ସତର ବର୍ଷର ଔଷଧ ଉଦ୍ୟାନ ଉଭାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ, ନୃସିଂହନାଥର ବନ ବିଭାଗ ରେଞ୍ଜ କାର୍ୟ୍ୟାଳୟ ପରିସରରେ ଥିବା ଔଷଧ ଉଦ୍ୟାନ ଉଭାନ ହୋଇ ଯାଇଥିବା ଜଣାପଡିଛି । ଏଠାରେ ୨୦୦୪ ମସିହାରେ ପ୍ରାୟ ୨୦୦ ପ୍ରକାରର ଦୁର୍ଲଭ ଔଷଧ ଚାରା ରୋପଣ କରାଯାଇଥିଲା । ରେଞ୍ଜର ମଳୟ ଦାସ ନିଜ ତତ୍ତ୍ୱାବଧାନରେ ଏହି ଔଷଧ ବଗିଚା ପ୍ରସ୍ତୁତ କରିଥିଲେ । ସେ ସମୟରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗନ୍ଧମାର୍ଦନ ପର୍ବତରେ ନୃସିଂହନାଥ ଓ ହରିଶଙ୍କର ପାଖରେ ପ୍ରାୟ ୨•୫ କୋଟି ଟଙ୍କା ବ୍ୟୟ କରାଯାଇ ଔଷଧ ଚାରା ଲଗାଯାଇଥିଲା । ତନ୍ମଧ୍ୟରୁ ଦୁଇ ଶହ ପ୍ରକାରର ଚାରା ଆଣି ନୃସିଂହନାଥ ବନ ବିଭାଗ ପରିସରରେ ଔଷଧ ଉଦ୍ୟାନ କରାଯାଇଥିଲା । ଏଠାକୁ ଆୟୁର୍ବେଦ କଲେଜ ଛାତ୍ରୀଛାତ୍ର ମାନେ ପ୍ରାକ୍‌ଟିକଲ ପାଇଁ ଆସୁଥିଲେ । ବର୍ତ୍ତମାନ ଏଠାରେ କାର୍ୟ୍ୟରତ ଫରେଷ୍ଟର ଲୋକେଶ ପ୍ରଧାନ‌ଙ୍କ କହିବା ଅନୁସାରେ ଏହି ବଗିଚାରେ କଣ୍ଟା ଜାତୀୟ ଗଛ ଓ ଲତା ବଣ ମାଡି ଯାଇ ଥିବାରୁ ଏସିଏଫ ଆଶୁତୋଷ ମଲ୍ଲିକ ସଫା ସୁତୁରା କରିବାକୁ କହିଥିଲେ । ତେଣୁ ଶ୍ରୀ ପ୍ରଧାନ ଉକ୍ତ ବଗିଚାକୁ ସଫା କରିଥିବା ପ୍ରକାଶ କରିବା ସହ ଏଠାରେ ଔଷଧ ଗଛ ନ ଥିଲା ବୋଲି କହିଛନ୍ତି । ତେବେ ଔଷଧ ଗଛ ଗଲା କୁଆଡେ, ଏହା ତଦନ୍ତ ସାପେକ୍ଷ ବୋଲି ଆଞ୍ଚଳିକ ବୈଦ୍ୟ ଓ ବୁଦ୍ଧିଜୀବୀ ତଥା ପ୍ରକୃତିବନ୍ଧୁ ମାନେ ଚିନ୍ତା ପ୍ରକଟ କରିଛନ୍ତି ।

Leave A Reply

Your email address will not be published.