ଟୋଲ ଫି ଛାଡ଼ ଦାବୀରେ ୟୁଜର୍ସ ଆସୋସିଏସନର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟୋଲ ଗେଟ ଫିଜ ଛାଡ଼ ଦାବିରେ ବଲାଙ୍ଗିର ଟୋଲ ଗେଟ ୟୁଜର୍ସ ଆସୋସିଏସନ ତରଫରୁ ବିଛୁପାଲି ଟୋଲ ଗେଟ ସାମନାରେ ଆଜି ସକାଳୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବଲାଙ୍ଗିର ଓକିଲ ସଂଘରର ଆବହକତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ବଲାଙ୍ଗିରର ସମସ୍ତ ପ୍ରମୁଖ ସଂଗଠନ ଯୋଗ ଦେଇ ବିଛୁପାଲି ଟୋଲଗେଟକୁ ଅବରୋଧ କରାଯିବା ସହ ସୋନପୁର ୫୭ ନଂ ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି । ରାଜପଥକୁ ବନ୍ଦ କରି ଦିଆଯାଇଥିବା ସ୍ଥଳେ ରାଜପଥର ଉଭୟ ପକ୍ଷରେ ଶତାଧିକ ଗାଡି ଅଟକି ରହିଛି । ବଲାଙ୍ଗିର-ସୋନପୁର ରାଜପଥର ବିଛୁପାଲି ଠାରେ ଏନ୍‌ଏଚ୍‌ଏଆଇ ତରଫରୁ ଏକ ଟୋଲ ଗେଟ ସ୍ଥାପନ କରାଯାଇ ଏପ୍ରିଲ ୧ରୁ ଟୋଲ ଆଦାୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଓକିଲ ସଂଘର ଆବହକତ୍ୱରେ ସହରର ବିଭିନ୍ନ ସଂଗଠନ ଏକତ୍ରିତ ହୋଇ ଟୋଲ ଗେଟ ୟୁଜର୍ସ ଆସୋସିଏସନ ଗଠନ କରି ଏହି ନିଷ୍ପତ୍ତିକୁ ବିରୋଧ କରାଯିବା ସହ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସେହିକ୍ରମରେ ଆଜି ସହରର ସମସ୍ତ ପ୍ରମୁଖ ସଂଗଠନ ଏକତ୍ରିତ ହୋଇ ଏହାର ବିରୋଧ କରିଛନ୍ତି ।
ବଲାଙ୍ଗିର ଆର୍ଥିକ ସ୍ତରରେ ପଛୁଆ ଓ କେବିକେ ଜିଲ୍ଲା ହୋଇଥିବା ବେଳେ ଏଠାରେ ଟୋଲ ଫି ଆଦାୟ କରାଯାଇ ଲୋକଙ୍କ ଉପରେ ଅର୍ଥ ବୋଝ ଲଦି ଦିଆଯାଉଛି । ଏହି ଅନୈତିକ ଟୋଲ ଆଦାୟ ବଲାଙ୍ଗିରବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସାବିତ ହେବ । ତେଣୁ ଏହି ଟୋଲ ଗେଟରେ ବଲାଙ୍ଗିରବାସୀଙ୍କୁ ଟୋଲ ଫି ଆଦାୟ ଛାଡ଼ କରାଯାଉ ବୋଲି ସଂଯୁକ୍ତ ଭାବେ ଦାବୀ କରାଯାଇଛି ବୋଲି ସଙ୍ଘ କହିଛି । ଟୋଲ ଗେଟ ୟୁଜର୍ସ ଆସୋସିଏସନର ଏହି ଦାବୀକୁ ଜିଲ୍ଲାର ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେଡି ସକ୍ରିୟ ସମର୍ଥନ ଜଣାଇଥିଲା । ଦୁଇ ଘଣ୍ଟା କାଳ ରାସ୍ତା ବନ୍ଦ ହେବା ପରେ, ଜିଲ୍ଲା ପ୍ରସାଶନ ବର୍ତ୍ତମାନ ପାଇଁ ବଲାଙ୍ଗିରବାସୀଙ୍କୁ ଟୋଲ ଫ୍ରି କରିବା ସହ ଆନ୍ଦୋଳନରୁ ଓହରି ଯିବା ପାଇଁ ଅନୁରୋଧ କରିଥିଲେ । ଫଳରେ ସଙ୍ଘ ଆସନ୍ତା ଡ଼ାକରା ପର୍ୟ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ କରିଥିଲା ।

Leave A Reply

Your email address will not be published.