କାର୍ଯ୍ୟକ୍ଷମ ହେବାକୁ ଯାଉଛି ସାବୁଳିଆ ଷ୍ଟୁଡେଣ୍ଟ ନୋଡାଲ ହାଇସ୍କୁଲର ଡିଜିଟାଲ କ୍ଲାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଅନ୍ୟତମ ଫୋକସରେ ରହିଛି, ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ । କୁହାଯାଏ ଯେ, ପୂର୍ବେ ଖଲ୍ଲିକୋଟ ଏକ ଗଡ଼ଜାତ ରାଜ୍ୟ ଥିଲା । ଖଲ୍ଲିକୋଟ ଅଞ୍ଚଳର ଐତିହ୍ୟ ଗାରିମା ଏବେ ବି ଇତିହାସରେ ଗୁଞ୍ଜରୀତ ସୃଷ୍ଟି କରେ । ଏହି ବ୍ଳକ୍ ଅଧୀନରେ ଥିବା ସାବୁଳିଆ ଷ୍ଟୁଡେଣ୍ଟ ହାଇସ୍କୁଲ ପ୍ରାୟଅର୍ଦ୍ଧ-ଶତକବର୍ଷର ଅଟେ । ଏହି ଉଚ୍ଚବିଦ୍ୟାଳୟ ଏବେ ପ୍ରଗତିପଥରେ ଚାଲିଛି । ଖୁସିର ବିଷୟ ଯେ, ୧୯୭୨ ମସିହାରେ ପ୍ରତିଷ୍ଠିତ ସାବୁଳିଆର ଷ୍ଟୁଡେଣ୍ଟ ହାଇସ୍କୁଲ ନୋଡାଲ ମାନ୍ୟତା ପାଇଛି । ଅତି ନିକଟରେ ସାବୁଳିଆ ଷ୍ଟୁଡେଣ୍ଟ ନୋଡାଲ ହାଇସ୍କୁଲ ଏବେ ପୂର୍ଣ୍ଣାଙ୍ଗ ଡିଜିଟାଲରେ ପରିଣତ ହେବାକୁ ଯାଉଛି । ପ୍ରାୟ ୪୫ଲକ୍ଷଟଙ୍କାର ବ୍ୟୟରେ ନିର୍ମାଣାଧୀନରେ ଥିବା ରାଜ୍ୟସରକାରଙ୍କ ୫ଟି ଯୋଜନା ସୌଜନ୍ୟରେ ସ୍ମାର୍ଟକ୍ଲାସ ଅତି ନିକଟରେ ଲୋକାର୍ପଣ ହେବାକୁ ଯାଉଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତୁହାକୁତୁହା ଭାବେ ଏହି ଉଚ୍ଚବିଦ୍ୟାଳୟର କାର୍ଯ୍ୟଧାରାର ତଦାରଖ କରିବାକୁ ବହୁବାର ଅନୁସନ୍ଧାନରେ ଏଠାକୁ ଆସିଛନ୍ତି । ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମକୁ ପରିଦର୍ଶନରେ ଆସି ଜିଲ୍ଲାପାଳ ନିର୍ମାଣାଧୀନ କାର୍ଯ୍ୟ ଦେଖି ସନ୍ତୋଷ ପ୍ରକାଶ କରିଥିବା କୁହାଯାଏ । ଜିଲ୍ଲାପାଳଙ୍କ ସହ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୁଖ ଶେଷ ପର୍ଯ୍ୟୟରେ ପହଞ୍ଚିଥିବା ବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟକୁ ପର୍ଯ୍ୟୟ କ୍ରମେ ପ୍ରାୟ ୨/୩ ଥର ପରିଦର୍ଶନରେ ଆସିଥିଲେ । ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ଶ୍ରୀମତୀ ମିତାଲି ପାତ୍ର ଏହି କାର୍ଯ୍ୟ ହାତମୁଠାକୁ ନେଇ ନିୟମିତ ଏହାର ତଦାରଖ କରୁଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ତଥା ପ୍ରଧାନଶିକ୍ଷକ ପ୍ରଫୁଲ ଚନ୍ଦ୍ର ଦାଶଙ୍କ ସମେତ ବ୍ଳକ୍ ଶିକ୍ଷାଧିକାରୀଣୀ ବିଚିତ୍ରା ମଞ୍ଜରୀ ମିଶ୍ର ଏଥିପ୍ରତି ବିଶେଷ ଧ୍ୟାନ ଦେଇଥିବା ଜଣାଯାଇଛି । ରୂପାନ୍ତରୀଣ କାର୍ଯ୍ୟକ୍ରମରେ ଦୁଇଟି ସ୍ମାର୍ଟ-କ୍ଲାସ, ଇ-ଲାଇବ୍ରେରୀ ଓ ସ୍ମାର୍ଟ ଟୋଇଲେଟ, ଘାସ-ଗାଳିଚାର ସୁନ୍ଦର ଖେଳପଡିଆ, ଲେବରେଟୋରୀ ଆଦି କାର୍ଯ୍ୟ ତ୍ୱରାନ୍ୱିତ ହୋଇ ଆସିଛି । ଏବେ ଏହି ଡିଜିଟାଲକ୍ଲାସ କାର୍ଯ୍ୟକ୍ଷମ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକାର୍ପଣ ହେବାକୁ ଯାଉଛି ।

jittmm
Leave A Reply

Your email address will not be published.