ବଲାଙ୍ଗିର କିସ୍‌ କ୍ୟାମ୍ପସ ଠାରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍‌ପିଟାଲ୍‌ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣର ମୁକାବିଲା ନିମନ୍ତେ ବଲାଙ୍ଗିର କିସ୍‌ କ୍ୟାମ୍ପସ ଠାରେ ଏକ ଶହେ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍‌ପିଟାଲ ଅତିଶୀଘ୍ର ଆରମ୍ଭ କରିବା ପାଇଁ ଆଜି ଅପରାହ୍ନରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍ସ (କିମ୍ସ) ଭୁବନେଶ୍ୱର ଏବଂ ବଲାଙ୍ଗିର ଜିଲ୍ଲା ପ୍ରଶାସନ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଏବଂ କିମ୍ସ ଭୁବନେଶ୍ୱରର ମେଡ଼ିକାଲ ଅଧିକ୍ଷକ ଡ. ଅମ୍ବିକା ପ୍ରସାଦ ମହାନ୍ତିଙ୍କ ଦ୍ୱାରା ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହି କୋଭିଡ଼ ହସ୍‌ପିଟାଲ୍‌ରେ ଶହେ ଶଯ୍ୟା ରହିବ । ତନ୍‌ମଧ୍ୟରୁ ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ କାର୍ଯ୍ୟକ୍ଷମ ହେବ । ଏହି କୋଭିଡ଼ ହସ୍‌ପିଟାଲ କିମ୍ସ ଭୁବନେଶ୍ୱର ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପରିଚାଳିତ ହେବ । ଆସନ୍ତା ଶୁକ୍ରବାର ସୁଦ୍ଧା କୋଭିଡ଼ ହସ୍‌ପିଟାଲକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ବୁଧବାର ସୁଦ୍ଧା ଆଇସିୟୁକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀ ରାଣା କିମ୍ସ ମେଡ଼ିକାଲ ଅଧିକ୍ଷକଙ୍କୁ ଅନୁରୋଧ କରିଛନ୍ତି । ବୁଝାମଣା ପତ୍ର ସ୍ୱାକ୍ଷର ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, କିସ୍‌ର ଡେପୁଟି ଡାଇରେକ୍ଟର ଦେବେନ୍ଦ୍ର କୁମାର ସାମଲଙ୍କ ସମେତ କିସ୍‌ ଓ କିମ୍ସର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.