ମୁଖ୍ୟ ଶାସନ ସଚିବ ଓ ‘୫ଟି’ ସଚିବଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ : ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି)ଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଏକ ଟିମ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତ କରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ ବ୍ୟବସ୍ଥା ଓ ଜିଲ୍ଲାରେ ନିର୍ମାଣଧୀନ ବିଭିନ୍ନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସଚିବ ‘୫ଟି’ ଭି.କେ. ପାଣ୍ଡିଆନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ବଲାଙ୍ଗିର ଜିଲ୍ଲା ଗସ୍ତ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ସହ ସମୀକ୍ଷା କରିଛନ୍ତି । ପୂର୍ବାହ୍ନରେ ରାଜ୍ୟ ପ୍ରଶାସନର ଏହି ଉଚ୍ଚ ସ୍ତରୀୟ ଟିମ ତୁଷୁରା ଏୟାରଷ୍ଟ୍ରିପରେ ଅବତରଣ କରିବା ପରେ ଦେଓଗାଁ ବ୍ଲକ ଗସ୍ତରେ ଆସି ଦେଓଗାଁ ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ପରିଦର୍ଶନ କରିଥିଲେ । ସୂଚନା ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ‘୫ଟି’ କାର୍ଯ୍ୟକ୍ରମ ଅଧୀନରେ ବଲାଙ୍ଗିର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୨୪ ଗୋଟି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରାଯାଉଛି ଯାହା ଫଳରେ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷିକ ବାତାବରଣ ସୁଯୋଗ ସୃଷ୍ଟି କରାଯାଇପାରିବ । ଏହି ଉଚ୍ଚ ସ୍ତରୀୟ ଟିମ ବିଦ୍ୟାଳୟର ଉନ୍ନତ ମାନର ସ୍ମାର୍ଟ କ୍ଲାସରୁମ, ବିଜ୍ଞାନ ପରୀକ୍ଷାଗାର, ଇ-ପାଠାଗାର ଇତ୍ୟାଦି ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ, ଶିକ୍ଷକ ତଥା ପୁରାତନ ଛାତ୍ରଙ୍କ ସହ ଶିକ୍ଷା ଦାନ ବ୍ୟବସ୍ଥା ଓ ଆନୁସଙ୍ଗିକ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ବଲାଙ୍ଗିର ସହର ସ୍ଥିତ ପି.ପି. ଏକାଡେମି ପରିଦର୍ଶନ କରି ‘୫ଟି’ ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ସ୍ମାର୍ଟ କ୍ଲାସରୁମ, ବିଜ୍ଞାନ ପରୀକ୍ଷାଗାର, ଇ-ପାଠାଗାର ତଥା ବିଦ୍ୟାଳୟର ବିକାଶ ମୂଳକ କାର୍ଯ୍ୟର ତଦାରଖ କରିଥିଲେ । ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ପୁରାତନ ଛାତ୍ରଙ୍କ ସହ ଆଲୋଚନା କରିଥିଲେ । ପରେ ଏହି ଉଚ୍ଚ ସ୍ତରୀୟ ଟିମ ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶିଳାନ୍ୟାସ କରାଯାଇଥିବା ନିର୍ମଣାଧୀନ ତରଳ ମେଡିକାଲ ଅକ୍ସିଜେନ ପ୍ଳାଣ୍ଟ (ଏଲ୍‌.ଏମ୍‌.ଓ) ଓ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନର ଉତ୍ପାଦିକରଣ ଏବଂ ବଣ୍ଟନ ବ୍ୟବସ୍ଥା (ପି.