jayashree

ନୂଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କଲା ମହାବୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

  • ଆମୁଖ-୨୦୨୬ ଉତ୍ସବରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷା ଜୀବନର ନୂଆ ଅଧ୍ୟାୟରେ ପାଦ ଥାପିଥିବା ନବାଗତ ଛାତ୍ରଛାତ୍ରୀଙ୍କୁ ନେଇ ଉତ୍ସବମୁଖର ହୋଇଉଠିଲା ମହାବୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ବଲାଙ୍ଗିର ଜିଲ୍ଲା ପୁଇଁତଳାସ୍ଥିତ ଏହି ଶିକ୍ଷାନୁଷ୍ଠାନ ପକ୍ଷରୁ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ‘ଆମୁଖ-୨୦୨୬’ ନାମରେ ଏକ ଭବ୍ୟ ସ୍ୱାଗତ ସମାରୋହ ଆୟୋଜିତ ହୋଇଥିଲା । ଏହି ଅବସରରେ ମହାବିଦ୍ୟାଳୟର ସଭାପତି ଇଂ. ଜପବନ୍ଧୁ କମ୍ପ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଜୀବନରେ ଶୃଙ୍ଖଳା, ନିଷ୍ଠା ଓ ଆତ୍ମବିଶ୍ୱାସର ମହତ୍ତ୍ୱ ବୁଝାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ପ୍ରେରଣାଦାୟକ ଉଦବୋଧନ ଦେଇଥିଲେ । ସେହିପରି ଅଧ୍ୟକ୍ଷ ବିଜୟ କୁମାର ହୋତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱାଗତ ସମାରୋହର ଉଦ୍ଦେଶ୍ୟ ଏବଂ ଛାତ୍ରଛାତ୍ରୀଙ୍କ ଜୀବନରେ କଲେଜ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଓଡ଼ିଆ ଅଧ୍ୟାପିକା ଏଲୋରା ପଣ୍ଡା, ରାଜନୀତି ବିଜ୍ଞାନ ଅଧ୍ୟାପିକା ସୀମା ମହାକୁର ଏବଂ ଇଂରାଜୀ ଅଧ୍ୟାପକ ଲିପୁନ୍ ଚନ୍ଦ୍ର ମିଶ୍ର ଯୋଗଦେଇ ନବାଗତଙ୍କୁ ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମରେ ଦ୍ୱିତୀୟ ବର୍ଷର ଛାତ୍ର ପ୍ରୟାସ ପ୍ରିୟତୋଷ ପ୍ରଧାନ ଓ ଛାତ୍ରୀ ରାଜନନ୍ଦିନୀ ବେହେରା ସଭା ସଂଯୋଜନା କରିଥିଲେ । ଏହାସହ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସମାରୋହର ମୁଖ୍ୟ ଆକର୍ଷଣ ସାଜିଥିଲା ଛାତ୍ରଛାତ୍ରୀଙ୍କ ମନୋମୁଗ୍ଧକର ସାଂସ୍କୃତିକ ପରିବେଷଣ । ନୃତ୍ୟ, ସଙ୍ଗୀତ ସମେତ ବିଭିନ୍ନ କଳାତ୍ମକ ପ୍ରଦର୍ଶନ ମାଧ୍ୟମରେ ନିଜ ନିଜର ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇଥିଲେ ଛାତ୍ରଛାତ୍ରୀ । ଏଥିରେ ସମଗ୍ର ପରିବେଶ ଉତ୍ସାହ ଓ ଉଲ୍ଲାସରେ ଭରିଉଠିଥିଲା । ଶେଷରେ ନୂତନ ଛାତ୍ରଛାତ୍ରୀଙ୍କୁ ମହାବୀର ପରିବାରରେ ସ୍ୱାଗତ କରାଯିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳ ଶିକ୍ଷାଜୀବନ କାମନା କରାଯାଇଥିଲା । ଆନନ୍ଦ, ଉତ୍ସାହ ଓ ଭାଇଚାରାର ବାର୍ତ୍ତା ଦେଇ ‘ଆମୁଖ-୨୦୨୬’ ସମାରୋହ ସ୍ମରଣୀୟ ହୋଇରହିଥିଲା ।

Leave A Reply

Your email address will not be published.