jayashree

ଶ୍ରୀଲଙ୍କାରେ ଅଭ୍ୟାସ ଆରମ୍ଭ କଲେ ଧାୱନଙ୍କ ଦଳ : ୧୩ରୁ ଦିନିକିଆ ସିରିଜ୍ ଆରମ୍ଭ

କଲମ୍ବୋ : ସୀମିତ ଓଭର ଶୃଙ୍ଖଳା (ଦିନିକିଆ ଓ ଟି-୨୦) ଖେଳିବା ପାଇଁ ଶ୍ରୀଲଙ୍କା ଗସ୍ତରେ ଥିବା ଶିଖର ଧାୱନ୍‌ଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍‌ ଦଳ ସଂଗରୋଧରୁ ବାହାରି ଶୁକ୍ରବାର ଦିନରୁ ଅଭ୍ୟାସ ଆରମ୍ଭ କରିଛି । ଚଳିତ ମାସ ୧୩ ତାରିଖରୁ ଶୃଙ୍ଖଳା ଆରମ୍ଭ ହେବାକୁ ଥିବା ବେଳେ ତିନି ଦିନ ହୋ‌ଟେଲ ରୁମ୍‌ରେ ସଂଗରୋଧରେ ରହିବା ପରେ ଭ୍ରମଣକାରୀ ଦଳ ଅଭ୍ୟାସ ସେସନ୍‌ କଟାଉଛି । ଅଭ୍ୟାସ ସେସନ୍‌ ବେଳେ ଅଧିନାୟକ ତଥା ବରିଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଶିଖର ଧାୱନ୍‌ ଏବଂ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‌ ଉପସ୍ଥିତ ଥିଲେ । ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳ ୩ ଲେଖାଏଁ ଦିନିକିଆ ଏବଂ ଟି-୨୦ ମ୍ୟାଚ୍‌ ଖେଳିବ ।

ଆଗାମୀ ଟି-୨୦ ବିଶ୍ୱକପ୍‌ (ଅକ୍ଟୋବର-ନଭେମ୍ବର) ପୂର୍ବରୁ ଏହା ଭାରତ ପାଇଁ ଶେଷ ଶୃଙ୍ଖଳା । ଏହି ଦଳରେ ପ୍ରାୟ ୬ ଜଣ ନବାଗତ (ଚେତନ ସାକାରିୟା, କେ ଗୌତମ, ନୀତୀଶ ରାଣା, ଦେବଦତ୍ତ ପଡିକଲ, ବରୁଣ ଚକ୍ରବର୍ତୀ ଓ ଋତୁରାଜ ଗାଏକ୍ୱାଡ) ସାମିଲ ରହିଥିବାରୁ ଏହାକୁ ଭାରତର ଦ୍ୱିତୀୟ ସ୍ତରୀୟ ଦଳ କୁହାଯାଉଛି । ଅବଶ୍ୟ ଶ୍ରୀଲଙ୍କା ବିପକ୍ଷ ଏହି ଶୃଙ୍ଖଳା ମୁଖ୍ୟତଃ ପୃଥ୍ୱୀ ସ’, ଈଷାନ କିଷନ, ସଞ୍ଜୁ ସାମ୍‌ସନ୍‌ ଓ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳିଙ୍କ ପାଇଁ ବିଶ୍‌ଶ୍ୱକପ୍‌ ଦଳରେ ଦାବିଦାର ହେବାର ସୁଯୋଗ ରଖିବ।

Leave A Reply

Your email address will not be published.