ସ୍କୁଲ ଖୋଲିବା ପୂର୍ବରୁ ପିଲାଏ ପାଇବେ ତ’ ପୋଷାକ ?

  • ପ୍ରଥମରୁ ଅଷ୍ଟମରେ ପଢ଼ିବେ ୧୪୨ଟି ସ୍କୁଲର ୧୦୫୬୬ ଛାତ୍ରଛାତ୍ରୀ
  • ପ୍ରଥମ ଓ ଅଷ୍ଟମ ଶିଶୁ ପାଇଁ ସମାନ ଅନୁଦାନର ପୋଷାକ ମାନକୁ ନେଇ ସନ୍ଦେହ

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ଶିକ୍ଷା ବର୍ଷରେ ଦେଓଗାଁ ବ୍ଳକର ୬୨ଟି ପ୍ରାଥମିକ, ୬୭ଟି ଉଚ୍ଚ ପ୍ରାଥମିକ ଓ ୧୩ଟି ହାଇସ୍କୁଲ ମୋଟ ୧୪୨ଟି ସ୍କୁଲରେ ୧୦ହଜାର ୫୬୬ ଜଣ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଅଧ୍ୟୟନ କରିବେ ବୋଲି ଜଣାପଡ଼ିଛି । ଯେଉଁମାନେ କି ଦୁଇ ହଳ ଲେଖାଏଁ ପୋଷାକ ଓ ମୋଜା ସହ ଗୋଟିଏ ହଳ ଜୋତା ପାଇବା ପାଇଁ ହକଦାର । ଦେଢ଼ ବର୍ଷ ପରେ ସ୍କୁଲକୁ ଆସିବା ପାଇଁ ଆଗ୍ରହ କରୁଥିବା ଛାତ୍ରଛାତ୍ରୀମାନଙ୍କ ଚଳିତ ବର୍ଷର ପୋଷାକକୁ ନେଇ ଅବିଭାବକମାନେ ଚିନ୍ତାରେ ପଡ଼ିଛନ୍ତି । ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ଦାବୀ କରୁଛନ୍ତି ଯେ, ଆମେ ନିୟମିତ ଭାବେ ସ୍କୁଲକୁ ଆସୁଅଛୁଁ । ହେଲେ ଆସିବାକୁ ପ୍ରସ୍ତୁତ ହୋଇଥିବା ଛାତ୍ରଛାତ୍ରୀମାନଙ୍କର ପୋଷାକ ପାଇଁ ସରକାର କଣ ବ୍ୟବସ୍ଥା କରିଛନ୍ତି ‌ତାହା କେବଳ ଚିଠିରୁ ହିଁ ଜାଣିଛୁଁ । ଶିକ୍ଷା ବିଭାଗ ପକ୍ଷରୁ ପାଇଥିବା ସୂଚନା ଅନୁସାରେ ଚଳିତ ବର୍ଷ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦୁଇ ହଲ ପୋଷାକ, ଦୁଇ ହଲ ମୋଜା ଏବଂ ଗୋଟିଏ ହଳ ଜୋତା ଦେବାକୁ ସରକାରୀ ଅନୁଦାନର ବ୍ୟବସ୍ଥା ହୋଇଛି । ଦୁଇ ହଳ ପୋଷାକ ବାବଦରେ ୪ଶହ ଓ ଦୁଇ ହଲ ମୋଜା ଓ ଗୋଟିଏ ହଳ ଜୋତା ବାବଦରେ ୨ଶହ ମୋଟ ଛାତ୍ରଛାତ୍ରୀ ପ୍ରତି ୬ଶହ ଟଙ୍କାର ବ୍ୟବସ୍ଥା କରାଯାଇଛି । କରୋନା ଯୋଗୁଁ ପ୍ରତି ଛାତ୍ରଛାତ୍ରୀ ନିକଟକୁ ପାଠ୍ୟ ପୁସ୍ତକ ସହ ମଧ୍ୟାହ୍ନ ଭୋଜନ ବାବଦରେ ଅନୁଦାନ ପହଞ୍ଚାଯାଇଥିବା ବେଳେ ପୋଷାକରେ କିପରି ବ୍ୟତିକ୍ରମ ହେବାକୁ ଯାଉଛି ତାହାକୁ ନେଇ ଅବିଭାବକମାନେ ଚିନ୍ତାରେ ପଡ଼ିଛନ୍ତି । ଅନ୍ୟପକ୍ଷରେ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀ ଯାହାର ବୟସ ୬ବର୍ଷ ପାଇଁ ଦୁଇ ହଳ ପୋଷାକ, ଦୁଇ ହଲ ମୋଜା ସହ ଗୋଟିଏ ହଳ ଯୋଜାକୁ ୬ଶହ ଟଙ୍କାର ଅନୁଦାନ ଆସିଥିବା ବେଳେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ବୟସ ଯାହାର ପ୍ରାୟ ୧୩ବର୍ଷ ସେମାନଙ୍କ ପାଇଁ ମଧ୍ୟ ସମ‌ାନ ଅନୁଦାନ ଦେବାର ବ୍ୟବସ୍ଥା କରାଯାଉଥିବାରୁ ତାହାକୁ ନେଇ ଆଲୋଚନା ହେଉଛି । ୫ବର୍ଷର ଶିଶୁ ଓ ୧୩ବର୍ଷର ଶିଶୁଙ୍କ ସମାନ ମାପର କପଡା ହେଉ ନ ଥିବାରୁ କପଡ଼ାର ମାନକୁ ନେଇ ନିଶ୍ଚିତ ଭାବେ ସନ୍ଦେହ କରାଯାଇପାରେ ।

Leave A Reply

Your email address will not be published.