ଶ୍ରୀ ଶ୍ରୀ ଶ୍ୟାମ ବିହାରୀଙ୍କ ଗୁଣଗାନ ରଥକୁ ବରଗଡ଼ରେ ସ୍ୱାଗତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଶ୍ଵ ଶାନ୍ତି ଏବଂ କରୋନା କାଳରେ ଦୁଃଖ ଗ୍ରସ୍ତ ଲୋକଙ୍କ ଆତ୍ମିକ ଚିନ୍ତନ ବୃଦ୍ଧି ସକାଶେ ରାଜସ୍ଥାନର ଶ୍ରୀ ଶ୍ରୀ ଶ୍ୟାମ ବିହାରୀ ଖାଟୁ ନରେଶଙ୍କ ଧାମରୁ ଭାରତ ଯାତ୍ରାରେ ବାହାରି ଥିବା ଶ୍ରୀ ଶ୍ରୀ ଶ୍ୟାମ ଅଖଣ୍ଡ ଜ୍ୟୋତି ରଥର ବରଗଡ଼ଠାରେ ଭବ୍ୟ ସ୍ଵାଗତ କରାଯାଇଥିଲା । ରଥକୁ ବରଗଡ଼ ତପୋବନ ଅପାର୍ଟମେଣ୍ଟ ପରିସରରେ ବରଗଡ଼ ଶ୍ୟାମ ବିହାରୀଙ୍କ ଭକ୍ତମାନେ ଉପସ୍ଥିତ ରହି ବିଶେଷ ପୂଜାର୍ଚ୍ଚନା କରି ସ୍ୱାଗତ କରିଥିଲେ । ରଥର ମୁଖ୍ୟ, ଭଜନ ଗାୟକ ତଥା ପ୍ରବଚକ କୁମାର ଗିରିରାଜଙ୍କୁ ମଧ୍ୟ ଶ୍ୟାମ ବିହାରୀଙ୍କ ନାମରେ ନାମିତ ଉପଢ଼ୌକନ ଦେଇ ଓଡ଼ିଶା ପ୍ରଭାରୀ ତଥା ବରିଷ୍ଠ ସାମ୍ବାଦିକ କିଶନ ଲାଲ ଅଗ୍ରୱାଲ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ଅଖଣ୍ଡ ଜ୍ୟୋତି ଗୁଣଗାନ ରଥ ରାଜସ୍ଥାନର ଖାଟୁ ଜିଲ୍ଲା ସ୍ଥିତ ଶ୍ରୀ ଶ୍ରୀ ଶ୍ୟାମ ବିହାରୀ ମୁଖ୍ୟପୀଠରୁ ଗତ ମାର୍ଚ୍ଚ ୨୬ ତାରିଖରୁ ବିହାରି ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ ଦେଇ ୫ ହଜାର କିଲୋମିଟର ପରିଭ୍ରମଣ କରି ଆଜି ଓଡିଶାର ବରଗଡ଼ ଜିଲ୍ଲାରେ ପହଞ୍ଚିଛି । ଆସନ୍ତାକାଲି ସମ୍ବଲପୁର, ରାଉରକେଲା ଦେଇ ଝାରଖଣ୍ଡ ରାଜ୍ୟକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବରଗଡ଼ ଶ୍ୟାମ ବିହାରୀଙ୍କ ଭକ୍ତମାନଙ୍କ ମଧ୍ୟରେ ପଣ୍ଡିତ ବଜରଙ୍ଗ ଲାଲ ଶର୍ମା, ଦାମୋଦର ଅଗ୍ରୱାଲ, ମହେଶ ଅଗ୍ରୱାଲ, ନାନା ଅଗ୍ରୱାଲ, ମନୋଜ ଅଗ୍ରୱାଲ, ଭଟଲି ଶ୍ୟାମ ବିହାରୀ ମନ୍ଦିର ଟ୍ରଷ୍ଟି ଘନଶ୍ୟାମ ଅଗ୍ରୱାଲ, ଡାକ୍ତର ପୱନ ଶର୍ମା, ରାମ ଗୋପାଳ ବଂନସଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Leave A Reply

Your email address will not be published.