csstore

ଭଙ୍ଗା କୁଡ଼ିଆରେ ବାସ କରୁଛନ୍ତି ଦିବ୍ୟାଙ୍ଗ ନିର୍ମାଣ ଶ୍ରମିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଭଟିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଝିପାଲି ଗ୍ରାମରେ ବାସ କରନ୍ତି ମହାଦେବ ସାହୁ । ସୂଚନା ଅନୁସାରେ ପରିବାର କହିଲେ ବୃଦ୍ଧ ବାପା ମା, ସ୍ତ୍ରୀ ଏବଂ ଦୁଇଟି ପିଲା ବର୍ତ୍ତମାନ ସେ ଅତ୍ୟନ୍ତ ଦୁଃଖରେ କାଳାତିପାତ କରୁଛନ୍ତି । କାରଣ ବର୍ତ୍ତମାନ ସେ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । ପୂର୍ବରୁ ସେ ଜଣେ ମିସ୍ତ୍ରୀ ଭାବରେ କାମ କରୁଥିଲେ ଏବଂ ପଞ୍ଜିକୃତ ନିର୍ମାଣ ଶ୍ରମିକ ଭାବରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ହଠାତ୍‌ ତାଙ୍କ ଆଖି ଆଉ ଦିଶିଲା ନାହିଁ । ଅନେକ ଚିକିତ୍ସା ପରେ ମଧ୍ୟ ତାଙ୍କ ଆଖିକୁ ଆଉ ଦେଖାଗଲା ନାହିଁ ଫଳରେ ସେ ଦିବ୍ୟାଙ୍ଗ ହୋଇଗଲେ । ହସଖୁସିରେ ଚଲୁଥିବା ପରିବାର ବର୍ତ୍ତମାନ ଅସହାୟ ହୋଇ ପଡିଛି । ଅନ୍ଧ ହୋଇଯିବା ପରେ ସତେ ଯେମିତି ସଂସାର ପାଇଁ ସେ ଅଲୋଡା ପାଲଟି ଯାଇଛନ୍ତି, ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନେ ଅକ୍ଷମ ହୋଇଗଲେ ସରକାରୀ ନିୟମାନୁସାରେ ଉକ୍ତ ବ୍ୟକ୍ତିଙ୍କ ପାଇଁ କିଛି ସହାୟତା ରାଶି ରହିଥିବା ଉଲ୍ଲେଖ ଅଛି କିନ୍ତୁ ଶ୍ରମ ବିଭାଗ ତରଫରୁ କେବଳ ୧୫ ଶହ ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଏପଟେ ମହାଦେବଙ୍କ ପରିବାର ବର୍ଷା ଋତୁରେ ପର ଘରେ ଆଶ୍ରୟ ନେବା ପାଇଁ ବାଧ୍ୟ କାରଣ ଯେଉଁ ଘରେ ସେମାନେ ରୁହନ୍ତି ତାଙ୍କ ଘରେ ଛାତରୁ ପାଣି ଗଲୁଛି । ସ୍ଥାନୀୟ ବିଡିଓଙ୍କୁ ଗତ ୨ ବର୍ଷ ଧରି ଅଭିଯୋଗ କରିଆସୁଥିଲେ ସୁଦ୍ଧା ଏଭଳି ଅସହାୟ ପରିବାରକୁ ଘର ଦେବାପାଇଁ ବିଭିନ୍ନ ନିୟମର ଆଳ ଦେଖାଉଛନ୍ତି ବୋଲି ଅଭିଯୋଗ ହେଉଛି । ସରକାରଙ୍କ ତରଫରୁ କେବଳ ୭୦୦ ଟଙ୍କା ଭତ୍ତା ଏବଂ ରାସନ କାର୍ଡକୁ ଛାଡି ଦେଲେ ପ୍ରାୟ ସମସ୍ତ ଯୋଜନାରେ ବଞ୍ଚିତ ଥିବା ମହାଦେବ କହିଛନ୍ତି । ମହାଦେବଙ୍କ ବଡ଼ ପୁଅ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ତାଙ୍କୁ ନିର୍ମାଣ ଶ୍ରମିକ ଛାତ୍ରବୃତ୍ତି ସହାୟତା ମିଳୁନାହିଁ । ସରକାରୀ ନିୟମାନୁସାରେ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ସ୍ୱତନ୍ତ୍ର ପକ୍କାଗୃହ ପ୍ରଦାନ କରିବାର ନିୟମ ରହିଥିଲେ ସୁଦ୍ଧା ଏହି ମହତ ଯୋଜନାରୁ ମହାଦେବ ବଞ୍ଚିତ ଥିବା କୋହଭରା କଣ୍ଠରେ ଜଣାଇଛନ୍ତି ।

jayashree
Leave A Reply

Your email address will not be published.