
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀପାବଳୀର ପବିତ୍ର ଦିବସରେ ବଲାଙ୍ଗିର ସ୍ୱାଭିମାନ ମଂଚର ଏକ ବିଶେଷ ଅଧିବେଶନରେ ବଲାଙ୍ଗିରର ଜନ ସାଧାରଣ ତଥା ସମସ୍ତ ଗଣ ମାଧ୍ୟମକୁ ଦୀପାବଳୀର ଶୁଭେଚ୍ଛା ଓ ଅଭିନନ୍ଦନ ବ୍ୟକ୍ତ କରାଯାଇଥିଲା । ଆଲୋକର ଏହି ପର୍ବ ସମସ୍ତଙ୍କ ଜୀବନକୁ ଆଲୋକମୟ କରୁ ବୋଲି ସଭ୍ୟମାନେ ମତବ୍ୟକ୍ତ କରିଥିଲେ । ଡକ୍ଟର ପ୍ରେମଚାନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବକ୍ତବ୍ୟରେ ସମ୍ମାନନୀୟ ଅତିଥି ବାମଦେବ ମିଶ୍ର ଏବଂ ମୁଖ୍ୟବକ୍ତା ଭାବେ ଏଡଭୋକେଟ ଉମାକାନ୍ତ ସାହୁ ମଂଚାସୀନ ଥିଲେ । ବଲାଙ୍ଗିର ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନାରେ ଗଣମାଧ୍ୟମଙ୍କ ଅନନ୍ୟ ସହଯୋଗକୁ ସଦସ୍ୟମାନେ ଉଚ୍ଛ୍ୱସିତ ପ୍ରଶଂସା କରିଥିଲେ । ଆଗକୁ ଏହା ଜାରି ରହିବ ବୋଲି ସମସ୍ତେ ଆଶା ପୋଷଣ କରିଥିଲେ । ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା ଚାକିରୀ ଆଶାୟୀ ବେକାର ଯୁବକ ଯୁବତୀଙ୍କ ପ୍ରତିଯୋଗିତା ପରୀକ୍ଷା ବିଷୟ । ଆମେ ଲକ୍ଷ୍ୟ କଲୁ ଯେ ଚାକିରୀ ପାଇଁ ପୋଷ୍ଟ ତ ବାହାରୁ ନାହିଁ ଆଉ ଯେବେ ବାହାରୁଛି ସେଣ୍ଟର ପଡୁଛି ବଲାଙ୍ଗିର ବାହାରେ । ବିଗତ ଆର ଆଇ ଅମିନ ପରୀକ୍ଷାରେ କେତେ ଜଣଙ୍କ ସେଣ୍ଟର ସୁନ୍ଦରଗଡ, କେଉଁଝର ଓ ବାରିପଦାରେ ମଧ୍ୟ ପଡିଥିଲା । ସବୁକୁ ଟପି ଯାଇଥିଲା ଓପିଏସସି ଦ୍ୱାରା ପରିଚାଳିତ ଓସିଏସ୍ ମୁଖ୍ୟ ପରୀକ୍ଷା । ସମଗ୍ର ପଶ୍ଚିମ ଓଡିଶା ପାଇଁ ଗୋଟିଏ ମାତ୍ର ପରୀକ୍ଷା କେନ୍ଦ୍ର ତାହା ପୁଣି ସମ୍ବଲପୁରରେ । ସେଥିରେ ଆମର ଆପତ୍ତି ନାହିଁ କିନ୍ତୁ ଆମ ଯୁକ୍ତି ହେଲା ବଲାଙ୍ଗିରରେ ଏହି ପରୀକ୍ଷା କେନ୍ଦ୍ର କାହିଁକି ହେବ ନାହିଁ । ସରକାର କେବେବି ଚିନ୍ତା କରି ନାହାନ୍ତି