ପରୀକ୍ଷା ପାଇଁ ଦାବୀ କଲେ ଆଇଟିଆଇ ଛାତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ମହାମାରୀ ଯୋଗୁଁ ପରୀକ୍ଷା ବାତିଲ ହେବାରୁ ଶତାଧିକ ଆଇଟିଆଇ ଶିକ୍ଷାର୍ଥିଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ରହିଛି । ୨୦୧୭-୧୯ ବ୍ୟାଚର ବ୍ୟାକ ପରୀକ୍ଷା କରୋନା ମହାମାରୀ ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୂଞ୍ଚି ଯାଇଥିଲା । ଏ ଯାଏଁ ଦୁଇ ବର୍ଷ ବିତି ଯାଇଥିବା ପରେ ମଧ୍ୟ ସେମାନଙ୍କ ପରୀକ୍ଷା କିମ୍ବା ଫଳର କୌଣସି ଖବର ନାହିଁ । ଫଳରେ ଆଜି ବଲାଙ୍ଗିର ସରକାରୀ ଆଇଟିଆଇର ଶତାଧିକ ଶିକ୍ଷାର୍ଥି ଏବିଭିପି ନେତୃତ୍ୱରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆସି ଜିଲ୍ଲାପାଳଙ୍କୁ ଏ ସମ୍ବନ୍ଧରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ୨୦୧୭ରୁ ଆରମ୍ଭ ହୋଇଥିବା ଆଇଟିଆଇ ଶିକ୍ଷାର୍ଥିମାନଙ୍କ ଶିକ୍ଷା ଅବଧି ୨୦୧୯ରେ ଶେଷ ହେବାର ଥିଲା । କିନ୍ତୁ କୌଣସି କାରଣରୁ ୨୦୧୯ ଅଗଷ୍ଟ ମାସରେ ହୋଇଥିବା ୪ର୍ଥ ସେମିଷ୍ଟାରରେ ଏମାନଙ୍କ ବ୍ୟାକ ଲାଗିଥିଲା । ବ୍ୟାକ ପରୀକ୍ଷା ମାର୍ଚ୍ଚ ୨୦୨୦ରେ ହେବାକୁ ଥିବା ବେଳେ କରୋନା ଯୋଗୁଁ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚ ଯାଇଥିଲା । କଲେଜ କର୍ତ୍ତୁପକ୍ଷଙ୍କୁ ପଚାରିବାରୁ ଜେନେରାଲ ପରୀକ୍ଷା ସହିତ ତାଙ୍କ ବ୍ୟାକ ପରୀକ୍ଷା ହେବ ବୋଲି ସୂଚନା ମିଳିଥିଲା । ହେଲେ ଗତ ମାର୍ଚ୍ଚ ୨୦୨୧ରେ ଜେନେରାଲ ପରୀକ୍ଷା ସରି ଯାଇଥିବା ବେଳେ ୨୦୧୯ ବ୍ୟାଚର ବ୍ୟାକ ପରୀକ୍ଷା ଏ ଯାଏଁ ହୋଇ ପାରିନାହିଁ । ଫଳରେ ଉକ୍ତ ପରୀକ୍ଷାର୍ଥିମାନଙ୍କ ଶିକ୍ଷା ଅବଧି ଏ ଯାଏଁ ପାଞ୍ଚ ବର୍ଷରେ ପହଞ୍ଚିଛି । ଅନ୍ୟପଟେ ଉକ୍ତ ଶିକ୍ଷାର୍ଥୀମାନେ ପରୀକ୍ଷା ପାସ କରିନ ଥିବାରୁ ଉଭୟ ସରକାରୀ ଓ ବେସରକାରୀ କର୍ମସଂସ୍ଥାନ ପାଇବାରେ ବିଫଳ ହୋଇ ଖାଲି ବସି ରହିଛନ୍ତି । କରୋନା ମହାମାରୀରେ ଲୋକେ ନିଜର ଆର୍ଥିକ ଅବସ୍ଥା ସଂପୁର୍ଣ୍ଣ ହରାଇ ବସି ଥିବା ବେଳେ ଏମାନେ ଇଚ୍ଛା ସତ୍ୱେ ପରିବାର ତଥା ନିଜର ଭରଣ ପୋଷଣ କରିବାରେ ଅସମର୍ଥ ହେଉଛନ୍ତି । ଏଭଳି ସ୍ଥିତିରେ ଅନେକ ଶିକ୍ଷାର୍ଥି ଅବସାଦର ଶିକାର ହେଉଥିବା ଆଇଟିଆଇ ଛାତ୍ର ସଂଘ ଅଭିଯୋଗ କରିଛି । ତେଣୁ ଜିଲ୍ଲା ପ୍ରଶାସନ ସେମାନଙ୍କ ସମସ୍ୟା ଉପରେ ଦୃଷ୍ଟି ଦେବା ସହ ଯଥା ଶିଘ୍ର ସମସ୍ୟାର ସମାଧାନ ପାଇଁ ଆଇଟିଆଇର ଛାତ୍ରମାନେ ଜିଲ୍ଲାପାଳଙ୍କୁ ଏ ସମ୍ବନ୍ଧୀୟ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଅଖିଳ ଭାରତୀୟ ବିଧ୍ୟାର୍ଥି ପରିଷଦର ଟେକନିକାଲ ସେଲ ଛାତ୍ର ସଂଗଠନର ଫିରୋଜ କୁମାର ସାହୁଙ୍କ ନେତୃତ୍ୱରେ ଆଇଟିଆଇ କଲେଜର ସୋମରାଜ ନାଏକ, ସିଦ୍ଧେଶ୍ୱର ସା, ରଞ୍ଜନ ଛତ୍ରିଆ, ଆଦର୍ଶ ନନ୍ଦ, ଅମିତ ହାତୀ, ଓମ କୁମାର ଚନ୍ଦନ, ରବି ଘିବେଲା, ସଂଜିବ କୁମାର ଅମାତ, ସ୍ୱପ୍ନିଲ ରାଣା, ବିଶ୍ୱନାଥ ମିଶ୍ର ପ୍ରମୂଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.