ପ୍ରିୟମ ଡ଼ିଜିଟାଲର ଦୁର୍ଗାପୂଜା ଭେଟି : ସରିଲା ପଂଚମ କୋଶଲୀ ସର୍ଟ ଫିଲ୍ମ ‘ଉକିଆ’ର ସୁଟିଂ, ବିଜୟା ଦଶମୀରେ ହେବ ଶୁଭମୁକ୍ତି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସର୍ଟ ଫିଲ୍ମ ପ୍ରଯୋଜକ ପ୍ରିୟମ ଡ଼ିଜିଟାଲ ଏଥର ଦୁର୍ଗାପୂଜା ଅବସରରେ ଦର୍ଶକଙ୍କୁ ଭେଟିଦେବ ଏକ ନିଆରା ସ୍ୱାଦର କୋଶଲୀ ସର୍ଟ ଫିଲ୍ମ ‘ଉକିଆ’ । ଏହି ଚଳଚିତ୍ରର ସୁଟିଂ ଶେଷ ହେଇଥିବା ବେଳେ ପବିତ୍ର ବିଜୟା ଦଶମୀରେ ଏହାର ଶୁଭମୁକ୍ତି କରାଯିବ ବୋଲି ପ୍ରଯୋଜକ ଆଶୁତୋଷ ଦାଶ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ପୁରୁଷ ତୁଳନାରେ ନାରୀ ବି କମ ନୁହେଁ, ପୁରୁଷଶୂନ୍ୟ ପରିବାରରେ ନିଜ ସହ ନିଜର ଅନ୍ୟ ଭଉଣୀମାନଙ୍କୁ ମଧ୍ୟ ମଣିଷ କରି ଗଢିତୋଳିବାର ଗୁରୁ ଦାୟିତ୍ୱ ବହନ କରିପାରେ ଝିଅଟିଏ । ଏମିତି ଜୀବନ ସଂଘର୍ଷର ଏକ ନିଆରା କାହାଣୀକୁ ନେଇ ଉକିଆ ଫିଲ୍ମ ରଚନା କରିଚନ୍ତି ବରିଷ୍ଠ ସାମ୍ବାଦିକ ତଥା ଯୁବକବି ହେମନ୍ତ ସାହୁ । ବରିଷ୍ଠ ସାମ୍ବାଦିକ ତଥା ଗାଳ୍ପିକ ନରୋତ୍ତମ ସେଲମାଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଏହି ଚଳଚିତ୍ରଟି ମ.ରାମପୁର ବ୍ଲକ ଅଂଚଳରେ ସୁଟିଂ କରାଯାଇଥିବା ଜଣାଯାଇଛି । ତେବେ ଏହି ଚଳଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓଡ଼ିଶାର ପ୍ରଥମ ଅଧ୍ୟାପିକା ପର୍ବତାରୋହୀ, କବି, ଅଧ୍ୟାପିକା ଲିପ୍ସାମୟୀ ଦୁବେ, ଜସ୍ମିତା ବାଗ, କୋଶଲୀ ସର୍ଟ ଫିଲ୍ମ କିରିଆରେ ଚମତ୍କାର ଅଭିନୟ କରି ଦର୍ଶକୀୟ ଆଦୃତି ଲାଭ କରିଥିବା ଶିଶୁ କଳାକାର ଅର୍ଚ୍ଚିତା ସାହୁ ଏବଂ ବରିଷ୍ଠ କଳାକାର ଯୋଗୀନ୍ଦ୍ର ବେହେରା । ବିଶେଷ ସହଯୋଗୀ ଭାବରେ ମ.ରାମପୁର ବ୍ଲକ ଜକାବାହାଲି ଗ୍ରାମବାସୀ ଏବଂ ଶ୍ରୀରାମକୃଷ୍ର ଆଶ୍ରମ ଶିଶୁ ଘୁମୁରା ଦଳ ରହିଥିବା ବେଳେ ଅଭିଜ୍ଞ କ୍ୟାମେରା ପର୍ସନ ସୁନୀଲ, ନନ୍ଦ କିଶୋର ସୁଟିଂ ଦାୟିତ୍ୱ ନିର୍ବାହ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୁଟିଂ ସମୟରେ ଦ୍ରୋଣାଚାର୍ଯ୍ୟ ମାଝୀ, ଈଭାମୟୀ ମାଝୀ, ଲବିର ମାଝୀ, ଜିଲ୍ଲା କଂଗ୍ରେସ ସଂପାଦକ ବିଭୂତି ଭୂଷଣ ମହାଖୁଡ଼, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା, ସମାଜସେବୀ ରଶ୍ମି ରଂଜନ ପ୍ରହରାଜ ପ୍ରମୁଖ ସହଯୋଗ କରିଥିଲେ । ତେବେ ଚତୁର୍ଥ ଫିଲ୍ମ କିରିଆର ଅପୂର୍ବ ସଫଳତା ପରେ ଏହି ଚଳଚିତ୍ରଟି ପୂଜା ବଜାରରେ ଦର୍ଶକଙ୍କ ପାଖରେ ବେଶ ଆଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ କରିଛନ୍ତି ପ୍ରଯୋଜକ ଶ୍ରୀ ଦାଶ ।

Leave A Reply

Your email address will not be published.