ବଲାଙ୍ଗିରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତକୁ ନେଇ ଗର୍ଜିଲେ ନରସିଂହ : ବିଜେଡିର ହାତ ବାରିଶି ସାଜିଛି ପୋଲିସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାକୁ ଗଲାଣି । ଦିନ ଦିପହରେ ଲୁଟ୍‌ତରାଜ, ରାହାଜାନୀ, ହତ୍ୟା ଏକ ସାଧାରଣ ଘଟଣାରେ ପାଲଟି ଗଲାଣି । ପୋଲିସ ଏ ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଛିି । ସହରର ପ୍ରତ୍ୟେକ ଗଳି କନ୍ଦିରେ ମଦ, କଫସିରଫ ଓ ନିଶା କାରବାର ବେଧଡକ୍‌ ଚାଲିଥିବା ବେଳେ ତାକୁ ରୋକିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ସ୍ଥାନୀୟ ବିଜେଡି ଦଳ ନେତାମାନେ ଏ ସବୁ ଅସାମାଜିକ ତତ୍ୱଙ୍କୁ ପ୍ରଚ୍ଛଦ ପଟରୁ ସବୁ ପ୍ରକାର ସାହାଯ୍ୟ ଯୋଗାଉଛନ୍ତି ଏବଂ ପୋଲିସ ମଧ୍ୟ ସେମାନଙ୍କର ହାତ ବାରିଶି ସାଜିଛି ବୋଲି ଆଜି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ବଲାଙ୍ଗିର ବିଧାୟକ ତଥା ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଦୁଇ ଦିନ ପୂର୍ବରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପଛପଟେ ଏକ ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତମାନେ ତାର ଲାଇଭ୍‌ ଭିଡିଓ ଭାଇରାଲ କରିଥିଲେ । ଯେହେତୁ କଳାହାଣ୍ଡି ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଏବଂ ସଂପୃକ୍ତ ଥିବା ନେତା ମନ୍ତ୍ରୀମାନଙ୍କୁ ଘଣ୍ଟ ଘୋଡାଇବା ପାଇଁ ପୋଲିସ ସମସ୍ତ ପ୍ରକାର ପ୍ରଚେଷ୍ଟା କରୁଛି ଏବଂ ତଦନ୍ତକୁ ବାଟବଣା କରିବା ପାଇଁ ଚେଷ୍ଟା ଜାରି ରଖିଛି, ଏହି ଘଟଣାରୁ ଅପରାଧୀ ମାନେ ଆହୁରି ଉତ୍ସାହିତ ହୋଇ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପଛ ପଟରେ ଅପରାଧୀ ମାନେ ସ୍ପଷ୍ଟ ଦିବାଲୋକରେ ଠିକ୍‌ ଏହି ପରି ଏକ ହତ୍ୟା ଘଟଣା ଘଟାଇଛନ୍ତି । କିଛି ଦିନ ପୂର୍ବରୁ ବଲାଙ୍ଗିର ଜିଲ୍ଲା ଦାୟିତ୍ୱରେ ଥିବା ଜଣେ ମନ୍ତ୍ରୀଙ୍କ ଗୁଣ୍ଡାମାନେ ସୋନପୁର ଠାରେ ଛାତ୍ର କଂଗ୍ରେସ ନେତାମାନଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ମଧ୍ୟ ପୋଲିସ ନିରବଦ୍ରଷ୍ଟା ସାଜି ବିଜେଡି ଦଳର ହାତ ବାରିଶି ସାଜିଛି । ଆହୁରି ମଧ୍ୟ ବିଜୁ ଜନତା ଦଳର ନିର୍ବାଚନ ହାରି ଯାଇଥିବା ବରିଷ୍ଠ ରାଜ୍ୟ ଉପ-ସଭାପତି ଏବଂ ତାଙ୍କ ଦୁଇ ପୁଅ ଅନଧିକାର ଭାବରେ ପୂର୍ବରୁ ବିଧିବଦ୍ଧ ଭାବେ ସରକାରୀ ସ୍ତରରେ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ଉଦ୍‌ଘାଟନ ହୋଇସାରିଥିବା ସକମା ସ୍କୁଲର ଖେଳ ପଡିଆକୁ ବେଆଇନ ଭାବେ ପୁନଃ ଉଦ୍‌ଘାଟନ କରିଛନ୍ତି । ସେଠାରେ ସେ ଲୋକଙ୍କୁ ଭୟଭିତ କରିବା ପାଇଁ ନିଜ ଦଳର ଅନେକ କର୍ମୀଙ୍କୁ ନେଇ ଦଳୀୟ ସଭା କରି ତାଙ୍କର କେହି କିଛି କରିପାରିବେ ନାହିଁ ବୋଲି ଲୋକଙ୍କୁ ଆହ୍ୱାନ କରୁଛନ୍ତି ଏବଂ ଆଶ୍ଚର୍ଯ୍ୟ କଥା ଏହି ସବୁ ବେଆଇନ କାର୍ଯ୍ୟକ୍ରମ ବିରୁଦ୍ଧରେ ନା ସ୍କୁଲ କର୍ତ୍ତୃପକ୍ଷ ନା ବ୍ଲକ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇ ପାରୁଛନ୍ତି । ଏ ସବୁ ଘଟଣାରୁ ସ୍ପଷ୍ଟ ଜଣାପଡୁଛି ଯେ ବଲାଙ୍ଗିରରେ ବର୍ତ୍ତମାନ ସରକାରୀ ଦଳର ନେତା, ମନ୍ତ୍ରୀ ଏକ ଅଶାନ୍ତ ବାତାବରଣ ସୃଷ୍ଟି କରିବାରେ ଲାଗିଛନ୍ତି ଏବଂ ଏ ସବୁକୁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସମର୍ଥନ ଅଛି ବୋଲି ଆଲୋଚନା ହେଲାଣି । କାରଣ ଏଇ କିଛି ମାସ ଭିତରେ ଅନେକ ଜାଗାରେ ଦିନ ଦିପହରରେ ହତ୍ୟା, ଲୁଣ୍ଠନ, ଦାଦାଗିରି, ନିଶା କାରବାର ଚାଲିଥିଲେ ହେଁ ଅପରାଧିମାନଙ୍କୁ ଗିରଫ କରିବାରେ ପୋଲିସ ପକ୍ଷରୁ ସେପରି କିଛି ତତ୍ପରତା ଦେଖାଯାଉନାହିଁ । ଏପରି ଯଦି ଆଉ କିଛି ଦିନ ଚାଲେ ତେବେ ଶାନ୍ତ ବଲାଙ୍ଗିରରେ ସାଧାରଣ ଜୀବନ ଯାପନ ବ୍ୟାଘାତ ହେବା ଆଶଂକା ଦେଖାଦେଇଛି । ତେଣୁ ପୋଲିସ ପ୍ରଶାସନ ଆଉ ସରକାରୀ ଦଳର ହାତ ବାରିଶ ନ ସାଜି ଲୋକଙ୍କ ସେବାରେ ମନପ୍ରାଣ ଦେଉ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.