ପାରିଶ୍ରମିକ ଟଙ୍କା ନ ପାଇବାରୁ ଠିକାଦାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଘରେ ଘରେ ବିଜୁଳି ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଏନ.ଟି.ପିସି ଦ୍ଵାରା ଫିଡ଼କୋ କମ୍ପାନୀ ମାଧ୍ୟମରେ ଠିକାଦାରଙ୍କୁ ନେଇ କାମ କଲେ ଏବଂ ଘରକୁ ଘର ବିଜୁଳି ପହଞ୍ଚାଇଲେ ହେଲେ କାମ କରିଥିବା ଠିକଦାର ଅପେକ୍ଷା କରି କରି ବକେୟା ପାଉଣା ଗଣ୍ଡାକ ପାଇ ପାରିଲେ ନାହିଁ । କେତେ ଆଉ ଅପେକ୍ଷା କରିଥାନ୍ତେ । ମାସେ କି ଦି’ ମାସ ନୁହେଁ ବର୍ଷ ବର୍ଷ ବିତି ଗଲାଣି । ହେଲେ କମ୍ପାନୀ କୌଣସି ପଦକ୍ଷପ ନେଉନାହିଁ । ଯାହା ଫଳରେ ବାଧ୍ୟ ହୋଇ ଏଭଳି ଅଭିଯୋଗ ଆଣିଛନ୍ତି, ଫିଡକୋ ବିରୁଦ୍ଧରେ । କିଏ ଘରୁ ସୁନା ଅଳଙ୍କାର ବନ୍ଧା ପକାଇଛି, ତ’ ଆଉକିଏ ବ୍ୟାଙ୍କରୁ ଲୋନ୍‌ ଆଣି କାମ କରିଛି । ନିଜର ପାରିଶ୍ରମିକ ବକେୟା ଟଙ୍କା ନ ପାଇବାରୁ ବହୁ ଶ୍ରମିକ ଏନେଇ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଜିଲ୍ଲାର କିଛି ଠିକାଦାର ସହ ବହୁ ଶ୍ରମିକ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତକରଣ ଯୋଜନା କାର୍ଯ୍ୟ ଆଦେଶ ନେଇ କରିଥିବା ଫିଡକୋରେ କାର୍ଯ୍ୟ କରିଥିଲେ । ହେଲେ କମ୍ପାନୀ କାର୍ଯ୍ୟରତ ଶ୍ରମିକମାନଙ୍କ ବକେୟା ପାଉଣା ନ ଦେଇ ଛୁ ମାରିଥିବା ଅଭିଯୋଗ ହୋଇଛି । ବକେୟା ପାଉଣା ମାଗିଲେ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ଓଲଟା ଧମକ ଦେଉଛନ୍ତି ବୋଲି ଶୁଭକାନ୍ତ ପ୍ରଧାନ, ନୃସିଂହ ନନ୍ଦ, ବସନ୍ତ ପଣ୍ଡା, ମଦନ ପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି । କୋରୋନା ମହାମାରୀ ସମୟରେ କାମଧନ୍ଦା ବନ୍ଦ ଥିବାରୁ ସେମାନେ ଦୁଃଖ କଷ୍ଟରେ ପରିବାର ଚଳାଉ ଥିବାବେଳେ କମ୍ପାନୀ କତୃପକ୍ଷ ବକେୟା ପାଉଣା ଗଣ୍ଡାକ ବି ହେଉନି । ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ସେମାନଙ୍କ ବକେୟା ପାଉଣା ମିଳିବାର ବ୍ୟବସ୍ଥା କରିଦେବା ପାଇଁ ପ୍ରଭାସ ସାହୁ, ବିରୁପାକ୍ଷ କହଁର, ପ୍ରମୋଦ ମଲିକ, ରଞ୍ଜିତ ମଲିକ, ଜିତେନ୍ଦ୍ର ଖଟୁଆ, ଶ୍ୟାମଘନ ପ୍ରଧାନ ପ୍ରମୁଖ ଦାବୀ କରିଛନ୍ତି ।

Leave A Reply

Your email address will not be published.