
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ୍ ଜିଲ୍ଲା ପ୍ରଶାସନ କେବଳ ଲୋକଙ୍କ ଧନଜୀବନର ସୁରକ୍ଷା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ବ୍ୟବସ୍ଥା ବଜାୟ ରଖିବା ଭିତରେ ନ ରହି ଜରୁରୀ ପରିସ୍ଥିତିରେ ଅବା ବନ୍ୟା ପ୍ରପୀଡିତ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାରେ ମଧ୍ୟ ସମ୍ମୁଖୀନ ହୋଇ ଠିଆ ହୋଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବନ୍ୟା ପ୍ରପୀଡିତ ଅଞ୍ଚଳରେ ରିଲିଫ୍ ବଣ୍ଟନ ସାହାଯ୍ୟ କ୍ଷେତ୍ରରେ ଗଞ୍ଜାମ ଏସ୍ପି ହରିଶ୍ ବିଶିଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ ଏକ ନିଆରା ମନେ ହୋଇଛି । ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବିଷମ ବନ୍ୟା ପରିସ୍ଥିତି ଉପୁଜିଥିଲା, ସ୍ଥିତି ଗମ୍ଭୀର ହୋଇ ଉଠିଥିଲା । ସେହି ପ୍ରଳୟଙ୍କରୀ ବନ୍ୟା ସମୟରେ ଗଞ୍ଜାମ ପୋଲିସ ଆରକ୍ଷୀ ଅଧୀକ୍ଷକ ହରିଶ୍ ବିଶିଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଥାନାଧିକାରୀମାନେ ବନ୍ୟା ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ, ରିଲିଫ୍ ବଣ୍ଟନ ଦିଗରେ ପୋଲିସ ପ୍ରଶାସନ ମଧ୍ୟ ବିଶେଷ ସହାୟକ ହୋଇଥିଲେ । ବନ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କ ସ୍ଥିତି ପରଖିବା ସହ ଲୋକଙ୍କୁ ଥଇଥାନ ଏବଂ ଘରୋଇ ଉପକରଣ ବିତରଣ କରିଥିଲେ । ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳରେ ବନ୍ୟା ପ୍ରପୀଡିତ ଲୋକଙ୍କ ପରିବାରର ପିଲାମାନଙ୍କୁ ପାଠପଢ଼ାରେ ପ୍ରଭାବିତ ନ ହେବା ନିମନ୍ତେ ବହି, ଖାତା, ସିଲଟ, ଖଡ଼ି, ପେନସିଲ୍, ପେନ୍ ଆଦି ଗଞ୍ଜାମ ଏସପି ହରିଶ୍ ବିଶି ବଣ୍ଟନ କରିଥିଲେ । ସେହିପରି ସୋମବାର ଦିନ ସ୍କୁଲ୍ ପୁନଃ-ଖୋଲିଥିବା ବେଳେ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତର ଶରଭୀମପୁର ଗ୍ରାମ ସ୍କୁଲରେ ଗଞ୍ଜାମ ଏସ୍ପି ଶ୍ରୀ ବିଶି ପହଞ୍ଚି ଦୁର୍ଦ୍ଦିନ ସମୟରେ ଛାତ୍ରଛାତ୍ରୀଙ୍କ ସହିତ ଆଳାପ କରିଥିଲେ ଏବଂ ପିଲାଙ୍କୁ ଶିକ୍ଷା ଉପକରଣ କିଟ୍ ବଣ୍ଟନ କରିବା ସାଂଗକୁ ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଏସ୍ପି ସାହେବ୍ ପିଲାଙ୍କୁ ଖୁସି କରାଇଥିଲେ । ଏଭଳି ଦୁର୍ଦ୍ଦିନ ସମୟରେ ସାହାଯ୍ୟ ଯୋଗାଇଥିବା ଗଞ୍ଜାମ ଏସପି ଶ୍ରୀ ବିଶି ଏକ ନିଆରା ମାନବିକତାର ପରିଚୟ ସୃଷ୍ଟି କରିପାରିଛନ୍ତି । ତେଣୁ ସବୁରି ମହଲରେ ତାଙ୍କର ଭୂୟସୀ ପ୍ରଶଂସା କରାଯାଇଛି ।