ନରସିଂହଙ୍କ ଖଲିଆପାଲି ଗସ୍ତ : ସ୍କୁଲ ଗୃହ ଓ କଲ୍ୟାଣ ମଣ୍ଡପ ହେଲା ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନ ଘ.୧୧.୩୦ମି.ରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ନିର୍ବାଚନ ମଣ୍ଡଳିର ବଲାଙ୍ଗିର ବ୍ଲକ ସ୍ଥିତ ଖଲିଆପାଲି ପଞ୍ଚାୟତର ଜାମସିଂହା ଓ କିରାବାହାଲ ଗସ୍ତ କରି ଲୋକଙ୍କ ଅଭାବ ସଂପର୍କରେ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ରାମସିଂହା ଠାରେ କେନ୍ଦ୍ରୀୟ ଅର୍ଥ କମିଶନ ଦ୍ୱାରା ପ୍ରଦତ୍ତ ଅନୁଦାନରେ ନିର୍ମାଣ ହୋଇଥିବା ଏକ ସ୍କୁଲ ଗୃହର ଉଦ୍‌ଘାଟନ ବିଧାୟକ ଶ୍ରୀ ମିଶ୍ର କରିଥିଲେ । ଉଦ୍‌ଘାଟନ ପରବର୍ତ୍ତୀ ସମୟରେ ଗାଁର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷ କରି ଗାଁକୁ ଆସିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଗତ ରାସ୍ତା ରକ୍ଷଣା ବେକ୍ଷଣା କାମ ଅତି ନିମ୍ନମାନର ହୋଇଥିବାରୁ ବିଧାୟକ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିବା ସହ ଏହାର ଏକ ବିଧିବଦ୍ଧ ତଦନ୍ତ କରିବା ପାଇଁ ରିପୋର୍ଟ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆହୁରି ମଧ୍ୟ ସେଠାରେ ନିର୍ମାଣାଧୀନ ଅଙ୍ଗନବାଡି କେନ୍ଦ୍ର ପାଇଁ ମନରେଗା ଅନୁଦାନରୁ ଆସୁଥିବା ଅନୁଦାନ ଏ ପର୍ୟ୍ୟନ୍ତ ଆସିନଥିବାରୁ ଅନେକ ମାସ ହେଲା କାମ ଅଧା ପନ୍ତରିଆ ପଡିରହିଛି । ଫଳରେ ଛୋଟ ଛୋଟ କୋମଳମତି ଶିଶୁମାନଙ୍କୁ ନେଇ ଚାଲୁଥିବା ବିଭିନ୍ନ କାର୍ୟ୍ୟକ୍ରମ ହୋଇପାରୁ ନଥିବାରୁ ଛୋଟ ଛୋଟ ଶିଶୁମାନେ ହଇରାଣ ହେଉଛନ୍ତି । ଏ ସମସ୍ୟାକୁ ନେଇ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରିବେ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ପରେ ଏହି ପଞ୍ଚାୟତ ଅନ୍ତର୍ଗତ କିରାବାହାଲ ଠାରେ ୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ସ୍କୁଲ ଗୃହ ଏବଂ ୨୦ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ ଶୁଭ ଉଦ୍‌ଘାଟନ ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଏ ଅବସରରେ ଏହି ପଞ୍ଚାୟତର ବିଭିନ୍ନ ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ କାର୍ୟ୍ୟାଦେଶ ବଣ୍ଟନ କରିଥିଲେ । ତା ସହ ଏଠାକାର ଗରିବ ଯୋଗ୍ୟ ହିତାଧିକାରୀମାନେ ଯେପରି ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବାଦ୍ଧକ୍ୟ, ବିକଳାଙ୍ଗ, ବିଧବା ଭତ୍ତାରୁ ବଂଚିତ ନ ହେବେ ସେ ଉପରେ ବ୍ଲକ ସ୍ତରରେ ଥିବା ସମାଜିକ ସୁରକ୍ଷା ବିଭାଗ ତତ୍ପରତା ସହ କାମ କରୁ ବୋଲି ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏହି ସମସ୍ତ କାର୍ୟ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତମ କୁମାର ତନ୍ତି, ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ସରପଞ୍ଚ ରାନିମା ପାତ୍ର, ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ର, ବିଧାୟକଙ୍କ ପ୍ରତିନିଧି କିଶୋର କୁମାର ସିଂନିନା, କନିଷ୍ଠ ଯନ୍ତ୍ରୀ ରଶ୍ମିତା ମହାନ୍ତି, ମନରେଗା ଅଧିକାରୀ, ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ଶ୍ୟାମ ମୋହନ ବଢେଇଙ୍କ ସମେତ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.