ବଲାଙ୍ଗିର-କଳାହାଣ୍ଡି-ନୂଆପଡ଼ା ଆଂଚଳିକ ଦୁଗ୍ଧ ସଂଘର ଭ୍ରାମ୍ୟମାଣ ଗୋଚିକିତ୍ସା ସେବା ଏବଂ ଗୋଯତ୍ନ ସମ୍ବନ୍ଧୀୟ ଦୂରଭାଷ ପରାମର୍ଶ ସେବା କେନ୍ଦ୍ରର ଶୁଭ ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଲର୍କିପାଲି ସ୍ଥିତ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ପରିସରରେ ବଲାଙ୍ଗିର-କଳାହାଣ୍ଡି-ନୂଆପଡ଼ା ଆଂଚଳିକ ଦୁଗ୍ଧ ସଂଘର ଭ୍ରାମ୍ୟମାଣ ଗୋଚିକିତ୍ସା ସେବା ଏବଂ ଗୋଯତ୍ନ ସମ୍ବନ୍ଧନୀୟ ଦୂରଭାଷ ପରାମର୍ଶ ସେବା କେନ୍ଦ୍ରର ଶୁଭ ଉଦ୍‌ଘାଟନ ହୋଇଯାଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍‌ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭ୍ରାମ୍ୟମାଣ ଗୋଚିକିତ୍ସା ସେବା ଏବଂ ଗୋଯତ୍ନ ସମ୍ବନ୍ଧନୀୟ ଦୂରଭାଷ ପରାମର୍ଶ ସେବା କେନ୍ଦ୍ରର ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ତଥା ବଲାଙ୍ଗିର-କଳାହାଣ୍ଡି-ନୂଆପଡ଼ା ଆଂଚଳିକ ଦୁଗ୍ଧ ସଂଘର ପ୍ରଶାସକ ଚଂଚଳ ରାଣା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଦିଗାମ୍ବର ନାୟକ, ସଂଘର ସାଧାରଣ ପରିଚାଳକ ଡା. ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ବଲାଙ୍ଗିର-କଳାହାଣ୍ଡି-ନୂଆପଡ଼ା ଦୁଗ୍ଧ ସଂଘର ‘ଗୋପାଳନ ମାଧ୍ୟମରେ ଗ୍ରାମାଂଚଳର ଦୁଗ୍ଧଚାଷୀଙ୍କ ସାମାଜିକ ଉତ୍‌ଥାନ ସମ୍ବନ୍ଧୀୟ କର୍ମଶାଳା’ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା । ଏହି କର୍ମଶଳାରେ ଉପସ୍ଥିତ ଦୁଗ୍ଧ ଚାଷୀ ଏବଂ ପ୍ରାଣୀ ଚିକିତ୍ସକ ମାନଙ୍କୁ ଉଦ୍‌ବୋଧନ ଦେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ବର୍ତ୍ତମାନ ସୁଦ୍ଧା ସଂଘ ମାଧ୍ୟମରେ ୧୫ ହଜାର ଦୁଗ୍ଧ ଚାଷୀ ସାମିଲ ଅଛନ୍ତି ଏବଂ ସେମାନଙ୍କଠାରୁ ଦୈନିକ ୬୫,୦୦୦ ଲିଟର ଦୁଗ୍ଧ ସଂଗ୍ରହ କରାଯାଇଛି । ଆଗାମୀ ଦିନରେ ଯେପରି ଦୁଗ୍ଧ ସଂଘରେ ୩୦ ହଜାର ଦୁଗ୍ଧ ଚାଷୀ ସାମିଲ ହେବେ ସେ ଦିଗରେ ପ୍ରଚେଷ୍ଟା କରିବା ପାଇଁ ପରାମର୍ଶ ଦେଇଥିଲେ । ପାରମ୍ପାରିକ ଧାନ ଚାଷ ବ୍ୟତୀତ ଗୋପାଳନ, ମତ୍ସଚାଷୀ, ଉଦ୍ୟାନ କୃଷି ଇତ୍ୟାଦି କ୍ଷେତ୍ରରେ ଚାଷୀମାନେ ଆଗ୍ରହ ହେଲେ ସେମାନଙ୍କ ଅର୍ଥନୈତିକ ବିକାଶ ହେବା ସହ ଗ୍ରାମାଂଚଳର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ । ଭ୍ରାମ୍ୟମାଣ ଗୋଚିକିତ୍ସା ସେବା ଆରମ୍ଭ ହେବା ଦ୍ୱାରା ଚାଷୀମାନଙ୍କୁ ବିଭିନ୍ନ ପ୍ରକାରର ଇନ୍‌ପୁଟ୍‌, ଭ୍ୟାକ୍ସିନ ଇତ୍ୟାଦି ଯୋଗାଇ ଦିଆଯାଇ ପାରିବ ଏବଂ ସେମାନେ ଏଲ୍‌ଆଇ ସେଂଟରକୁ ନଆସି ମଧ୍ୟ ସହଜରେ ଏହି ସୁବିଧା ପାଇପାରିବେ ବୋଲି ପ୍ରକାଶ କରିଥିଲେ । ଗୋଯତ୍ନ ସମ୍ବନ୍ଧୀୟ ଦୂରଭାଷ ପରାମର୍ଶ ସେବା ମାଧ୍ୟମରେ ସୂଚନା ପାଇଁ ୧୫ ହଜାର ଦୁଗ୍ଧ ଚାଷୀ ଯୋଡ଼ି ହୋଇପାରିବେ ଏବଂ ବିଭିନ୍ନ ସମୟରେ ଥିବା ସେମାନଙ୍କର ସମସ୍ୟାଗୁଡ଼ିକ ସହଜରେ ସମାଧାନ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ । ଏହି ଉଦ୍‌ଘାଟନୀ ଉତ୍ସବରେ ୩ ଜଣ ପ୍ରାଣୀ ଚିକିତ୍ସକ ଡା.ଭବାନୀ ଶଙ୍କର ବେହେରା, ଡା.ସୁବ୍ରତ କୁମାର ରଥ ଓ ଡା.ପଲ୍ଲବୀ ପ୍ରିୟଦର୍ଶିନୀଙ୍କ ଗୋପାଳନ ବିକାଶ ଦିଗରେ ଅବଦାନ ଯୋଗୁଁ ଓ ଜଣେ ଦୁଗ୍ଧ ଚାଷୀ ସତ୍ୟନାରାୟଣ ବେହେରା ଲଗାତାର ୩ ବର୍ଷ ଧରି ସର୍ବାଧିକ ଦୁଗ୍ଧ ଯୋଗାଣ କରିଥିବାରୁ ପ୍ରଶଂସାପାତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବଲାଙ୍ଗିର-କଳାହାଣ୍ଡି-ନୂଆପଡ଼ା ଦୁଗ୍ଧ ସଂଘର ସମସ୍ତ ସମିତିର ସଂପାଦକ ଓ ହେଡ୍‌ ଲୋଡ଼ର ମାନଙ୍କୁ ଜୀବନ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏତଦ୍‌ବ୍ୟତୀତ ଦୁଗ୍ଦ ସଂଘର ଦ୍ୱିତୀୟ ସଂସ୍କରଣର ସାମାଚର ପୁସ୍ତିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଗୋଯତ୍ନ ସମ୍ବନ୍ଧୀୟ ଦୂରଭାଷ ପରାମର୍ଶ ସେବା କେନ୍ଦ୍ରର ବୈଷୟିକ ସହାୟତା ଓଡ଼ିଶା ଇନ୍‌ଫୋଟେକ୍‌ ସଂସ୍ଥା ସହାୟତାରେ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଦୁଗ୍ଧ ସଂଘର ସାଧାରଣ ପରିଚାଳକ ଡା.ସରୋଜ କୁମାର ସାହୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀ, କେତେକ ସମିତି ସଂପାଦକଙ୍କ ସମେତ ଦୁଗ୍ଧ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.