ବରଗଡ, (ନିରୋଜ କୁମାର ପାଣୀ) : ଲାୟନ୍ସ କ୍ଳବ ଥୁଆପଲିର ସଦସ୍ୟ ଆଜି ବରଗଡ଼ ୧୫ନମ୍ବର ୱାର୍ଡରେ ବସବାସ କରୁଥିବା କ୍ୟାନ୍ସର ପୀଡିତା ସୁନିତା ସୁନାଙ୍କ ପରିବାର ଲୋକଙ୍କୁ ଏକ ମାସର ରାସନ ସାମଗ୍ରୀ ପ୍ରଦାନ କରିଥିବା ସୂଚନା ମିଳିଛି । ‘କୋଶଳ ପ୍ରବାହ’ ସହ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଲାୟନ୍ସ କ୍ଳବ ଥୁଆପାଲି ଉକ୍ତ ପରିବାରର ସମସ୍ୟା ବିଷୟରେ ଅବଗତ ହୋଇଥିଲେ ଓ ତାଙ୍କୁ ଏକ ମାସର ରାସନ ଯୋଗାଇ ଦେବେ ବୋଲି ଆଲୋଚନା କରିଥିଲେ । ଯାହା ଆଜି ଲାୟନ୍ସ ସଦସ୍ୟ ସୁନୀଲ ବାଙ୍କା, ଦୀପକ ଅଗ୍ରୱାଲ ଓ ରଶ୍ମି ପାଢ଼ୀ ପ୍ରମୁଖ ଥୁଆପାଲିରୁ ବରଗଡ଼ ଆସି ଉକ୍ତ ଅସହାୟ ପରିବାରରକୁ ଏକ ମାସର ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ । କେବେ କାହାରି ପାଖରେ ହାତ ପତାଇ ନଥିବା ମିଥିଲା ସୁନାଙ୍କ ପରିବାର ଆଜି ରାସନ ସାମଗ୍ରୀ ଗ୍ରହଣ କଲା ବେଳେ କାନ୍ଦି ପକାଇ ଥିଲେ ମା’ ମିଥିଲା ସୁନା । ପରିସ୍ଥିତି ଆଜି ତାଙ୍କୁ ବାଧ୍ୟ କରିଛି ଏସବୁ ନେବା ପାଇଁ ବୋଲି ସେ କହିଥିଲେ ଓ ରାସନ ସାମଗ୍ରୀ ଯୋଗାଇ ଦେଇଥିବା ସଦସ୍ୟଙ୍କ ଠାରେ ଚିର ଋଣୀ ରହିବେ ବୋଲି କହିଥିଲେ । ଏ ଜନ୍ମରେ ଆଉ ଏ ଉପକାର ସୁଝି ପାରିବେ ନାହିଁ ବୋଲି ମିଥିଲା ସୁନା କାନ୍ଦି କାନ୍ଦି କହିଥିଲେ । ପ୍ରକୃତରେ ଦେଖିବାକୁ ଗଲେ ଲାୟନ୍ସ କ୍ଳବର ଏପରି କାର୍ୟ୍ୟକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି ।