jayashree

ଜମି ଅସଲି ଚାଷୀ ନକଲି : ବର୍ଷ ବର୍ଷ ଧରି ହଜମ କରୁଥିଲେ ଫସଲ ବୀମା ଟଙ୍କା, ଗିରଫ ହେଲେଣି ୧୦ଜଣ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାରେ ଏବେ ଚିନ୍ତାରେ ନକଲି ଚାଷୀ । ଅସଲି ଚାଷୀଙ୍କ ଜମି ଦେଖାଇ ଫସଲ ବୀମା ହାତେଇଥିବା ନକଲି ଚାଷୀମାନଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇ ସାରିଥିବା ବେଳେ କଣ୍ଟାବାଞ୍ଜି ଥାନାରେ ବର୍ତ୍ତମାନ ସୁଦ୍ଧା ଦଶ ଜଣରୁ ଉର୍ଦ୍ଧ୍ବ ଗିରଫ ହୋଇସାରିଥିବା ସୂଚନା ମିଳିଛି । ଏହି ନକଲି ଚାଷୀମାନଙ୍କ ତାଲିକା ଆଗକୁ ଆହୁରି ଲମ୍ବିବାର ସମ୍ଭାବନା ରହିଥିବା ବେଳେ ଅନ୍ୟ ଥାନା ଅଞ୍ଚଳ ମାନଙ୍କରେ ମଧ୍ୟ ନକଲି ଚାଷୀ ଓ ଏହି କାରବାରରେ ଲିପ୍ତ ଥିବା ଲୋକଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏକ ବଡ ଧରଣର ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଛି । ଅସଲି ଚାଷୀଙ୍କ ଜମି ଦେଖାଇ କିଛି ନକଲି ଚାଷୀ ହୋଇ ଫସଲ ବୀମା ଟଙ୍କା ହଜମ କରିଥିବା ବେଳେ ସେମାନଙ୍କ ପାଇଁ ଏବେ ଅଡୁଆ ବଢିବାରେ ଲାଗିଛି । ଏହି କାରବାରରେ ସିଏଚସି ଅପରେଟର ମାନଙ୍କ ସଂପୃକ୍ତି ରହିଥିବା ବେଳେ ଜିଲ୍ଲାର କଣ୍ଟାବାଞ୍ଜି ଥାନାରେ ୧୦ରୁ ଉର୍ଦ୍ଧ୍ବ ଲୋକ ଗିରଫ ହେବା ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ଗତ ୩ ତାରିଖରେ କଣ୍ଟାବାଞ୍ଜି ଥାନା ଚାଉଲଶୁଖା ଗାଁର ଧନଞ୍ଜୟ ମେହେର ଓ ତାଙ୍କ ପରିବାର ଲୋକଙ୍କ ଖାତା ନଂ ୧୨୫ର ଜମି ଦେଖାଇ ଉକ୍ତ ଗାଁର ଦେବେନ୍ଦ୍ର ମେହେର, ବିଶିକେସନ ମେହେର ଓ ବେଲପଡ଼ା ଥାନା ଭାଲୁମୁଣ୍ଡା ଗାଁର ଅର୍ଜୁନ ମେହେର ଗତ ଚାରି ପାଞ୍ଚ ବର୍ଷ ହେଲା ଫସଲ ବୀମା ଟଙ୍କା ଉଠାଇ ହଡପ କରି ଚାଲିଥିଲେ । ଜମି କାଗଜପତ୍ରରେ ଚଞ୍ଚକତା କରି ସେମାନେ ଏହି କାରବାର କରିଚାଲିଥିବା ବେଳେ ଏହା ଜାଣିବା ପରେ ଏନେଇ ଧନଞ୍ଜୟ ମେହେରଙ୍କ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ତଦନ୍ତ କରି ଏହି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିପରି ଗତ ୭ ତାରିଖରେ ପୁଣି ଏକ ସମାନ ମାମଲା ଥାନାରେ ଆସି ପହଞ୍ଚିଥିଲା । ଉପରୋକ୍ତ ଅଭିଯୋଗ କ୍ରମେ ପୁଲିସ ତିନି ଜଣ ସିଏଚସି ଅପରେଟରଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ କଣ୍ଟାବାଞ୍ଜି ରୋଡ ନଂ ୪ର ସିଏଚସି ମାଳିକ ସଞ୍ଜୟ ପଣ୍ଡା, ମୁରିବାହାଲ ବ୍ଲକ ବଡସାଇମରା ସିଏଚସି ମାଲିକ ନିରଞ୍ଜନ ମେହେର ଓ ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ସିଏଚସି ମାଲିକ ଜିତେନ୍ଦ୍ର ବେହେରାଙ୍କୁ ପୁଲିସ ଗିରଫ କରିଥିଲା । ସେହିପରି ଆଉ ଏକ ଘଟଣାକ୍ରମ ଅନୁସାରେ ତୁରେକେଲା ବ୍ଲକ ଡଙ୍ଗାମରା ଗାଁର ଛବିମୟ ପୁଟେଲଙ୍କ ଜମି ଦେଖାଇ ଚାଉଲଶୁଖା ଗାଁର ସିଏଚସି ମାଲିକ ବୈଲୋଚନ ମେହେର, ପହଲ୍ଲାଦ ମେହେର, ଯଦୁମତି ମେହେର ଫସଲବୀମା ଟଙ୍କା ହଡପ କରିଥିଲେ । ଏହି ତିନି ଜଣଙ୍କୁ ପୁଲିସ ଦୁଇ ଦିନ ତଳେ ଗିରଫ କରି କୋର୍ଟଚାଲାଣ କରିଥିଲା । ନକଲି ଚାଷୀ ସାଜି ଅସଲି ଚାଷୀ ମାନଙ୍କ ଜମିର ଫସଲବୀମା ଟଙ୍କା ହଡପ କରିବା ଘଟଣାରେ ବୁଧବାର ପୁଲିସ ଜଣେ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଗିରଫ କରିଛି । ଗିରଫ ସରକାରୀ କର୍ମଚାରୀ ଜଣକ ହେଲେ ବଲାଙ୍ଗିର କୋର୍ଟରେ କାର୍ଯ୍ୟରତ ଥିବା କନିଷ୍ଠ କିରାଣୀ ପିତବାସ ମିଶ୍ର ବୋଲି ଜଣାପଡ଼ିଛି । ତୁରେକେଲା ଥାନା ମନ୍ଦଲା ଗାଁର ଜଗତରାମ ପଧାନଙ୍କ ଥିବା ଜମିକୁ ଦେଖାଇ କେହି ଫସଲବୀମା ଟଙ୍କା ହଡପ କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକ୍ରମେ ପିତବାସ ମିଶ୍ରଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ହେଇଥିବା କିରାଣୀ ପିତବାସ ମିଶ୍ରଙ୍କ ଘର ବୌଦ୍ଧ ଜିଲ୍ଲା ବାଗବାହାଲି ଗାଁ ହୋଇଥିବା ବେଳେ ସେ ଦୀର୍ଘ ବର୍ଷ ଧରି କଣ୍ଟାବାଞ୍ଜି କୋର୍ଟରେ କାମ କରୁଥିଲେ । ବର୍ତ୍ତମାନ ସୁଦ୍ଧା କେବଳ କଣ୍ଟାବାଞ୍ଜି ଥାନାରେ ଦଶ ଜଣକୁ ପୁଲିସ ଗିରଫ କରିସାରିଥିବା ବେଳେ ଏଥିରେ ଆହୁରି ଅନେକ ଫସିବାର ସମ୍ଭାବନା ରହିଛି । କେବଳ ଏହି ଗୋଟିଏ ଥାନା କାହିଁକି ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ଏହି ଠକେଇ କାରବାର କରାଯାଇଥିବା ବେଳେ ସିଏଚସି ଅପରେଟର ମାନଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିଛି । ତେବେ ଜିଲ୍ଲାସ୍ତରରେ ଏକ ସ୍ୱତନ୍ତ୍ର ଟିମ କରି ଏହି ଘଟଣାର ତଦନ୍ତ କଲେ ଅନେକ ବଡବଡିଆ, ରାଜନେତା, ସିଏଚସି ଅପରେଟର ପୁଲିସ ହାତରେ ଗିରଫ ହୋଇ ଜେଲ ଯିବେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.