ବ୍ରହ୍ମପୁର ଏମ୍.କେ.ସି.ଜି. ହସ୍ପିଟାଲକୁ ଗଞ୍ଜାମ ଜିଲାପାଳଙ୍କ ଅଚାନକ ଗସ୍ତ : ରୋଗୀଙ୍କ ସହ ସିଧାସଳଖ କଥା ବାର୍ତ୍ତା କଲେ, କୋଭିଡ଼ ଚିକିତ୍ସାରେ ତନଖି କରି କହିଲେ ‘ଏମ୍କେସିଜିରେ ଅକ୍ସିଜେନର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି’
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ବ୍ରହ୍ମପୁର ଏମ୍କେସିଜି କୋଭିଡ୍ ହସ୍ପିଟାଲକୁ ଅଚାନକ ପରିଦର୍ଶନ କରିବାକୁ ଯାଇଥିଲେ । ପିପିଇ କିଟ୍ ପିନ୍ଧି ଜିଲାପାଳ ଉକ୍ତ କୋଭିଡ୍ ହସ୍ପିଟାଲ ମଧ୍ୟକୁ ପ୍ରବେଶ କରି ୱାର୍ଡକୁ ୱାର୍ଡ ବୁଲି ରୋଗୀଙ୍କ ବିଷୟରେ ପଚାରି ବୁଝିଥିଲେ । ଏହି ସମୟରେ ତାଙ୍କ ସହ ଡାକ୍ତର ମାନେ ଉପସ୍ଥିତ ଥିବା ସୂଚନା ମିଳିଛି । ତେବେ ଗସ୍ତ ସମୟରେ ଜିଲାପାଳ କିଛି ରୋଗୀ ଅକ୍ସିଜେନ୍ ନେଉଥିବା ତ ଆଉ କିଏ ଶଯ୍ୟାରେ ବସିଥିବା ଦେଖିବାକୁ ପାଇଥିଲେ । ଏପରିକି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ଯୁବକ ଶଯ୍ୟାରେ ବସି ନିଜର ‘ସିଏ’ ପରୀକ୍ଷା ଲାଗି ପାଠ ପଢୁଥିବା ଜିଲାପାଳ ଦେଖିବାକୁ ପାଇଥିଲେ । ଏହି ପରିଦର୍ଶନ ଓ ରୋଗୀଙ୍କ ସହ ଆଲୋଚନା ବେଳର ଫଟୋ ସହ ଏହି ସମ୍ପର୍କରେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥିସହ କରୋନା ରୋଗୀଙ୍କୁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଜିଲାପାଳ ପଚାରି ବୁଝୁଥିବା ବେଳର ଏକ ଭିଡିଓ ମଧ୍ୟ ଗଣମାଧ୍ୟମକୁ ଏଠାରେ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି । ଜିଲାପାଳ କୁଲାଙ୍ଗେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଡାକ୍ତର ନିୟମିତି ଆସୁଛନ୍ତି କି ନାହିଁ, ଖାଇବା କିଭଳିି ମିଳୁଛି ଏବଂ ପରିମଳ ଓ ସଫେଇ ବ୍ୟବସ୍ଥା କଣ ଅଛି ପଚାରି ବୁଝୁଥିବା ଉକ୍ତ ଭିଡିଓରୁ ଜଣାପଡିଛି । ରୋଗୀମାନେ ସବୁଥିରେ ସନ୍ତୋଷ ବ୍ୟକ୍ତ କରିଥିବା ଜିଲାପାଳ କହିଛନ୍ତି । ଏଥିସହ ସେଠାରେ କୌଣସି ଅକ୍ସିଜେନ୍ ସମସ୍ୟା ନଥିବା ଜିଲାପାଳ ସ୍ପଷ୍ଟ କରିଛନ୍ତି । ଭୁବନେଶ୍ୱରର ଜଣେ ଏକ ନିର୍ଦ୍ଧିଷ୍ଟ ଦଳର ନେତା ଏମ୍କେସିଜି କୋଭିଡ୍ ହସ୍ପିଟାଲରେ ଅକ୍ସିଜେନ୍ ଯୋଗାଣ ଠିକ୍ ନ ଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରିଥିଲେ । ଏପରିକି ପରେ କେତେକ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଥିଲା । ଏହା ଏକ ଗୁଜବ ଓ ମିଥ୍ୟା ଖବର । ମୁଁ ନିଜେ ଏମ୍କେସିଜି କୋଭିଡ୍ ହସ୍ପିଟାଲକୁ ପରିଦର୍ଶନରେ ଯାଇ ଯାଞ୍ଚ କରିଛି ବୋଲି ଜିଲାପାଳ ଟୁଇଟ୍ ମାଧ୍ୟମରେ ଉତ୍ତର ଦେଇଛନ୍ତି । ଆମ୍ଭେ ଅକ୍ସିଜେନ୍ ଯୋଗାଣର ମନିଟରିଂ କରୁଛୁ ବୋଲି ଜିଲାପାଳ ଜଣାଇଛନ୍ତି । ଆମ ପାଖରେ ପର୍ଯ୍ୟାପ୍ତ ଅକ୍ସିଜେନ୍ ରହିଛି । ଠିକ୍ ସମୟରେ ସପ୍ଲାଏ ଚେନ୍ ମନିଟର କରୁଛୁ ବୋଲି ଜିଲାପାଳ ଆଉ ଏକ ଟୁଇଟ୍ କରିବା ସହ ଗଣମାଧ୍ୟମକୁ ସେ ଏସମ୍ପର୍କରେ ସୂଚନା ଦେଇଛନ୍ତି ।