‘କୋଶଳ ପ୍ରବାହ’ର ପ୍ରଭାବ : ଦୁଇ ଦିବ୍ୟାଙ୍ଗଙ୍କୁ ମିଳିଲା ସରକାରୀ ଭତ୍ତା

ବରଗଡ, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଗରୀବ ଲୋକଙ୍କ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଲୋକଙ୍କ ସଚେତନତା ଅଭାବରୁ ପ୍ରକୃତ ହିତାଧିକାରୀ ଏହାର ସୁବିଧା ସୁଯୋଗ ପାଇ ପାରୁନାହାନ୍ତି ।ଏମିତି କିଛି ଘଟଣା ଦେଖିବାକୁ ମିଳିଥିଲା ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅମ୍ବାଭୋନା ଗ୍ରାମର ରାମଚନ୍ଦ୍ର ବାଗ ଏବଂ ଫୁଲମତି ଦାସଙ୍କ କ୍ଷେତ୍ରରେ । ଅମ୍ବାଭୋନା ସଦର ଗ୍ରାମର ରାମଚନ୍ଦ୍ର ବାଗ ବୟସ ୩୮, ଏକ ଆକସ୍ମିକ ଦୁର୍ଘଟଣା ତାଙ୍କର ଜୀବନକୁ ସଂପୂର୍ଣ୍ଣ ରୂପେ ଉଜାଡ଼ି ଦେଇଥିଲା ଏବଂ ସେ ଦିବ୍ୟାଙ୍ଗ ହୋଇଯାଇଥିଲେ ।

ଆଉ ଏକ ଘଟଣା, ଅମ୍ବାଭୋନା ଗ୍ରାମର ଅସହାୟ ମହିଳା ଫୁଲମତୀ ଦାସ, ତାଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ସେବା ଅଧିକାରୀ ୨୦୦୭ ମସିହାରୁ ଭିନ୍ନକ୍ଷମର ପରିଚୟ ଦେଇଥିଲେ ମଧ୍ୟ, ବିଡମ୍ବନାର ବିଷୟ ଯେ, ସେ ସରକାରୀ ଭତ୍ତା ପାଇବାରୁ ବଞ୍ଚିତ ରହିଥିଲେ । ‘କେଶଳ ପ୍ରବାହ’ରେ ଏ ସଂପର୍କରେ ନ୍ୟୁଜ ପରିବେଷଣ ପରେ ଉଭୟ ଘଟଣାଟି ଅମ୍ବାଭୋନା ଗ୍ରାମର ଯୁବ ସ୍ୱେଚ୍ଛାସେବୀ ଅଭୟ କୁମାର ପଣ୍ଡାଙ୍କ ନଜରରେ ଆସିଥିଲା, ପରେ ସେମାନଙ୍କୁ ସରକାରୀ ସ୍ତରରେ ଭତ୍ତା ଯୋଗାଇ ଦେବାକୁ ବରଗଡ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତିକରଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଅମ୍ବାଭୋନା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର କମଳ ପ୍ରସାଦ ମଲ୍ଲିକଙ୍କ ସହଯୋଗରେ ସେମାନଙ୍କ ମେଡ଼ିକାଲ ପ୍ରମାଣ ପତ୍ର ତିଆରି କରି ସମସ୍ତ ସରକାରୀ କାଗଜପତ୍ର ସହ ତାଙ୍କୁ ସରକାରୀ ସ୍ତରରେ ଭତ୍ତା ପ୍ରଦାନ କରିବାକୁ ବ୍ଲକ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତିକରଣ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ଅଭୟଙ୍କ ଏହି ଅନୁରୋଧକୁ ରକ୍ଷା କରି ରାମଚନ୍ଦ୍ର ଏବଂ ଫୁଲମତୀଙ୍କୁ ମଧୁବାବୁ ଭତ୍ତା ପ୍ରଦାନ କରାଯାଇଛି । ଉଭୟ ଫୁଲମତୀ ଓ ରାମଚନ୍ଦ୍ରଙ୍କ ପରିବାର ତରଫରୁ କୋଶଳ ପ୍ରବାହ ପରିବାର ଓ ଅଭୟଙ୍କ ବଦାନ୍ୟତା ପାଇଁ ତାଙ୍କୁ ସାଧୁବାଦ ସହ ଶୁଭାଶିଷ ଦିଆଯାଉଥିବା ବେଳେ ଅଞ୍ଚଳରେ ଏହି ମହତ୍ କାର୍ଯ୍ୟ ପାଇଁ ଖୁବ୍ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.