ଯେ, ଏହି ପରୀକ୍ଷାର୍ଥୀ ମାନଙ୍କୁ କି ଅସହ୍ୟ ମାନସିକ ଯାତନା ଦେଇ ଯିବାକୁ ପଡୁଛି । ୧୦ ଦିନ ଧରି ହେବାକୁ ଯାଉଥିବା ଏହି ପରୀକ୍ଷାରେ ପ୍ରାର୍ଥୀମାନେ ରହିବେ କେଉଁଠି ? ଟ୍ରେନ୍ କିମ୍ବା ବସରେ ଯିବା ବେଳକୁ ଏହି ଚିନ୍ତା ସମସ୍ତଙ୍କୁ ଘାରେ । ଯେଉଁମାନଙ୍କ ସଂପର୍କୀୟ ରହୁଛନ୍ତି ତାଙ୍କ କଥା ଅଲଗା କିନ୍ତୁ ତାହା ସମସ୍ଥଙ୍କ ଭାଗ୍ୟରେ ଯୁଟେ ନାହିଁ । ତେବେ ଏକମାତ୍ର ବିକଳ୍ପ ହୋଟେଲରେ ରହିବା । ଏବର୍ଷ ହୋଟେଲ ବାଲାମାନେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଦେଖି ଦୈନିକ ଅନ୍ୟୁନ ଭଡା ୧୦୦୦-୧୬୦୦ ଟଙ୍କା ପର୍ଯ୍ୟନ୍ତ ଦାବି କରୁଥାନ୍ତି । ଚିନ୍ତା କରନ୍ତୁ ଜଣେ ଗରିବ ମେଧାବୀ ବେକାର ଛାତ୍ର ୧୦ ଦିନ ପାଇଁ ୧୬ ହଜାର ଟଙ୍କା ଦେଇପାରିବ କି ? ରାତି ୧୧ଟା ପର୍ଯ୍ୟନ୍ତ ସବୁ ପିଲା ରାସ୍ତାରେ ବୁଲି ହୋଟେଲ ଖୋଜିବାରେ ବ୍ୟସ୍ତ ରହିଥାନ୍ତି ବୋଲି ଜଣେ ସଭ୍ୟ ମତ ଦେଇଥିଲେ । କେତେକ ଛାତ୍ର ଧର୍ମଶାଳା ତ ଆଉ କେତେକେ ରେଲୱେ ପ୍ଲାଟଫର୍ମରେ ଆଶ୍ରା ନେଇଥିଲେ । ହୋଟେଲରେ ମିଳୁଥିବା ରୁଟି ଅନ୍ୟଦିନ ଗୋଟିକୁ ୫ ଟଙ୍କା ଥିଲାବେଳେ ଏମାନଙ୍କ ପାଇଁ ୧୦ ଟଙ୍କା ବତାଉଥିଲେ । ପ୍ରଥମ ଦିନର ପ୍ରଥମ ସିଟିଙ୍ଗ ପରେ ବହୁ ଛାତ୍ରଛାତ୍ରୀ ପରୀକ୍ଷା ନଦେଇ ଘରକୁ ବାହୁଡି ଯିବାକୁ ମନସ୍ଥ କରୁଥିଲେ । ନୂଆପଡାର ଜଣେ ଗରୀବ ଛାତ୍ର ଦିନବେଳା ଲଞ୍ଚ ନଖାଇ ଚା କପେ ପିଇ ଦିନସାରା ଉପାସରେ ରହି କେବଳ ଅର୍ଥାଭାବ ଯୋଗୁଁ ରାତିରେ କେବଳ ଭାତ ଖାଉଥିବା ପ୍ରକାଶ କରିଥିଲେ । ଯେଉଁମାନେ ଦୂରରେ ରହୁଥିଲେ ତାଙ୍କପାଇଁ ହଲରେ ସଠିକ ସମୟରେ ପହଂଚିବାରେ ଏକମାତ୍ର ମାଧ୍ୟମ ଥିଲା ଅଟୋ । କିନ୍ତୁ ଏ କ୍ଷେତ୍ରରେ ଅଟୋ ଚାଳକମାନେ ମଧ୍ୟ ମନ ଇଚ୍ଛା ପଇସା କସୁଥିଲେ । ଏଠି ସ୍ୱଭାବିକ ପ୍ରଶ୍ନ ଉଠେ ଯେ, ଏପରି ଅବସ୍ଥାରେ ଜଣେ ଛାତ୍ର କିପରି ମନ ମସ୍ତିଷ୍କ ସ୍ଥିର ରଖି ପରୀକ୍ଷା ଦେବ । ଟିକେ ସମ୍ବେଦନଶୀଳ ହୋଇ ଏ ପିଲାଙ୍କ କଥା ଟିକେ ଭାବନ୍ତୁ । ମଂଚର ସଭ୍ୟମାନେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରି ବଲାଙ୍ଗିରରେ କାହିଁକି ଏ ପରୀକ୍ଷା ପାଇଁ ସେଣ୍ଟର ନହେବ ତାର ଉତ୍ତର ଦେବାପାଇଁ ସରକାରଙ୍କଠାରେ ଦୃଢ ଦାବି ଉପସ୍ଥାପନା କରିଥିଲେ । ଯଦି କଟକ ଓ ଭୁବନେଶ୍ୱରେ ଲାଗି ଲାଗି ସେଣ୍ଟର ହୋଇପାରିଲା, ବ୍ରହ୍ମପୁର ଓ ଜୟପୁରରେ, ବାଲେଶ୍ୱରରେ ସେଣ୍ଟର ହୋଇପାରିଲା ବଲାଙ୍ଗିରରେ କାହିଁକି ସେଣ୍ଟର ନହେବ ବୋଲି ସରକାରଙ୍କୁ ମଂଚ ପ୍ରଶ୍ନ କରିଛି । ଏହି ପାତର ଅନ୍ତର ମନୋଭାବ କେତେଦିନ ଆଉ ଚାଲିବ ବୋଲି ମଂଚର ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ତୁଷରାର ଜଣେ ଅଭିଭାବକ ଏହି ସବୁ ଅସୁବିଧା ଯୋଗୁଁ ତାଙ୍କ ଝିଅ ପରୀକ୍ଷା ଦେଇ ନପାରି ଫେରି ଆସିଲା ବୋଲି ଅଭିଯୋଗ କରିଥିଲେ । ଆଗାମୀ ଦିନରେ ସବୁ ପ୍ରତିଯୋଗିତା ପାଇଁ ବଲାଙ୍ଗିର ସେଣ୍ଟର କରିବା ପାଇଁ ମଂଚ ତରଫରୁ ସରକାରଙ୍କଠାରେ ଦୃଢ ଦାବି ଉପସ୍ଥାପନ କରାଯାଇଛି । ନଚେତ ଧରି ନିଆଯିବ ଯେ, ସରକାର ଜାଣିଶୁଣି ପକ୍ଷପାତୀତା କରୁଛନ୍ତି । ଯଦି ସରକାର ଏହା କରି ନପାରୁଛନ୍ତି ତେବେ ଆଶାୟୀ ପ୍ରାର୍ଥୀଙ୍କ ରହିବା, ଖାଇବା ବ୍ୟବସ୍ଥା ସରକାର କରନ୍ତୁ ବୋଲି ଦାବି କରାଯାଇଛି । ସଭା ଶେଷରେ ଶ୍ରୀ ରଞ୍ଜନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଡ. ପ୍ରଶାନ୍ତ ପ୍ରଧାନ, ତ୍ରିଲୋଚନ ମହାପାତ୍ର, ସୁରେନ୍ଦ୍ର ତ୍ରିପାଠୀ, ଭକ୍ତବନ୍ଧୁ ଯୋଷୀ, ଜ୍ୟୋତିରାଜ ନାଗ, ରାଘବ ଷଢଙ୍ଗୀ, ବୁଠି ବେହେରା, ପ୍ରଶାନ୍ତ କୁମାର ଯୋଷୀ, ମୁରାରୀ ପ୍ରସାଦ ସାହୁ, ଚିତ୍ତରଞ୍ଜନ ପୁରୋହିତ, ବାସୁଦେବ ରଥ ପ୍ରମୁଖ ନିଜ ମତ ରଖିଥିଲେ ।