ସଇଁନ୍ତଲାରେ ବଢି ଚାଲିଛି ଅବାଧ ଶିକାର : ସଂକଟରେ ବନ୍ୟ ପ୍ରାଣୀ, ସଂରକ୍ଷିତ ଜଙ୍ଗଲରୁ ଲୋପ ପାଇବେ କଲରା ପତରିଆ, ବନ ବିଭାଗ ନିଦା ବିଷ୍ଣୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ପଶୁ, ପକ୍ଷୀ, ବନ୍ୟଜନ୍ତୁମାନଙ୍କର ଶିକାର ବଢି ଚାଲିଛି ଯାହା ଫଳରେ ବନ୍ୟ ଜନ୍ତୁ ଲୋପ ପାଇବାରେ ବସିଲେଣି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଥିବା ସଂରକ୍ଷିତ ଜଙ୍ଗଲଗୁଡିକରେ ଅବାଧ ଗଛ କଟା ସହ ବନ୍ୟ ପ୍ରାଣୀଙ୍କ ଶିକାର ଚାଲିଛି । ଫଳରେ ବନ୍ୟ ପ୍ରାଣୀ ଏବେ ଜନବସତି ମୁହାଁ ହେଉଥିବାରୁ ଶିକାରୀ ଏହାର ସୁଯୋଗ ନେଉଛନ୍ତି । ଏପରିକି ଶିକାରୀମାନେ ବିଦ୍ୟୁତ ତାର ଓ ବିସ୍ଫୋରକ ଏବଂ ବନ୍ଧୁକ ବ୍ୟବହାର କରୁଥିବା ଜଣାପଡ଼ିଛି । ସଇଁନ୍ତଲା ବନ ବିଭାଗ ରେଞ୍ଜ ଅଧିନରେ ଥିବା କନ୍ଦକେଲଗାଁ, ସମରା, ବହଲୀ, କିରିବାଞ୍ଜି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ଭାବେ ବରାହ ଶିକାର ଚାଲିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କନ୍ଦକେଲଗାଁ ଜଙ୍ଗଲରେ ଲୋକେ ବିଦ୍ୟୁତ ତାର ଲଗାଇ ବାରାହ ଶିକାର କରୁଥିବା ଖବର ମିଳିଛି । ତେବେ ବେଧଡ଼କ ଭାବେ ବାରାହ ଶିକାର ହେଉଥିବା ବେଳେ ବନ ବିଭାଗ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଗତ କିଛି ମାସ ତଳେ କରମତଲା ଫରେଷ୍ଟର କିଛି ଅସ୍ଥାୟୀ କର୍ମଚାରୀଙ୍କୁ ନେଇ ରାତ୍ରି ପେଟ୍ରୋଲିଂ କରୁଥିବା ବେଳେ ବାରାହ ଶିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଶିକାରୀଙ୍କ ଗୁଳିରେ ଜଣେ ଅସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ଅଞ୍ଚଳରେ ବ୍ୟାପକ ଭାବେ ବନ୍ୟଜନ୍ତୁଙ୍କ ଶିକାର ହେଉଥିବା ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ବଡ଼ମାଲ ଗୋଳାବାରୁଦ କାରଖାନାରେ ଗତ ବର୍ଷ ବାରାହ ଫାଶରେ କଲରା ପତରିଆ ବାଘର ମୃତ୍ୟୁ ହୋଇଥିଲା । ତେବେ ଏହି ଅଞ୍ଚଳରେ ଏଭଳି ଭାବରେ ଯଦି ବନ୍ୟ ପଶୁଙ୍କୁ ଶିକାର କରାଯିବ ତେବେ ଆଗାମୀ ଦିନରେ ବନ୍ୟଜନ୍ତୁ ଲୋପ ପାଇବାରେ ଲାଗିବେ ।ତେବେ ବନ ବିଭାଗ ପକ୍ଷରୁ କଡା ପେଟ୍ରୋଲିଂ କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.