ଏସ୍‌.ଏ) କାର୍ଯ୍ୟର ଅନୁଧ୍ୟାନ କରିବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ରୋଗୀ ମାନଙ୍କ ସହାୟତା ପାଇଁ ଆସୁଥିବା ସମ୍ପର୍କୀୟଙ୍କ ନିମନ୍ତେ ନିର୍ମଣାଧୀନ ଆଶ୍ରୟସ୍ଥଳୀ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନ ଜରିଆରେ ଇ.ଏନ୍‌.ଟି/ ଅର୍ଥୋପେଡିକ ୱାର୍ଡ ଠାରେ ନିର୍ମିତ ଶିଶୁ କୋଭିଡ ୱାର୍ଡ ପରିଦର୍ଶନ କରିଥିଲେ । ସମ୍ଭାବ୍ୟ କୋଭିଡ-୧୯ ତୃତୀୟ ଲହରର ମୁକାବିଲା ନିମନ୍ତେ ଜିଲ୍ଲାରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ । ଏତଦବ୍ୟତୀତ ୩୨ ଶଯ୍ୟା ବିଶିଷ୍ଠ ଆଇ.ସି.ୟୁ. ଓ ସେଣ୍ଟ୍ରାଲ ଅକ୍ସିଜେନ ସପ୍ଲାଏ ମେନିଫୋଲ୍ଡ ସିଷ୍ଟମର କାର୍ଯ୍ୟ ତଦାରଖ କରିଥିଲେ । ପରେ ଏହି ଉଚ୍ଚ ସ୍ତରୀୟ ଟିମ ଭୀମ ଭୋଇ ମେଡିକାଲ କଲେଜ ଯାଇ ନିର୍ମଣାଧୀନ ୬୫୦ ଶଯ୍ୟା ବିଶିଷ୍ଠ ଟିଚିଙ୍ଗ ହସ୍ପିଟାଲର ପରିଦର୍ଶନ କରି ଏହାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏତଦବ୍ୟତୀତ ସର୍ଭିସ ବ୍ଲକ, ମେଡିକାଲ ଗ୍ୟାସ ପାଇପ ଲାଇନ ସିଷ୍ଟମ, ଇ.ଏସ୍‌.ଏସ୍‌. କୋଠା, ସିଙ୍ଗିଲ ବେଡରୂମ ନନ ଟିଚିଙ୍ଗ ବାସଗୃହ, ନର୍ସ ହଷ୍ଟେଲର ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ପରେ ଏହି ଉଚ୍ଚ ସ୍ତରୀୟ ଟିମ ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପା ପରିଦର୍ଶନରେ ଯାଇ ବିଜ୍ଞାନ ପରୀକ୍ଷାଗାର, ଲାଇବ୍ରେରୀ ଆଦି ପରିଦର୍ଶନ କରି ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଶିକ୍ଷା ଦାନ ବ୍ୟବସ୍ଥା, ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଆନୁସାଙ୍ଗିକ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଏହି ଉଚ୍ଚ ସ୍ତରୀୟ ଟିମ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ନିର୍ମାଣ ସ୍ଥଳକୁ ପରିଦର୍ଶନରେ ଯାଇ ଡ୍ୟାମ ଓ ସ୍ପିଲୱେର ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ଏତଦବ୍ୟତୀତ ବଲାଙ୍ଗିର ଠାରେ ପ୍ରତିଷ୍ଠା ହେବାକୁ ଥିବା ସାଇନ୍ସ ପାର୍କ ଓ ପ୍ଲାନେଟୋରିୟମ, ନୂତନ ବସ ଟର୍ମିନାଲ, ଉପଖଣ୍ଡ ଚିକିତ୍ସାଳୟ, ଏବଂ ମା ଓ ଶିଶୁ ହସ୍ପିଟାଲ ପାଟଣାଗଡ, ଟିଟିଲାଗଡ, ବଲାଙ୍ଗିର ବାଇପାସ, ମହାରାଣୀ ସାଗର ଟ୍ୟାଙ୍କ, ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପାନୀୟ ଜଳ, ଜଳସେଚନ ଓ ବିଦ୍ୟୁତ ଯୋଗାଣ ଆଦି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଉଚ୍ଚ ସ୍ତରୀୟ ଟିମର ଏହି ଗସ୍ତ ସମୟରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତୀନ କୁଶଲଙ୍କରଙ୍କ ସମେତ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.