ଜିଲ୍ଲାସ୍ତରୀୟ ଗାଁ ସାଥୀ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌ : ଦାଦନ ରୋକିବାରେ ଗାଁ ସାଥୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଗନ୍ଧରାବନ୍ଧ ଫୁଟବଳ ଖେଳ ପଡିଆ ପ୍ରାଙ୍ଗଣରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ଗାଁ ସାଥୀ ସଂଘ ତରଫରୁ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ତଥା ମାହାତ୍ମାଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବିଷୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ଫୁଲ ଅର୍ପଣ କରି ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ । ତା’ପରେ କବିତା ବାଗ ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ଗାଁ ସାଥୀ ସଂଘର ସଭାପତି ରତନ ଦୀପଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା, ସମ୍ମାନୀୟ ଅତିଥି ଏକାଉଣ୍ଟ ଅଫିସର ଜ୍ୟୋତି ପ୍ରକାଶ ମିଶ୍ର, ଜେଇ ବିକ୍ରମ ସିଂ ବିଭାର, ମନୋରଞ୍ଜନ ସାହୁ, ଜିଲ୍ଲା ଗାଁ ସାଥୀ ସଭାପତି ସଂଜୟ ଗଡତିଆ, ଜିଲ୍ଲା ଗାଁ ସାଥୀ ସଂଘ ଉପସଭାପତି କରୁଣାକର ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଦାଦନ ପ୍ରବଣ ବଙ୍ଗୋମୁଣ୍ଡା ବ୍ଲକରେ ଦାଦନ ଶ୍ରମିକମାନେ ବାହାର ରାଜ୍ୟକୁ ଯାଉଥିବା ସେମାନଙ୍କୁ ରୋକିବାକୁ ଗାଁ ସାଥୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ମୋହନ ସୁନ୍ଦର ଭୋଇ ସଭା ପରିଚାଳନା କରିଥିବା ବେଳେ ଯୁଗଳ କିଶୋର ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ନୂଆଁଖାଇ ଭେଟ୍‌ଘାଟ୍‌ରେ ଗାଁ ସାଥୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପରେ ସାଂସ୍କୃତିକ ତୁଷୁରାର ସାନବଡ଼ ଘୁଡୁକା ନାଚ ପରିବେଷିତ ହୋଇଥିଲା । ଏହି ବୈଠକରେ ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଳକର ସଭାପତି, ସଂପାଦକ ଗାଁ ସାଥୀ ଉପସ୍ଥିତ ହୋଇ ନିଜ ନିଜ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଗାଁ ସାଥୀ ସଭାପତି ରତନ ଦୀପ, ଉପସଭାପତି ଅନୁରାଧା ମେହେର, ସମ୍ପାଦକ ଗଦାଧର ଶିକା, କୋଷାଧ୍ୟକ୍ଷ ଦଶରଥ ବଛା ଏବଂ ବଙ୍ଗୋମୁଣ୍ଡା ଗାଁ ସାଥୀ ସଂଘର ଉପଦେଷ୍ଟା ଗଣେଶ ସୁନା, ଗଙ୍ଗାଧର ନାଗ, କୁବେର ସାହୁ, ମଙ୍ଗୁଲୁ ରଣା, ବିବେକ ଠାକୁର, ସୁରଭି ନାଗ, ସୁମିତ୍ରା ନିଆଲ, ଦମୟନ୍ତି ବିଶି, ଗୀତାଞ୍ଜଳି ପୁଟେଲ, ଦ୍ରୋପଦୀ ସା, ପରମେଶ୍ୱର ମହାନନ୍ଦଙ୍କ ସହିତ ବ୍ଲକର ସମସ୍ତ ଗାଁ ସାଥୀ ଭାଇ ଭଉଣୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.