jayashree

ପାଣି ଆଣିବା ବେଳେ ଗଭୀର କୂଅରେ ଯୁବତୀ ଖସି ପଡିଲେ : ଅଗ୍ନିଶମ ବାହିନୀ ଓ ସ୍ୱେଚ୍ଛାସେବୀଙ୍କ ଉଦ୍ୟମ ଯୋଗୁଁ ଯୁବତୀ ବଂଚିଗଲେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଳକର କଟିମାହା ପଞ୍ଚାୟତରେ ଘଟିଛି ଏକ ଅଭାବନିୟ ଘଟଣା । ଘଟଣା ପ୍ରକାରେ ଏକ ନିଶ୍ଚିତ ମୃତ୍ୟୁ ମୁଖରେ ଜଣେ ଯୁବତୀ ଜୀବନ ଫେରିପାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କଟିମାହା ଅଞ୍ଚଳର ଜନୈକା ଯୁବତୀ ନିଜ ଘରର କିଛି ଦୂରରେ ଥିବା ଏକ କୂଅରୁ ପାଣି ଆଣିବା ବେଳେ ଅଚାନକ ଭାବେ ଉକ୍ତ ଗଭୀର କୂଅ ମଧ୍ୟରେ ପଡ଼ିଯାଇଥିଲେ । ପଡ଼ିଯିବା ଫଳରେ ତାଙ୍କର ମୁଣ୍ଡ ଫାଟିବା ସହିତ ଗୁରୁତର ଆହତ ହୋଇଥିଲେ । ତେବେ ସେହି ସମୟରେ ସେଠାରେ ଖେଳୁଥିବା କିଛି ଛୋଟ ଛୋଟ ପିଲାମାନେ ଏହା ଦେଖି ପାଟି କରିବାରୁ ଗ୍ରାମବାସୀ ରୁଣ୍ଡ ହୋଇଥିଲେ ମଧ୍ୟ ଗଭୀର କୂଅରୁ ବାହାର କରିବା ପାଇଁ କେହି ସାହାସ ଜୁଟାଇ ପାରିନଥିଲେ । ଏନେଇ ଗ୍ରାମବାସୀ ମାନେ ତୁରନ୍ତ ଟିକାବାଲି ଅଗ୍ନିଶମ ବିଭାଗ ସହିତ ଉକ୍ତ ଅଞ୍ଚଳରେ ଥିବା ଟିମ୍ ହ୍ୟୁମାନିଟର ସଦସ୍ୟ ହିରୋ ନାୟକ ଓ ନୀଳମାଧବ ପାତ୍ରଙ୍କୁ ଜଣାଇବା ପରେ ଅବିଳମ୍ବେ ଅଗ୍ନଶମ ବାହିନିର କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ କଟିମାହା ଗ୍ରାମରେ ପହଞ୍ଚି ଉକ୍ତ ଗଭୀର କୂଅରୁ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଯୁବତୀ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ ଅଗ୍ନିଶମ ବାହିନି ଓ ସ୍ୱେଚ୍ଛାସେବୀମାନଙ୍କର ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ଯୁବତୀ ଜଣକ ବର୍ତ୍ତିଥିବା ବେଳେ ଗ୍ରାମାବସୀ ଓ ଯୁବତୀଙ୍କ ପରିବାର ପକ୍ଷରୁ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.