଣ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାରଙ୍କ କଲ୍ୟାଣ ମୂଳକ ଯୋଜନାରେ ସାମିଲ ହୋଇ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରିବଟା କରିବା କ୍ଷେତ୍ରରେ ଏହା ହେଉଛି ବିଶେଷ ସୁଯୋଗ । ମୁଁ ଆଶା କରୁଛି ଆମ ରାଜ୍ୟରେ ଗ୍ରାମାଂଚଳର ପ୍ରତ୍ୟେକ ମହିଳା ଏହି ସୁବିଧାର ସୁଯୋଗ ନିଅନ୍ତୁ । ଏହା ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ସହ ନିଜ ପରିବାର, ଗୋଷ୍ଠୀ ତଥା ରାଜ୍ୟର ଆର୍ଥିକ ବିକାଶ ଦିଗରେ ସହାୟକ ହୋଇପାରିବ ବୋଲି ମୋର ଆଶା । ଏହି ଜାତୀୟ ସ୍ତରୀୟ ମେଳା ଆମମାନଙ୍କୁ ରାଜ୍ୟ ବାହାରେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ଆଣିଦେବ ବୋଲି ତଥା ପଚାଂୟତିରାଜ, ପାନୀୟଜଳ, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

Leave A Reply

Your email address will not be published.